20 October 2017
10:33:44 AM
Sambad News
ରାଜ୍ୟ

୧୦ ବର୍ଷର ସଂସାର ଭାଙ୍ଗିଲା : ସ୍ୱାମୀଙ୍କ ଉପସ୍ଥିତିରେ ପ୍ରେମିକଙ୍କୁ ବାହା ହେଲେ ମହିଳା

By Sambad | Date: Sep 21 2017 10:27PM
୧୦ ବର୍ଷର ସଂସାର ଭାଙ୍ଗିଲା : ସ୍ୱାମୀଙ୍କ ଉପସ୍ଥିତିରେ ପ୍ରେମିକଙ୍କୁ ବାହା ହେଲେ ମହିଳା
Photo by : cloudfront.net

ଏସ୍‌. ରାମପୁର : ୧୦ ବର୍ଷ ତଳେ ବିବାହ କରିଥିବା ଜଣେ ମହିଳା ସ୍ୱାମୀ ତଥା ୪ ବର୍ଷର ପୁଅକୁ ଛାଡ଼ି ତାଙ୍କ ପ୍ରେମିକକୁ ବିବାହ କରିଛନ୍ତି। ଗୁରୁବାର ରାମପୁର ନୋଟାରି କାର୍ଯ୍ୟାଳୟରେ ଏହି ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
 
ରାମପୁର ଥାନା ପଣ୍ଡକିଟାଲ ପଞ୍ଚାୟତ ବଲେନପାଲି ଗାଁର ମହାଦେବ ସେଠୀଙ୍କ ପୁଅ କୃଷ୍ଣଚନ୍ଦ୍ର ଅଇଁଲାସାରୀ ଗାଁର ବାସୁଦେବ ବେରିହାଙ୍କ ଝିଅ ସନ୍ତୋଷିନୀଙ୍କୁ ୧୦ ବର୍ଷ ତଳେ ବିବାହ କରିଥିଲେ। ବର୍ତ୍ତମାନ ଏମାନଙ୍କ ୪ ବର୍ଷର ପୁଅଟିଏ ଅଛି। ହେଲେ ସନ୍ତୋଷିନୀ ସେହି ଗାଁର ସରୋଜ ପଧାନ (୨୩)ଙ୍କୁ ଭଲ ପାଉଥିବା ବେଳେ ଗତ ୧୦ ତାରିଖ ଦିନ ତାଙ୍କ ସହ ଫେରାର ହୋଇ ଯାଇଥିଲେ। ଏହା ପରେ କୃଷ୍ଣଚନ୍ଦ୍ର ସ୍ତ୍ରୀ ନିଖୋଜ ହୋଇଥିବା ନେଇ ରାମପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମିସ୍‌ କେସ୍‌ କରି ସଂପୃକ୍ତ ମହିଳାଙ୍କୁ ଠାବ କରିବା ପାଇଁ ଲାଗି ପଡ଼ିଥିଲା। 
 
ସରୋଜଙ୍କ ବାପା କୋଦଣ୍ଡ ପଧାନ ଏବଂ ସନ୍ତୋଷିନୀଙ୍କ ବାପା ବାସୁଦେବ ଉଭୟ ପ୍ରେମିକ ପ୍ରେମିକାଙ୍କୁ ଚେନ୍ନାଇରୁ ଠାବ କରିଥିଲା। ଏହି ଘଟଣା ଜଣାପଡ଼ିବା ପରେ ଗାଁ ପଞ୍ଚାୟତ ଓ ଜାତିଭାଇଙ୍କ ନିଷ୍ପତ୍ତି ଅନୁସାରେ କୃଷ୍ଣଚନ୍ଦ୍ର ସ୍ତ୍ରୀକୁ ଛାଡ଼ପତ୍ର ଦେଇଥିଲେ। ଗୁରୁବାର ରାମପୁର ନୋଟାରିଙ୍କ କାର୍ଯ୍ୟାଳୟରେ ପୂର୍ବତନ ସ୍ୱାମୀ, ଗୌନ୍ତିଆ ପରିବାରର ପଞ୍ଚାନନ ମାଝୀ ତଥା ବନ୍ଧୁବର୍ଗଙ୍କ ଉପସ୍ଥିତିରେ ସରୋଜ ଓ ସନ୍ତୋଷିନୀଙ୍କ ବିବାହ ସଂପନ୍ନ ହୋଇଥିଲା।

image