23 October 2017
12:32:59 AM
Sambad News
ରାଜ୍ୟ

ଏମିତି ଚାଲିଛି ଯୋଜନାର କାର୍ଯ୍ୟକାରିତା : ଛାତ୍ରୀନିବାସ ନିର୍ମାଣରେ ଫେଲ୍‌

By Sambad | Date: Jan 12 2017 1:21AM
ଏମିତି ଚାଲିଛି ଯୋଜନାର କାର୍ଯ୍ୟକାରିତା : ଛାତ୍ରୀନିବାସ ନିର୍ମାଣରେ ଫେଲ୍‌

ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରେ ପଛୁଆ ବ୍ଲକ(ଇବିବି)ଗୁଡ଼ିକର ବିକାଶ ଲାଗି ଯୋଜନା ପରେ ଯୋଜନା ହେଉଛି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହାକୁ ପ୍ରାଥମିକତା ଦେଉଥିବା ଦାବି କରୁଛନ୍ତି। କେତେବେଳେ ସାକ୍ଷରତା ହାର ବୃଦ୍ଧି ଲାଗି ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି ତ ଆଉ କେତେବେଳେ ସାକ୍ଷରତା ହାର ବୃଦ୍ଧି ପାଇଁ ମାଗଣା ସାଇକେଲ୍‌ ବଣ୍ଟନ ହେଉଛି। ହେଲେ ଏଭଳି ଯୋଜନାଗୁଡ଼ିକ କିଭଳି କାର୍ଯ୍ୟକାରୀ ହେଉଛି ତାହା ଏବେ ପଦାକୁ ଆସିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ(ରାମ୍‌ସା) ମାଧ୍ୟମରେ ଇବିବିଗୁଡ଼ିକରେ ୧୭୩ଟି ଛାତ୍ରୀନିବାସ ଲାଗି ଯେଉଁ ଅର୍ଥ ମଞ୍ଜୁର ହୋଇଥିଲା,  ଦୁଇ ବର୍ଷ  ପରେ ମଧ୍ୟ ସେସବୁର ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ। ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ମନ୍ତ୍ରାଳୟ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ରଞ୍ଜନା ଚୋପ୍ରାଙ୍କୁ ନିର୍ଦେଶ ଦିଆଯାଇଛି।
 
ରାମ୍‌ସା ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ମଞ୍ଜୁରପ୍ରାପ୍ତ ୧୭୩ଟି ଛାତ୍ରୀନିବାସ ମଧ୍ୟରୁ   ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ ୧୬୨ଟି ଅନୁମୋଦିତ ହୋଇଥିଲା। ଅନ୍ୟ ଜିଲ୍ଲାଗୁଡ଼ିକ ଲାଗି ମାତ୍ର ୧୧ଟି ଛାତ୍ରୀନିବାସ ରହିଥିଲା। ଏହି ଛାତ୍ରୀନିବାସଗୁଡ଼ିକରେ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ରହିବା ଲାଗି ବ୍ୟବସ୍ଥା ହୋଇଥିଲା। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ବିପିଏଲ୍‌ ପରିବାର ଛାତ୍ରୀଙ୍କୁ ଏଥିରେ ରହିବାକୁ ଯୋଜନା ରହିଛି। ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ ମଞ୍ଜୁର ହୋଇଥିବା ଛାତ୍ରୀନିବାସ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ନିର୍ଦେଶ ଦିଆଯାଇଥିଲା। ଦୁଇ ବର୍ଷ ବିତିଲାଣି। ୧୭୩ଟି ଛାତ୍ରୀନିବାସ ମଧ୍ୟରୁ ମାତ୍ର ୪ଟିର କାର୍ଯ୍ୟ ଶେଷ ହୋଇଛି। ୧୧୭ଟିର କାର୍ଯ୍ୟ ଏବେ ବି ଜାରି ରହିଛି। 
 
ସବୁଠାରୁ ବଡ଼ କଥା ହେଉଛି ଯେ ବର୍ତମାନ ପର୍ଯ୍ୟନ୍ତ ୫୨ଟି ଛାତ୍ରୀନିବାସ ଲାଗି ଇଟା ଖଣ୍ଡେ ବି ପଡ଼ିନାହିଁ। ମାଓ ପ୍ରଭାବିତ ଗଜପତିିି, ଗଞ୍ଜାମ, କେନ୍ଦୁଝର. କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ନୟାଗଡ଼, କନ୍ଧମାଳ, ଦେବଗଡ଼, ଯାଜପୁର, ଢେଙ୍କାନାଳ, କଳାହାଣ୍ଡି, ନୂଆପଡ଼ା, ବରଗଡ଼ ଏବଂ ବଲାଙ୍ଗୀର ଜିଲ୍ଲା ପାଇଁ ମଞ୍ଜୁର ହୋଇଥିବା ଛାତ୍ରୀନିବାସ ମଧ୍ୟରୁ ଗୋଟିଏ କାର୍ଯ୍ୟ ବି ଶେଷ ହୋଇ ନାହିଁ। ଉକ୍ତ ୧୯ଟି ଜିଲ୍ଲାକୁ ଛାଡ଼ି ଅନ୍ୟ ଜିଲ୍ଲାଗୁଡ଼ିକରେ ୪ଟିର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇନାହିଁ। ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ହଷ୍ଟେଲ ନିର୍ମାଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କର କେତେ ଆନ୍ତରିକତା ରହିଛି।   ବିଭାଗୀୟ ଅଧିକାରୀଙ୍କ ଇଚ୍ଛାଶକ୍ତି ଅଭାବରୁ ବାରମ୍ବାର ଏଭଳି ସମସ୍ୟା ଉପୁଜୁଛି। ଯେଉଁଥିପାଇଁ ଅନେକ ସମୟରେ କେନ୍ଦ୍ର ପକ୍ଷରୁ ମିଳିଥିବା ଅର୍ଥ ପୁଣିଥରେ ଫେରିଯାଉଛି।  
 
ଗଣଶିକ୍ଷା ବିଭାଗ ସଚିବ ଶ୍ରୀମତି ଚୋପ୍ରା ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଅଧୀନ ସ୍ମଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପକ୍ଷରୁ କୁହାଯାଇଛି। ଯେତେଶୀଘ୍ର ସମ୍ଭବ ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଛାତ୍ରୀନିବାସ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।

image