19 November 2017
4:42:47 AM
Sambad News
ରାଜ୍ୟ

ଭୟଙ୍କର ବିସ୍ଫୋରଣ : ୨୦୦ ଫୁଟ୍‌ ଉପରକୁ ଉଠିଗଲା ଛାତ

By Sambad | Date: Aug 20 2017 2:30AM
ଭୟଙ୍କର ବିସ୍ଫୋରଣ : ୨୦୦ ଫୁଟ୍‌ ଉପରକୁ ଉଠିଗଲା ଛାତ

ଖୋର୍ଧା/ସିକୋ: ଘର ଭିତରେ ବାଣ ଭିଡ଼ୁଥିଲେ। କିନ୍ତୁ ଏହି ବେଆଇନ କାମ ଯେ ସେମାନଙ୍କ ପାଇଁ ଦିନେ କାଳ ପାଲଟିଯିବ, ଜାଣିନଥିଲେ। ଆଜି ଭୋର୍‌ରେ କୌଣସି କାରଣରୁ ବାଣ ବିସ୍ଫୋରଣ ଘଟିବାରୁ ୫ଜଣଙ୍କ ଜୀବନ ଅକାଳରେ ଝଡ଼ି ପଡ଼ିଛି। ସେହିପରି ଏହି ଅଘଟଣରେ ଗୁରୁତର ଅନ୍ୟ ୩ଜଣ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଖୋର୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ଗ୍ରାମର କୁମ୍ଭାରସାହିରେ ଆଜି ସକାଳୁ ଘଟିଥିବା ଏହି ମମନ୍ତୁଦ ଦୁର୍ଘଟଣାରେ ଗ୍ରାମର ସନାତନ ସେଠୀଙ୍କ ପରିବାରର ୪ଜଣଙ୍କ ସମେତ ଜଣେ ପଡ଼ୋଶୀ ମହିଳାଙ୍କ ମୃତ୍ୟୁ ହୋଇଛି। ବିସ୍ଫୋରଣର ପ୍ରଭାବ ଏତେ ଶକ୍ତିଶାଳୀ ଥିଲା ଯେ ସନାତନଙ୍କ ଘରର ଛାତ ପ୍ରାୟ ୨୦୦ ଫୁଟ୍‌ ଉପରକୁ ଉଠି ଯାଇଥିଲା। ଛାତ ତଳକୁ ଖସି କାନ୍ଥ ସହ ଘରର ଲୋକଙ୍କ ଉପରେ ପଡ଼ି ଯାଇଥିଲା ବୋଲି ଗ୍ରାମବାସୀ କହିଛନ୍ତି। ଛାତରେ ଲାଗିଥିବା ପଙ୍ଖା ଉପରମୁହାଁ ହୋଇଥିବା ବେଳେ ଛାତ ଓ କାନ୍ଥର କିଛି ଅଂଶ ଭାଙ୍ଗି ପଡ଼ିଶା ଘରର କାନ୍ଥ ଓ ଆଜବେଷ୍ଟସକୁ ମଧ୍ୟ ଭାଙ୍ଗି ଦେଇଥିଲା। ସେହିପରି ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦରେ ପ୍ରାୟ ୫ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳ କମ୍ପି ଉଠିଥିଲା। ଏହା ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ଥିବା ଘରଗୁଡ଼ିକର କାନ୍ଥ ଦୋହଲିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୂକମ୍ପର ଭ୍ରମ ସୃଷ୍ଟି କରିଥିଲା। ଫଳରେ ଲୋକେ ଭୟରେ ପଦାକୁ ବାହାରି ଆସିଥିଲେ।
 
କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ିଲା
ଏପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତକଙ୍କ ପରିବାର, ସାହିଭାଇଙ୍କ ମଧ୍ୟରେ କାନ୍ଦବୋବାଳି ପଡ଼ି ଯାଇଥିଲା। ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ଗାଁ ଲୋକେ ମଧ୍ୟ କୋହ ସମ୍ବରଣ କରିପାରିନଥିଲେ। ତେବେ ବ୍ୟବଚ୍ଛେଦ ପରେ ବିଳମ୍ବିତ ରାତିରେ ଶୋକାକୁଳ ପରିସ୍ଥିତିରେ ଗ୍ରାମ ଶ୍ମଶାନରେ ୫ ମୃତକଙ୍କ ଜୁଇ ଜଳିଥିଲା। ଗ୍ରାମର ଶହଶହ ଲୋକ ଉପସ୍ଥିତ ରହି ସେମାନଙ୍କୁ ଶେଷ ସମ୍ମାନ ଜଣାଇଥିଲେ। ସନାତନ ସେଠୀଙ୍କ ଅନୁପସ୍ଥିତିରେ ଗ୍ରାମବାସୀମାନେ ସନାତନଙ୍କ ପତ୍ନୀ ବବି ସେଠୀ (୪୦), ୩ ଝିଅ ଡ଼ଲି ସେଠୀ (୧୯), ମାଧବୀ ସେଠୀ (୮) ଓ ଟିକିଲି ସେଠୀ (୬)ଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ।
 
