17 October 2017
10:27:47 PM
Sambad News
ରାଜ୍ୟ

ସୁବର୍ଣ୍ଣରେଖାରେ ତୃତୀୟ ବନ୍ୟା : ବାଲିଆପାଳ ବ୍ଲକ୍‌ର ୧୦ ଗାଁ ବୁଡ଼ିଲା

By Sambad | Date: Aug 7 2017 11:03PM
ସୁବର୍ଣ୍ଣରେଖାରେ ତୃତୀୟ ବନ୍ୟା : ବାଲିଆପାଳ ବ୍ଲକ୍‌ର ୧୦ ଗାଁ ବୁଡ଼ିଲା

ବାଲିଆପାଳ : ସୁବର୍ଣ୍ଣରେଖାରେ କେଇଟା ଦିନ ମଧ୍ୟରେ ଦୁଇ ଦୁଇଥର ବନ୍ୟା ଆସିଛି। ତେବେ ସ୍ଥିତି ସୁଧୁରୁଥିବା ବେଳେ ପୁଣି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍‌କୁ ବନ୍ୟା ଭସାଇଛି। ଆଜି ରାକ୍ଷୀ ପୂର୍ଣ୍ଣିମା ଅବସରରେ ଘରେ ଘରେ ପିଠାପଣା ତିଆରି ସହ ଆନନ୍ଦର ମାହୋଲ୍‌ ଥିବା ବେଳେ ସବୁ ଖୁସିକୁ ବନ୍ୟା ପାଣି ଧୋଇନେଇଛି।
 
ଝାଡ଼ଖଣ୍ଡର ଗାଲୁଡ଼ିହ ଡ୍ୟାମ୍‌ରୁ ୭୨ ହଜାର କ୍ୟୁସେକ୍‌ ବନ୍ୟାଜଳ ଛଡ଼ାଯାଇଛି। ଫଳରେ ରବିବାର ରାତିରୁ ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ି ବ୍ଲକ୍‌ରେ ଚଳିତ ବର୍ଷ ତୃତୀୟ ଥର ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସଂଧ୍ୟା ସୁଦ୍ଧା ବ୍ଲକ୍‌ର ପାଞ୍ଚଟି ପଞ୍ଚାୟତର ୧୦ରୁ ଅଧିକ ଗାଁରେ ବନ୍ୟାଜଳ ପ୍ରବେଶ କରିଥିବା ଜଣାପଡ଼ିଛି। 
 
ସୁବର୍ଣ୍ଣରେଖା ନଦୀର ବିପଦ ସଂକେତ ୧୦.୩୬ ମିଟର ଥିବା ବେଳେ ଗତକାଲି ରାତିରେ ରାଜଘାଟଠାରେ ଜଳସ୍ତର ସତର୍କ ସଙ୍କେତ ୯.୪୫ ମିଟର ଉପରେ ପ୍ରବାହିତ ହେଉଥିଲା। ତେବେ ଆଜି ସକାଳ ସୁଦ୍ଧା ନଦୀଜଳ ୧୦.୦୧ ମିଟରରେ ପହଂଚିବା ସହ ଅପରାହ୍ନରେ ଜଳସ୍ତର କମି ୯.୭୦ ମିଟରରେ ପ୍ରବାହିତ ହେଉଛି। ଫଳରେ ନଦୀର ତଳମୁଣ୍ଡରେ ଥିବା ଅସ୍ତି, ବାଲିଆପାଳ, ବିଷ୍ଣୁପୁର, ମଧୁପୁରା, ଜାମକୁଣ୍ଡା ପ୍ରଭୃତି ୫ଟି ପଞ୍ଚାୟତର ୧୦ରୁ ଅଧିକ ଗ୍ରାମର ଜଳମଗ୍ନ ହୋଇଛି। 
 
ଅସ୍ତି ପଞ୍ଚାୟତର ପାଳଚମ୍ପେଇ, ଚଡ଼ବଢ଼ପାଳ, ସୁର୍ଯ୍ୟାପୁର, କୁଦମାନସିଂ, ସୁଙ୍ଗମୁହଁ, ରାଉତୁରାପୁର, ଆଠବାଟିଆ, ବିଷ୍ଣୁପୁର, ରସଲପୁର, ପାଳଜାମକୁଣ୍ଡା, ଚୌଧୁରୀକୁଦ, ଚରବସ୍ତ ପ୍ରଭୃତି ଗ୍ରାମରରେ ବନ୍ୟାଜଳ ପଶିଛି। ବିଷ୍ଣୁପୁର ରାସ୍ତାର ତହସିଲ ପାଖ ଚଟାଣ ଓ ଚୌଧୁରୀକୁଦ ଚରବସ୍ତ ଚଟାଣ ଉପରେ ୨ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଚଡ଼କୁଦମାନସିଂ, ରାଉତୁରାପୁର,  ପାଳଚମ୍ପେଇ ପ୍ରଭୃତି ଗ୍ରାମର ଲୋକଙ୍କୁ ଯାତାୟତ ପାଇଁ ଦେଶୀ ଡଙ୍ଗାର ସାହାରା ନେବାକୁ ପଡ଼ିଛି। ଅଣ୍ଟା ସଳଖି ଚାଷକାମ ଆରମ୍ଭ କରିଥିବା ଚାଷୀମାନେ ଆଜି ଆସିଥିବା ବନ୍ୟା ପରେ ମୁଣ୍ଡରେ ହାତ ଦେଇଛନ୍ତି। ଅନ୍ୟପଟେ ବନ୍ୟାର ପ୍ରଭାବ ସେତେଟା ଦେଖିବାକୁ ମିଳିବ ନାହିଁ ବୋଲି ବିଡିଓ ମିନତି ଜଗଦେବ କହିଛନ୍ତି। 
 
ସୂଚନାଯୋଗ୍ୟ; ଗତ ମାସରେ ସୁବର୍ଣ୍ଣରେଖା ନଦୀରେ ଦୁଇ ଦୁଇଥର ବନ୍ୟା ଆସିଥିଲା। ଫଳରେ ବାଲିଆପାଳ ବ୍ଲକ୍‌ର ୧୩ଟି ପଞ୍ଚାୟତ ଅଧୀନ ୪୦ ଗ୍ରାମର ୫୦ ହଜାରରୁ ଅଧିକ ଲୋକେ ପ୍ରଭାବିତ ହୋଇଥିଲେ। ସେହିପରି ଶହ ଶହ ଏକର ଧାନ ଓ ପନିପରିବା ଚାଷ ନଷ୍ଟ ହୋଇଥିଲା। 

image