24 November 2017
5:24:53 AM
Sambad News
ସୁନ୍ଦରଗଡ଼

ଟେଣ୍ଡର୍‌ ଫିକ୍ସିଂରେ ମାହିର୍‌ ଥିଲେ ଇଡି

ବୋକାରୋ ପ୍ଲାଣ୍ଟ୍‌ ସିଇଓ ପାଇଁ ନୂଆ ପ୍ରକ୍ରିୟା ଆରମ୍ଭ

By Sambad | Date: Jan 12 2017 6:32AM
ଟେଣ୍ଡର୍‌ ଫିକ୍ସିଂରେ ମାହିର୍‌ ଥିଲେ ଇଡି

ରାଉରକେଲା : ଗିରଫ ଇଡି ବି.ପି. ବର୍ମାଙ୍କ ରାଉରକେଲାସ୍ଥିତ ସରକାରୀ ବାସଗୃହ, ଏସ୍‌ବିଆଇ ଆକାଉଣ୍ଟ୍‌ରେ ୬୮ ଲକ୍ଷ ୬୫ ହଜାର ଟଙ୍କା, ଲକରରୁ ୧୮.୫ ଲକ୍ଷ ଟଙ୍କାର ହୀରା ଓ ସୁନା ଅଳଙ୍କାର ଠାବ ହେବା ପରେ ସିବିଆଇ ଏବେ ବୋକାରା, ହାଜାରିବାଗ୍‌ ଓ ରାଞ୍ଚିରେ ଥିବା ତାଙ୍କ ସ୍ଥାବର-ଅସ୍ଥାବର ସମ୍ପତ୍ତିର ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ବୋକାରୋ ଷ୍ଟିଲ୍‌ ପ୍ଲାଣ୍ଟ୍‌ (ବିଏସ୍‌ ଏଲ୍‌)ରେ ଦୀର୍ଘ ୩୨ ବର୍ଷ ଧରି ପଦାସୀନ ଥିବା ଶ୍ରୀ ବର୍ମା ଟେଣ୍ଡର ଫିକ୍ସିଂରେ ସିଦ୍ଧହସ୍ତ ବୋଲି ସିବିଆଇ ସୁରାକ ପାଇଛି। କୋକ୍‌ ଓଭେନ୍‌ ବିଭାଗର ମହାପ୍ରବନ୍ଧକ ଥିବା ବେଳେ  ଶ୍ରୀ ବର୍ମା ଅନେକ ଟେଣ୍ଡର୍‌ ହେରଫେର କରିଥିବା ସନ୍ଦେହରେ ସିବିଆଇ ଖୋଲତାଡ଼ ଆରମ୍ଭ କରିଛି। ବିଶେଷକରି କୋଲକାତା ଓ ଇଟାଲୀର ବେସରକାରୀ କମ୍ପାନିକୁ ଟେଣ୍ଡର୍‌ ଦେବାରେ ଅନୈତିକ ଅନୁଗ୍ରହ ପ୍ରଦର୍ଶନ କରିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। 
 
