23 October 2017
4:17:29 AM
Sambad News
ସୁନ୍ଦରଗଡ଼

ଆଜିଠୁ କୁକୁଡ଼ା ମରା

କଚାର ନମୁନାରେ ବାର୍ଡ ଫ୍ଲୁ ଚିହ୍ନଟ

By Sambad | Date: Jan 8 2017 6:02AM
ଆଜିଠୁ କୁକୁଡ଼ା ମରା

ରାଉରକେଲା : କଚାରରୁ ସଂଗୃହୀତ ମୃତ କୁକୁଡ଼ା ନମୂନାରୁ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ଆଜି ଏହି ବିଷୟ ଜଣାପଡ଼ିବା ପରେ ଗ୍ରାମାଞ୍ଚଳରେ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ବାର୍ଡ ଫ୍ଲୁ ଯେପରି ଅଧିକ ସଂକ୍ରମିତ ନ ହେବ ସେଥିପାଇଁ କୁକୁଡ଼ା ମରା ଅଭିଯାନ ଆରମ୍ଭ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଏଥିପାଇଁ ୫ଟି ଟିମ୍‌ ଗଠନ ହୋଇଛି। ଆସନ୍ତାକାଲି ଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
 
ରାଉରକେଲା ଆଇଜି ପାର୍କରେ ବାର୍ଡ ଫ୍ଲରେ ପେଲିକାନ୍‌ ମୃତ୍ୟୁବରଣ କରିବା ପରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିଲା। ଏହା ପରେ କୁଆରମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ କଚାରୁ ଗ୍ରାମରେ ଜାନୁଆରି ୧ ତାରିଖ ଦିନ ବହୁ କୁକୁଡ଼ା ମୃତ୍ୟୁବରଣ କରିଥିଲେ। ପ୍ରାଣୀ ଚିକିତ୍ସା ବିଭାଗ ମୃତ କୁକୁଡାଙ୍କ ଶରୀରରୁ ବିଭିନ୍ନ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଇଥିଲେ। ସେଠାରୁ ନମୂନା ଭୋପାଳ ପଠାଯାଇଥିଲା। ଏହି ନମୂନାରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି। ଆଜି ଏହି ରିପୋର୍ଟ ପହଞ୍ଚିବା ପରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାଣୀ ଚିକିତ୍ସା, ଜଂଗଲ ବିଭାଗ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ଚିହ୍ନଟ ଅଞ୍ଚଳରୁ ତୁରନ୍ତ କୁକୁଡ଼ାଙ୍କୁ ମାରି ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ୫ଟି ଟିମ୍‌ ଗଠନ ହୋଇଛି। 
 
ପ୍ରତି ଟିମ୍‌ରେ ଜଣେ ପ୍ରାଣୀ ଚିକିତ୍ସକ, ଜଣେ ପ୍ରାଣୀଧନ ନିରୀକ୍ଷକ, ୨ ଜଣ କର୍ମଚାରୀଙ୍କ ସମେତ ୫ ଜଣ ରହିବେ। ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳ ଚିହ୍ନଟ ହୋଇଛି। ଏହି ଅଞ୍ଚଳରେ ଲୋକଙ୍କ ଘରେ ଥିବା ପକ୍ଷୀ ସଂଖ୍ୟା ପୂର୍ବରୁ ଆକଳନ କରାଯାଇଛି। ଆସନ୍ତାକାଲି  ସ୍ଥାନୀୟ ରାଜସ୍ୱ ନିରୀକ୍ଷକ, ତହସିଲଦାର, ବ୍ଲକ୍‌ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ କୁକୁଡ଼ା ମରାଯିବ। ପ୍ରଭାବିତ କୁକୁଡ଼ା ଚାଷୀ କେଉଁ ଆଧାରରେ କ୍ଷତିପୂରଣ ପାଇବେ ତାହା ଘଟଣାସ୍ଥଳରେ ସ୍ଥିର ହେବ । ଏହିି ବିଷୟ ପ୍ରଚାରିତ ହେବା ପରେ କଚାରୁ ଅଞ୍ଚଳରେ କୁକୁଡ଼ା ଚାଷୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।  କୁକୁଡ଼ା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ସେମାନେ ଦାବି କରୁଛନ୍ତି।

image