19 November 2017
4:37:44 AM
Sambad News
ରାଜ୍ୟ

ରାଜରାସ୍ତାରେ ରାତି କାଟୁଛନ୍ତି ଶିକ୍ଷକ, ଅଧ୍ୟାପକ : ୫ ହଜାର ସ୍କୁଲ୍‌, କଲେଜରେ ପାଠପଢ଼ା ଠପ୍‌

୭ ଲକ୍ଷ ପିଲାଙ୍କ କ୍ୟାରିୟର ସଙ୍କଟରେ

By Sambad | Date: Aug 18 2017 5:14AM
ରାଜରାସ୍ତାରେ ରାତି କାଟୁଛନ୍ତି ଶିକ୍ଷକ, ଅଧ୍ୟାପକ : ୫ ହଜାର ସ୍କୁଲ୍‌, କଲେଜରେ ପାଠପଢ଼ା ଠପ୍‌

ଭୁବନେଶ୍ୱର : ୬୬୨ କଲେଜରେ ପାଠପଢ଼ା ପୂରା ଠପ୍‌। ୪୮୮ କଲେଜରେ କାମଚଳା ଢଙ୍ଗରେ ଚାଲିଛି ପାଠପଢ଼ା। ୪ ହଜାର ସ୍କୁଲ୍‌ରେ ବି ଶିକ୍ଷାଦାନ ଭୀଷଣ ବାଧାପ୍ରାପ୍ତ। ପାଖାପାଖି ୭ ଲକ୍ଷ ଛାତ୍ରଛାତ୍ରୀଙ୍କ କ୍ୟାରିୟର ସଙ୍କଟରେ। କାରଣ ଏହି ସ୍କୁଲ୍‌, କଲେଜଗୁଡ଼ିକର ଶିକ୍ଷକ, ଅଧ୍ୟାପକ ହକ୍‌ ପାଇବା ପାଇଁ ରାଜଧାନୀ ରାସ୍ତାରେ ବସିଛନ୍ତି।  ଦାବି ପୂରଣ ନ ହେଲେ ଏଠାରୁ ଯିବେନି ବୋଲି ପଣ କରିଛନ୍ତି। ଏପଟେ ସାରା ରାଜ୍ୟରେ ଶିକ୍ଷାଦାନରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିବାରୁ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେଲାଣି। 
ରାଜ୍ୟରେ ଉଭୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷାର ଏହି ସଙ୍ଗୀନ୍‌ ସ୍ଥିତିକୁ ସରକାର ଏ ପର୍ଯ୍ୟନ୍ତ ବୁଝିପାରୁ ନାହାନ୍ତି। ଉଭୟ ବିଭାଗ ପକ୍ଷରୁ କୌଣସି ପ୍ରତିନିଧି ଦଳ ଏ ପର୍ଯ୍ୟନ୍ତ ଆନ୍ଦୋଳନରତ ଶିକ୍ଷକ, ଅଧ୍ୟାପକଙ୍କ ସହ ଆଲୋଚନା କରୁ ନାହାନ୍ତି। ସବୁ ଜାଣି ସମସ୍ତେ ନ ଜାଣିବା ପରି ଅଭିନୟ କରୁଛନ୍ତି। ଉଭୟ ବିଭାଗ ଯେପରି ସ୍ଥାଣୁ ପାଲଟିଯାଇଛି। ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଦାବି ସମ୍ପର୍କରେ ବିଚାର କରାଯାଉଛି ବୋଲି ଚିରାଚରିତ ମନ୍ତବ୍ୟ ଦେଇ ଦାୟିତ୍ୱ ଖସାଇଦେଇଛନ୍ତି। ଗୁଣାତ୍ମକ ଶିକ୍ଷାର ଡିଣ୍ଡିମ ପିଟୁଥିବା ରଜ୍ୟ ସରକାର ପିଲାଙ୍କ ଭବିଷ୍ୟତ କଥାକୁ ସମ୍ପୂର୍ଣ୍ଣ ପାସୋରି ଦେଇଛନ୍ତି। ଫଳରେ ଆଗାମୀ ଦିନରେ ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ଦେଖାଦେଇଛି। 
ବ୍ଲକଗ୍ରାଣ୍ଟ ଉଚ୍ଛେଦ ଦାବିରେ ଗତକାଲି ଠାରୁ ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ହଜାର ହଜାର ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଦିନରାତି ଖୋଲା ଆକାଶ ତଳେ ଧାରଣାରେ ବସିଛନ୍ତି। ଆଜି ଅପରାହ୍ନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାରୁ ପରିସ୍ଥିତି ଜଟିଳ ହୋଇପଡ଼ିଛି। ଧାରଣାରେ ବସିଥିବା ୫ ଜଣ ଶିକ୍ଷକ ଆଜି ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି।
ଆନ୍ଦୋଳନ ଯୋଗୁଁ ଛୁଟି ପରେ ସ୍କୁଲ୍‌ ଓ କଲେଜ ଖୋଲିବାର ଦୁଇ ମାସ ହୋଇଥିବା ବେଳେ ମାଲକାନଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ସବୁଠି ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ୧୧୦୦ରୁ ଅଧିକ କଲେଜରେ କେବଳ ଅଧ୍ୟକ୍ଷ ଏବଂ ଦୁଇ ତିନି ଜଣ କର୍ମଚାରୀଙ୍କୁ ଛାଡ଼ି କେହି କ୍ୟାମ୍ପସ୍‌ରେ ନାହାନ୍ତି। ଅଧ୍ୟାପକ ଆସୁ ନ ଥିବାରୁ ପିଲାମାନେ ବି ଧୀରେ ଧୀରେ କଲେଜ ଆସୁ ନ ଥିବା ଜଣାପଡ଼ିଛି। ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ବଲାଙ୍ଗିର, ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ, ଗଜପତି, କନ୍ଧମାଳ, କୋରାପୁଟ, କଳାହାଣ୍ଡି,  ମାଲକାନଗିରି ଜିଲ୍ଲାରେ ସମସ୍ୟା ଜଟିଳ ହେବାରେ ଲାଗିଛି। ଗୋଟିଏ ପଟେ କଲେଜଗୁଡ଼ିକରେ ପର୍ଯ୍ୟାପ୍ତ ଭିତ୍ତିଭୂମି ନ ଥିବା ବେଳେ ଏବେ ଅଧ୍ୟାପକଙ୍କ ଆନ୍ଦୋଳନ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରିଛି।
  