ଶ୍ରୀ ବର୍ମା ମହାପ୍ରବନ୍ଧକ ଥିବା ସମୟରେ ବ୍ୟାଟେରୀ ମରାମତି ପାଇଁ ନଭେମ୍ବର ୩, ୨୦୧୫ ମସିହାରେ (ଏନ୍‌ଆଇଟି ନଂ-ସିସି/ଓଟିଟି/୧୦୩୮/ସିଓ ଆଣ୍ଡ୍‌ ବିପିପି/୩୨୧୩୯)ରେ ୯ କୋଟି ଟଙ୍କାର ଟେଣ୍ଡର ଆହ୍ଵାନ କରିଥିଲେ। ଏଥିରେ କୋଲକାତାର ଏକ କମ୍ପାନି ଏକମାତ୍ର ସଂସ୍ଥା ଭାବେ ଟେଣ୍ଡର ଦାଖଲ କରିଥିଲା। କେବଳ ଗୋଟିଏ ମାତ୍ର ସଂସ୍ଥା ଅଂଶଗ୍ରହଣ କରିଥିବାରୁ ଏହାକୁ ରଦ୍ଦ କରାଯାଇ ୧୦ ଦିନ ଭିତରେ ପୁଣିଥରେ ଲିମିଟେଡ୍‌ ଟେଣ୍ଡର୍‌ ଡକାଯାଇଥିଲା। ଆଶ୍ଚର୍ଯ୍ୟଜନକଭାବେ, ଯେଉଁ ସଂସ୍ଥା ପ୍ରଥମ ଦଫାରେ ଆବେଦନ କରିଥିଲା, ତାକୁ ବାଦ୍‌ ଦେଇ ନିଜ ଇଚ୍ଛା ମୁତାବକ ଅନ୍ୟ ୩ଟି ସଂସ୍ଥାକୁ ଏଥିରେ ସେ ସାମିଲ କରାଇଥିଲେ। ଶେଷରେ ପସନ୍ଦର ସଂସ୍ଥାକୁ ଶ୍ରୀ ବର୍ମା ଠିକା ଦେଇଥିଲେ। ଏହାବାଦ୍‌ ୪ ଶହ କୋଟିର ମରାମତି, ଆଧୁନିକୀ କରଣ କାର୍ଯ୍ୟରେ ମଧ୍ୟ ବ୍ୟାପକ ହେର୍‌ଫେର୍‌ ହୋଇଥିବା ଅଭଯୋଗ ଆସିଥିଲା।  ହଟ୍‌ଷ୍ଟ୍ରିପ୍‌ ମିଲ୍‌ ଆଧୁନିକୀ କରଣ ପାଇଁ ଆହୂତ ବିଭିନ୍ନ ଟେଣ୍ଡର୍‌ରେ ଇଟାଲୀର ଡେନେଲୀ ଅଟୋ ମେସନକୁ ସେ ଅନୁଗ୍ରହ କରିଥିଲେ। ଆଧୁନିକୀକରଣ ପରେ ମଧ୍ୟ ଯାବତୀୟ ସମସ୍ୟା ଦେଖାଦେବାରୁ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) କର୍ତ୍ତୃପକ୍ଷ କମ୍ପାନି-ବର୍ମାଙ୍କ ଅସାଧୁ ମେଣ୍ଟକୁ ସନ୍ଦେହ କରି ଅଙ୍ଗୁଳି ଉଠାଇଥିଲେ।
 
