19 November 2017
4:38:34 AM
Sambad News
ରାଜ୍ୟ

୩ ଘରୋଇ ଶିକ୍ଷାନୁଷ୍ଠାନ ପାଇବେ ବିଶ୍ୱବିଦ୍ୟାଳୟ ମାନ୍ୟତା

By Sambad | Date: Aug 19 2017 1:27AM
୩ ଘରୋଇ ଶିକ୍ଷାନୁଷ୍ଠାନ ପାଇବେ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର : ରାଜ୍ୟର ୩ଟି ଘରୋଇ ଶିକ୍ଷାନୁଷ୍ଠାନ ପାଇବେ ବିଶ୍ୱବିଦ୍ୟାଳୟ ମାନ୍ୟତା। ଏନେଇ ଆସିଥିବା ପ୍ରସ୍ତାବକୁ ବିଚାର କରିବା ପରେ ରାଜ୍ୟ ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି। ବିଧାନସଭା ଅଧିବେଶନରେ ଏ ସମ୍ପର୍କିତ ବିଲ୍‌ ଉପସ୍ଥାପିତ ହେବ। ବିଧାନସଭାରେ ବିଲ୍‌ ପାସ୍‌ ହେଲା ପରେ ସଂପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବିଧିବଦ୍ଧ ଭାବେ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବେ। 

ଭୁବନେଶ୍ୱରସ୍ଥିତ ଏସିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ ହେଲ୍‌ଥ(ଏଆଇପିଏଚ୍‌), ଏସିଆନ୍‌ ସ୍କୁଲ ଅଫ୍‌ ବିଜନେସ୍‌ ମ୍ୟାନେଜ୍‌ମେଣ୍ଟ(ଏଏସ୍‌ବିଏମ୍‌) ଏବଂ ଗୁଣୁପୁରସ୍ଥିତ ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ଜିଆଇଇଟି)କୁ ବିଶ୍ୱବିଦ୍ୟାଳୟ ସ୍ୱୀକୃତି ମିଳିଛି। ରାଜ୍ୟର ୧୨ଟି ଶିକ୍ଷାନୁଷ୍ଠାନ ବିଶ୍ୱବିଦ୍ୟାଳୟ ମାନ୍ୟତା ଲାଗି ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିଲେ। ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି, ଶିକ୍ଷାଦାନ ପ୍ରଣାଳୀକୁ ଯାଞ୍ଚ କରିବା ପରେ ରାଜ୍ୟ ସରକାର ତାହା ମଧ୍ୟରୁ ୩ଟିକୁ ସ୍ୱୀକୃତି ଦେଇଛନ୍ତି।
ବିଧାନସଭାରେ ବିଲ୍‌ ପାରିତ ହେବା ପରେ ଶିକ୍ଷାନୁଷ୍ଠାନଗୁଡ଼ିକ ବିଶ୍ୱବିଦ୍ୟାଳୟ ମାନ୍ୟତା ହାସଲ କରିବେ। ଏଆଇପିଏଚ୍‌ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,  ଏଏସ୍‌ବିଏମ୍‌ ଲାଗି ଉଚ୍ଚଶିକ୍ଷା ବିଭାଗ ଏବଂ ଜିଆଇଇଟି ଲାଗି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଧାନସଭାରେ ବିଲ୍‌ ଉପସ୍ଥାପନ କରାଯିବ। ଏବେ ରାଜ୍ୟରେ ୨୧ଟି ବିଶ୍ୱବିଦ୍ୟାଳୟ ରହିଛି। ସେଥିରୁ ୧୪ଟି ସରକାରୀ ବିଶ୍ୱବିଦ୍ୟାଳୟ ଥିବା ବେଳେ ୫ଟି ଘରୋଇ ଏବଂ ୨ଟି ଡିମ୍‌ଡ ବିଶ୍ୱବିଦ୍ୟାଳୟ ରହିଛି। ଉକ୍ତ ୩ଟିକୁ ସ୍ୱୀକୃତି ମିଳିବା ପରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ୨୪ରେ ପହଞ୍ଚିବ।

image