ଅନ୍ୟପକ୍ଷରେ ୪ ହଜାର ବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା। ପ୍ରାୟ ୪୦ ହଜାର ଶିକ୍ଷକ ଓ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିବାରୁ ପାଠପଢ଼ାରେ ବାଧା ଉପୁଜିଛି। ବିଦ୍ୟାଳୟର ଅର୍ଦ୍ଧାଧିକ ଶିକ୍ଷକ, କର୍ମଚାରୀ ଏବେ ଭୁବନେଶ୍ୱର ରାଜରାସ୍ତାରେ ହକ୍‌ ପାଇଁ ଲଢ଼ୁଛନ୍ତି। ସେପଟେ ପିଲାଙ୍କ ବସ୍ତାନିରେ ଡୋରି ବନ୍ଧା ହେଲାଣି। 
ସାରା ରାଜ୍ୟରେ ଦୁଇ ଦିନ ହେଲା ଏଭଳି ସ୍ଥିତି ଉପୁଜିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ କିମ୍ବା ସରକାରଙ୍କ ନିଦ ଭାଙ୍ଗୁନି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କିମ୍ବା ଉଚ୍ଚଶିକ୍ଷା ବିଭାଗର କେହି ବି ଶିକ୍ଷକଙ୍କ ସମସ୍ୟା ନେଇ ମୁହଁ ଖୋଲୁନାହାନ୍ତି। ଆମ ହାତରେ କିଛି ନାହିଁ। ଆଲୋଚନା କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ  କହୁଛନ୍ତି। ହେଲେ କେବେ ସୁଦ୍ଧା ଶିକ୍ଷକଙ୍କ ସମସ୍ୟାର ସମାଧାନ ହେବ, ଆଲୋଚନା କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।
ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆବାହକ ମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ପବିତ୍ର ମହାଲା, ଗୋଲକ ଚନ୍ଦ୍ର ନାୟକ କହିଛନ୍ତି ଯେ, ଖରା, ବର୍ଷାରେ ଶିକ୍ଷକ, ଅଧ୍ୟାପକମାନେ ରାତି କାଟୁଛନ୍ତି। ତଥାପି ଆଲୋଚନା କରାଯାଉ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ଘଟଣାରେ ହସ୍ତକ୍ଷେପ କରନ୍ତୁ। ନ ହେଲେ ଆଗାମୀ ଦିନରେ ଯେଉଁ ଭୟଙ୍କର ସ୍ଥିତି ଉପୁଜିବ ସେଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି ସେମାନେ କଡ଼ା ଚେତାବନୀ ଦେଇଛନ୍ତି।

image