23 October 2017
7:03:40 PM
Sambad News
ରାଜ୍ୟ

କାନ୍ଧରେ ୧୦ କିଲୋମିଟର ବୋହିଲେ ପତ୍ନୀଙ୍କ ଶବ

By Sambad | Date: Aug 25 2016 6:10AM
କାନ୍ଧରେ ୧୦ କିଲୋମିଟର ବୋହିଲେ ପତ୍ନୀଙ୍କ ଶବ

 କଳାହାଣ୍ଡି: ସ୍ତ୍ରୀ ମରିଯିବା ପରେ ତାକୁ ଘରକୁ ନେବା ପାଇଁ କୌଣସି ଗାଡ଼ି ରାଜି ହେଲେ ନାହିଁ।  ଯିଏ ରାଜି ହେଲେ, ସେମାନେ ଏତେ ଟଙ୍କା କହିଲେ ଯେ ତାହା ଦେବା ସମ୍ଭବ ନ ଥିଲା।ଏପରିକି ଆମ୍ବୁଲାନ୍ସ ମଧ୍ୟ ଆସିଲା ନାହିଁ। ଯେଉଁ ସ୍ତ୍ରୀ ହାତ ଧରି ବାହା ହୋଇଥିଲେ, ତାଙ୍କ ମୃତଦେହର ଏପରି ହୀନିମାନିଆ ଅବସ୍ଥାକୁ ସହ୍ୟ କରି ପାରିଲେ ନାହିଁ ସ୍ୱାମୀ। ଶେଷରେ ସ୍ତ୍ରୀଙ୍କ ମୃତ ଦେହକୁ କାନ୍ଧରେ ବୋହି ଘର ଆଡ଼େ ଚାଲିଲେ। ଏହା କୌଣସି ଏକ ସିନେମାର କାହାଣୀ ନୁହେଁ। ଭବାନୀପାଟଣା ସହରର ଏହିପରି ଏକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଅବଶ୍ୟ ଶେଷରେ ଜିଲ୍ଲା ପ୍ରଶାସନର କୁମ୍ଭକର୍ଣ୍ଣ ନିଦା ଭାଙ୍ଗିଛି। କିନ୍ତୁ , ସେତେବେଳକୁ ସ୍ୱାମୀ ଦାନମାଝି ସ୍ତ୍ରୀ ଅମଙ୍ଗଦେଈ ମାଝିଙ୍କ ମୃତଦେହକୁ କାନ୍ଧରେ ବୋହି ୧୦ କିଲୋମିଟର ରାସ୍ତା ଯାଇ ସାରିଥିଲେ।
 ସୂଚନା ଯୋଗ୍ୟ ଯେ ଥୁଆମୂଳ ରାମପୁର ବ୍ଲକ୍‌ର ମେଲଘର ଗାଁର ଦାନମାଝିଙ୍କ ସ୍ତ୍ରୀ ଅମଙ୍ଗଦେଈ ମାଝି(୩୫ ବର୍ଷ)ଙ୍କର ଦେହ ଖରାପ ଯୋଗୁଁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଗତକାଲି ଭର୍ତ୍ତି କରାଯାଇଥିଲା। ସେଠାରେ ଗତକାଲି ରାତିରେ ଅମଙ୍ଗଦେଈଙ୍କର ମୃତ୍ୟୁ ଘଟିଥିଲା। ଅତ୍ୟନ୍ତ ଗରିବ ଦାନ ମାଝି ସ୍ତ୍ରୀଙ୍କ ଶବ ଗାଁକୁ ନେବା ପାଇଁ କେତେ ଲୋକଙ୍କୁ ନେହୁରା ହେଲେ। ମାତ୍ର କେହି ସାହାଯ୍ୟ କଲେ ନାହିଁ। ଶବବୁହା ଗାଡ଼ି ଯେତିକି ଟଙ୍କା ମାଗିଲେ, ତାହା ଦେବା ଦାନଙ୍କ ପକ୍ଷେ ସହଜ ନ ଥିଲା। ଶେଷରେ ସ୍ତ୍ରୀ ଅମଙ୍ଗଦେଈଙ୍କ ଶବକୁ କାନ୍ଧରେ ବୋହି ଦାନ ନିଜର ଦୁଇ ନାବାଳିକା ଝିଅଙ୍କ ସହିତ ଗାଁ ଅଭିମୁଖେ ଚାଲିଲେ। ତେବେ ଏହି କଥା ପ୍ରଚାର ହେବା ପରେ ଜିଲ୍ଲାପ୍ରଶାସନ ଏକ ଗାଡ଼ି ପଠାଇ ଅମଙ୍ଗଦେଈଙ୍କ ଶବକୁ ଗାଁକୁ ପଠାଇବାର ବ୍ୟବସ୍ଥା କରିଥିଲେ। ମାତ୍ର ଜିଲ୍ଲାପ୍ରଶାସନ ଚେତିଲା ବେଳକୁ ଅମଙ୍ଗଦେଈଙ୍କ ମୃତଦେହକୁ କାନ୍ଧରେ ବୋହି ଦାନ ମାଝି ୧୦ କିଲୋମିଟର ରାସ୍ତା ପାର ହୋଇ ସାରିଥିଲେ।

image