24 November 2017
5:13:27 AM
Sambad News
ରାଜ୍ୟ

ପୁରୀ ଆଇନଜୀବୀ ହତ୍ୟା ମାମଲା : ରହସ୍ୟ ଘନେଇଲା

୩ ଗିରଫ, ମାରଣାସ୍ତ୍ର ଜବତ

By Sambad | Date: Jan 12 2017 5:14AM
ପୁରୀ ଆଇନଜୀବୀ ହତ୍ୟା ମାମଲା : ରହସ୍ୟ ଘନେଇଲା

ପତ୍ନୀଙ୍କ ସମେତ ୧୦ ଜଣଙ୍କୁ ପଚରାଉଚରା
 
ପୁରୀ/ବଳଙ୍ଗା  : ଆଇନଜୀବୀ ତଥା ହୋଟେଲ ମାଲିକ ଚନ୍ଦନ ବେହେରା ହତ୍ୟାକାଣ୍ଡରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଗତକାଲି ରାତିରେ ପୁଲିସ ବଳଙ୍ଗା ଥାନା ଅନ୍ତର୍ଗତ କେତକୀପାଟଣା ଅଞ୍ଚଳରୁ ଗିରଫ କରିଛି।  ଏହି ତିନି ଜଣ ହେଲେ କୁମ୍ଭାରପଡ଼ା ଥାନା ନରେନ୍ଦ୍ରକୋଣସ୍ଥିତ ବ୍ରହ୍ମା ଜାଗାର କପିଳେଶ୍ୱର ଭୋଇ ଓରଫ କପିଳା, ରେଡ୍‌କ୍ରସ ରୋଡ୍‌ର ବାସୁଦେବ ଭଟ୍ଟ ଓରଫ ଜଗା ଏବଂ ବାରବାଟି ଖଣ୍ଡିଆବନ୍ଧର ବ୍ରଜକିଶୋର ଭୋଇ ଓରଫ ବରଜୁ। ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି। ଏହି ତିନି ଜଣ ଚନ୍ଦନଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିଲେ ମଧ୍ୟ ହତ୍ୟା ପଛର କାରଣ ଏବେ ବି ସ୍ପଷ୍ଟ ହୋଇନାହିଁ। ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ ଏ ନେଇ ଭିନ୍ନ ଭିନ୍ନ କାରଣ ଦର୍ଶାଇ ଥିବାରୁ ହତ୍ୟା ରହସ୍ୟ ଅଧିକ ଘନୀଭୂତ ହୋଇଛି। 
 
ଗିରଫ ଅଭିଯୁକ୍ତମାନେ ଚନ୍ଦନଙ୍କଠାରୁ ମାସିକିଆ ପାଉଣା ନ ପାଇବାରୁ ଏବଂ ଚନ୍ଦନ ସେମାନଙ୍କୁ ଚାକିରିରୁ ତଡ଼ି ଦେବାରୁ ରାଗରେ ସେମାନେ ଚନ୍ଦନଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ କହିଛନ୍ତି। ତେବେ ହୋଟେଲର ଜମିଜମାକୁ ନେଇ ରହିଥିବା ବିବାଦ କିମ୍ବା ଚନ୍ଦନଙ୍କ ପାରିବାରିକ ବିବାଦ ମଧ୍ୟ ହତ୍ୟାକାଣ୍ଡର ଏକ କାରଣ ହୋଇପାରେ ବୋଲି ପୁଲିସ ସନ୍ଦେହ କରୁଛି।  ତେଣୁ ଚନ୍ଦନଙ୍କ ପତ୍ନୀ ନିବେଦିତାଙ୍କ ସମେତ ହୋଟେଲ କର୍ମଚାରୀ କୃଷ୍ଣଚନ୍ଦ୍ର, ଡ୍ରାଇଭର, ହୋଟେଲ ମ୍ୟାନେଜର ଓ ରୋଷେୟାଙ୍କୁ ମିଶାଇ ପ୍ରାୟ ଦଶ ଜଣଙ୍କୁ ପଚରାଉଚରା କରାଯାଉଛି ବୋଲି  ଏସ୍‌ପି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। 
 
ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଚନ୍ଦନଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀମାନେ ଏକ ନମ୍ବର ବିହୀନ ଗାଡ଼ିରେ ଫେରାର ହୋଇଯାଇଥିଲେ। ପ୍ରଥମେ ସେମାନେ ନାରୀ ସେବା ସଦନ ନିକଟକୁ ଯାଇ ସେଠାରେ ନାଳ ତଳେ ଦୁଇଟି ଖଣ୍ଡା ଲୁଚାଇଥିଲେ। ଏହା ପରେ ବଳିଆପଣ୍ଡାସ୍ଥିତ ସି ସାଇନ ହୋଟେଲ୍‌କୁ ଯାଇ ସେଠାରେ ଗୋଟିଏ ଦେଶୀ ପିସ୍ତଲ, ୬ଟି ଅଫୁଟା ଗୁଳି ଓ ଗୋଟିଏ ଭୁଜାଲି ଲୁଚାଇଥିଲେ। ଏହାପରେ ସେମାନେ ନିଜ ନିଜର ମୋବାଇଲ୍‌ ଫୋନ୍‌କୁ ସୁଇଚ୍‌ ଅଫ୍‌ କରି ଉକ୍ତ ଗାଡ଼ିରେ ରୁଆସ୍ଥିତ କପିଳାର ପିଉସୀ  ଘରକୁ ଯାଇଥିଲେ। ସେଠାରେ ଦୁଇ ଚାରି ଘଣ୍ଟା ରହିବା ପରେ ନିଜକୁ ଅସୁରକ୍ଷିତ ମନେ କରି ସେଠାରୁ କେତକୀପାଟଣାକୁ ଚାଲିଯାଇଥିଲେ। କେତକୀପାଟଣାର ପଦ୍ମପୁର ନିବାସୀ ପ୍ରଫୁଲ୍ଲ ବେହେରାଙ୍କ ଘରୁ ଏହି ତିନି ଜଣଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଛି। ସେମାନଙ୍କୁ ପୁରୀକୁ ଆଣି ପୁଲିସ ପଚରା ଉଚରା କରିବାରେ ସେମାନେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସ୍ୱୀକାର କରିଛନ୍ତି। 
 
ମାମଲାର ଅଭିଯୋଗକାରୀ କୃଷ୍ଣଚନ୍ଦ୍ର ପ୍ରଧାନ ହତ୍ୟାକାଣ୍ଡରେ ଦୁଇ ଜଣ ସମ୍ପୃକ୍ତ ଥିବା ଦର୍ଶାଇବା ପରେ ପୁଲିସ କ୍ଲୋଜ ସର୍କିଟ କ୍ୟାମେରାର ଫୁଟେଜକୁ ଦେଖି ଏଥିରେ କପିଳା, ଜଗା ଓ ବରଜୁ ସମ୍ପୃକ୍ତ ରହିଥିବା ନିଶ୍ଚିତ ହେବା ପରେ ସେମାନଙ୍କ ମୋବାଇଲକୁ ଟ୍ରାକିଂ କରି ଧରିଥିଲା। ତେବେ କ୍ଲୋଜ ସର୍କିଟ୍‌ କ୍ୟାମେରାର ଫୁଟେଜରୁ ଏହି ହତ୍ୟାକାଣ୍ଡ ଘଟଣାରେ ଆଉ ଦୁଇ ଜଣ ସମ୍ପୃକ୍ତ ରହିଥିବା ଜଣାପଡ଼ିଥିଲା। ସେମାନେ ହତ୍ୟାକାଣ୍ଡ ପରେ ପରେ ଖୁସି ରେଷ୍ଟୁରାଣ୍ଟ ସମ୍ମୁଖରେ ଏପାଖ ସେପାଖ ହୋଇ ଚନ୍ଦନ ମୃତ୍ୟୁବରଣ କରିଥିବା ନିଶ୍ଚିତ ହୋଇଥିଲେ। ଏହି ତିନି ଜଣଙ୍କୁ ମଣିମହାସୁଆର ବଗିଚାରେ ରହୁଥିବା ଲିଟୁ ଦାସ ପଠାଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେଣୁ ପୁଲିସ ଲିଟୁକୁ ମଧ୍ୟ ତଦନ୍ତ ଘେରକୁ ଆଣିଥିବା ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ଡ. ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।
 
ସେହିପରି ଛପନ ଛକର କାଳୁ ଓରଫ ପ୍ରଦୀପ ଦାସ ମଧ୍ୟ ଏହି ହତ୍ୟାକାଣ୍ଡରେ ପରୋକ୍ଷରେ ସମ୍ପୃକ୍ତ ଥିବା ନେଇ ଚର୍ଚ୍ଚା ହେଉଛି। ପୁଲିସ ନାରୀ ସେବା ସଦନ ନିକଟସ୍ଥ ନାଳ ଭିତରୁ ଦୁଇଟି ଖଣ୍ଡା ଓ ସି ସାଇନ ଆପାର୍ଟମେଣ୍ଟ ନିକଟରୁ ଗୋଟିଏ ଭୁଜାଲି ଓ ପିସ୍ତଲ ଓ ଗୁଳି ଜବତ କରିଛି । ଆସନ୍ତାକାଲି ଏହି ତିନି ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଡ. ଷଡ଼ଙ୍ଗୀ କହିଛନ୍ତି। ଅନ୍ୟପକ୍ଷରେ ହତ୍ୟାକାଣ୍ଡ ପଛରେ ଅନ୍ୟ ଜଣେ ଯୁବତୀଙ୍କ ସଂପୃକ୍ତି ନେଇ ମଧ୍ୟ ଚର୍ଚା ହେଉଛି। ଏହାଛଡ଼ା ରାଉରକେଲାରେ ଚନ୍ଦନଙ୍କ ପରିବାର ରହୁଥିବାରୁ ପୁରୀ ପୁଲିସ୍‌ର ଏକ ଟିମ୍‌ ଅଧିକ ତଦନ୍ତ ପାଇଁ ସେଠାକୁ ଯାଇଛି।

image