ସେଲ୍‌ରେ ଶ୍ରୀ ବର୍ମାଙ୍କ ଲମ୍ବାହାତ ଥିବା ଜଣାପଡ଼ିଛି
ନିର୍ଦ୍ଦେଶକ ମଣ୍ଡଳୀରେ ଯେତେ ବଡ଼ ଧରଣର ପରିବର୍ତ୍ତନ ହେଲେ ସୁଦ୍ଧା ଶ୍ରୀ ବର୍ମାଙ୍କର କିନ୍ତୁ ବଦଳି ହେଉନଥିଲା। ଫଳରେ ଦୀର୍ଘ ୩୪ ବର୍ଷର ଚାକିରୀ ଜୀବନରେ ସେ ବିଏସ୍‌ଏଲ୍‌ରେ ୩୨ ବର୍ଷ ରହିବାକୁ ସକ୍ଷମ ହୋଇଥିଲେ। ସୂଚନାଯୋଗ୍ୟ, ଶ୍ରୀ ବର୍ମା ୧୯୮୩ ମସିହା ଜାନୁଆରୀ ୨୪ ତାରିଖରେ ବିଏସ୍‌ଏଲ୍‌ରେ ଯୋଗଦେଇଥିଲେ। ପ୍ରାୟ ୨୭ ବର୍ଷ ଯାଏଁ ସେଠାରେ ବିଭିନ୍ନ ପଦପଦବିରେ ଅବସ୍ଥାପିତ ହେବାପରେ ୨୧ ଜୁଲାଇ ୨୦୧୦ ମସିହାରେ କୋଲ୍‌ କୋଅର୍ଡିନେସନ (ଧନବାଦ)କୁ ତାଙ୍କ ବଦଳି ହୋଇଥିଲା। ଏହି ଦାୟିତ୍ୱରେ ପ୍ରାୟ ୧୦ ମାସ ରହିବାପରେ ମେ’ ୨୦୧୧ରେ ପୁଣି ସେ ବିଏସ୍‌ଏଲ୍‌କୁ ଫେରିଥିଲେ। ସେଠାରେ ପ୍ରାୟ ୫ ବର୍ଷ ଧରି ରହିବାପରେ ଜାନୁଆରୀ ୨୦୧୬ରେ ଆର୍‌ଏସ୍‌ପିକୁ ବଦଳି ହୋଇଥିଲା। କିନ୍ତୁ ଉପରିସ୍ଥ ମହଲରେ ଶ୍ରୀ ବର୍ମାଙ୍କ ପ୍ରଭାବ ଥିବାରୁ ଗତ ୬ ତାରିଖରେ ତାଙ୍କୁ ବିଏସଏଲ୍‌ର ପରବର୍ତ୍ତୀ ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଭାବେ ମନୋନୀତ କରାଯାଇଥିଲା।  ଗିରଫ ପରେ ଶ୍ରୀ ବର୍ମାଙ୍କ ସିଇଓ ଆଶା ଧୂଳିସାତ୍‌ ହୋଇଛି। ସିଇଓ ନିଯୁକ୍ତି ପାଇଁ ପୁନର୍ବାର ପ୍ରକ୍ରିୟା ଆରମ୍ଭ କରିବାକୁ ସେଲ୍‌ କର୍ତୃପକ୍ଷ କସରତ ଆରମ୍ଭ କରିଥିବା ଜଣାପଡ଼ିଛି।
 
ଲକରରୁ ମିଳିଲା ୧୯ ଲକ୍ଷର ସୁନା ଓ ହୀରା ଗହଣା
ଗିରଫ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଇଡି ବି.ପି. ବର୍ମାଙ୍କ ସେକ୍ଟର-୧୯ ଷ୍ଟେଟ୍‌ ବ୍ୟାଙ୍କରେ ଥିବା ଲକର୍‌କୁ ସିବିଆଇର ୭ ଜଣିଆ ଅଫିସର ଟିମ୍‌ ମଂଗଳବାର ଶ୍ରୀ ବର୍ମାଙ୍କ ପତ୍ନୀ ଓ ବ୍ୟାଙ୍କ ଅଫିସରଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲେ। ସେଥିରେ ସାଢ଼େ ୧୨ ଲକ୍ଷ ଟଙ୍କାର ସୁନା ଓ ପ୍ରାୟ ୬ ଲକ୍ଷ ଟଙ୍କା ମୂଲ୍ୟର ହୀରା ଅଳଙ୍କାର ଠାବ କରାଯାଇଥିଲା। ସୋମବାର ସିବିଆଇ ଟିମ୍‌ ଏହି ଶାଖାରେ ଶ୍ରୀ ବର୍ମା ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ଆକାଉଣ୍ଟରେ ୨୯ ଲକ୍ଷ ୧୫ ହଜାର ଟଙ୍କା ଜମା ଥିବା ଦେଖିଥିଲେ। ଶ୍ରୀ ବର୍ମାଙ୍କ ଅସ୍ଥାବର ସମ୍ପତ୍ତିରୁ  ଏ ପର୍ଯ୍ୟନ୍ତ ୬୮ ଲକ୍ଷ ୬୫ ହଜାର ଟଙ୍କାର ସଂପତ୍ତି ଠାବ ହୋଇଥିବା ବେଳେ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚି, ହଜାରିବାଗ୍‌ ଓ ବୋକାରୋରେ ଶ୍ରୀ ବର୍ମାଙ୍କର ବିପୁଳ ସ୍ଥାବର-ଅସ୍ଥାବର ସମ୍ପତ୍ତି ଥିବା ଅନୁମାନ କରାଯାଉଛି। ତେବେ  ସିବିଆଇ ପକ୍ଷରୁ ଏ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ।

image