ଶେଷକୃତ୍ୟରେ ମଧ୍ୟ ରହିପାରିଲେ ନାହିଁ
ବିସ୍ଫୋରଣ ସମୟରେ ସନାତନ ଘରେ ନଥିଲେ। ସେ ଚା’ ପିଇବାକୁ ନିକଟସ୍ଥ ଦୋକାନକୁ ଯାଇଥିଲେ। ତେବେ ବିସ୍ଫୋରଣରେ ତାଙ୍କର ପତ୍ନୀ ଓ ୩  ଝିଅଙ୍କ ଅକାଳ ମୃତ୍ୟୁ ଘଟିଲା। ବୋଉ କଣ୍ଢେଇ ସେଠୀ ଓ ଝିଅ ଶ୍ରଦ୍ଧାଞ୍ଜଳି ଆହତ ହୋଇ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଏହି ଘଟଣା ନେଇ ସନାତନଙ୍କ ନାମରେ ଜଙ୍କିଆ ଥାନାରେ ମାମଲା ରୁଜୁ ହୋଇଥିବାରୁ ସେ ଗିରଫ ଭୟରେ ଫେରାର୍‌ ହୋଇଯାଇଛନ୍ତି। ତାଙ୍କ ପତ୍ନୀ ଓ ୩ ଝିଅଙ୍କ ଶେଷକୃତ୍ୟରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିନଥିଲା।
 
‘ମା’ ମଙ୍ଗଳା ବଞ୍ଚାଇ ଦେଲେ’
ବିସ୍ଫୋରଣରେ ସନାତନଙ୍କ ଘରର ଛାତ ଉଡ଼ି ଯାଇଥିବା ବେଳେ ପଡ଼ୋଶୀ ରସବତୀ ସେଠୀଙ୍କ ଘର ମଧ୍ୟ ଭୀଷଣ କ୍ଷତିଗ୍ରସ୍ତ ହୋଇଥିଲା। ବିସ୍ଫୋରଣ ସମୟରେ ସେ ଗାଧୋଉଥିଲେ। ଘରର କାନ୍ଥ, ଆଜବେଷ୍ଟସ୍‌ ଖଣ୍ଡ ଓ ସାଇକେଲ ତାଙ୍କ ଉପରେ ପଡ଼ି ଯାଇଥିଲା। ସେ ଜୀବନ ବିକଳରେ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ନାତି ସୁନିଲ ସେଠୀ ଓ ଅନ୍ୟମାନେ ତାଙ୍କୁ ଉଦ୍ଧାର କରିଥିଲେ। ଆହତ ରସବତୀ କହିଛନ୍ତି ଯେ ମା’ ମଙ୍ଗଳାଙ୍କ ଦୟାରୁ ସେ ରକ୍ଷା ପାଇଛନ୍ତି।
 
୮ ଘଣ୍ଟାର ଉଦ୍ଧାର କାର୍ଯ୍ୟ   
ବିସ୍ଫୋରଣ ପରେ ନିକଟସ୍ଥ ନୟାଗଡ଼ ଜିଲ୍ଲା ରଣପୁରରୁ ଦମକଳବାହିନୀ ପ୍ରଥମେ ଘଟଣାସ୍ଥଳକୁ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଅତ୍ୟନ୍ତ ସାହସିକତାର ସହ ଅଗ୍ନିଶମ କର୍ମଚାରୀମାନେ ଛାତ ଓ କାନ୍ଥ ତଳେ ଚାପି ହୋଇଯାଇଥିବା ୩ ଜଣଙ୍କୁ ଉଦ୍ଧାର କରିଥିଲେ। କ୍ଷୟକ୍ଷତି ଏତେ ଭୟଙ୍କର ଥିଲା ଯେ ତାହାକୁ ମୁକାବିଲା କରିବା ପାଇଁ ସେମାନଙ୍କ ନିକଟରେ ସେଭଳି ଯନ୍ତ୍ରପାତି କିମ୍ବା ଲୋକବଳ ନଥିଲା। ପରେ ପରେ ଖବର ପ୍ରଚାରିତ ହେବାରୁ ପ୍ରଶାସନ ପକ୍ଷରୁ ମଧ୍ୟ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଘଟଣାସ୍ଥଳରେ ଖୋର୍ଧା ଉପଜିଲ୍ଲାପାଳ ସରୋଜ ସାହୁ, ବେଗୁନିଆ ତହସିଲଦାର ନିଲୁ ମହାପାତ୍ର, ଏସଡିପିଓ ହରିହର ପାଣି, ଜଙ୍କିଆ ଥାନା ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ପରିସ୍ଥିତିର ଭୟାବହତାକୁ ଉପଲବ୍‌ଧି କରି ଓଏଫଡିଆର୍‌ଏର ସହାୟତା ଲୋଡ଼ା ଯାଇଥିଲା। ଓଏଫଡିଆର୍‌ଏର ପ୍ରାୟ ୬୦ରୁ ୭୦ଜଣ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରିଥିଲେ। ଅତ୍ୟାଧୁନିକ କଟିଂ ମେସିନ, ଡ୍ରଗିଂ ମେସିନ୍‌, ପାଣି ସ୍ପ୍ରେ’ ସହାୟତାରେ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଏଥିରେ ଗୋଟିଏ ଜେସିବି ଓ ଗୋଟିଏ ଟ୍ରାକ୍ଟର ମଧ୍ୟ ନିୟୋଜିତ କରାଯାଇଥିଲା। ଉଦ୍ଧାର କାର୍ଯ୍ୟ ସାରିବା ପାଇଁ ଏହି ଦଳକୁ ପ୍ରାୟ ୮ଘଣ୍ଟା ଲାଗିଥିଲା। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ଅବ୍ୟାହତ ରହିଥିଲା। ପ୍ରାୟ ଅଢ଼େଇଟାରେ ବବି ସେଠୀ ଓ ତାଙ୍କର ୨ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

image