18 October 2017
11:56:46 PM
Sambad News
ଖେଳ

ବାରବାଟୀ ବୁଲିଲେ ପୁଲିସ କମିସନର

ଗ୍ୟାଲେରୀ ଦର୍ଶକଙ୍କୁ ଦିଆଯିବ ଆଉଟ୍‌ ପାସ୍‌, ଷ୍ଟାଡିୟମରେ ଲାଗିବ ୨୨ ମୋବାଇଲ ଟଏଲେଟ

By Sambad | Date: Jan 12 2017 1:05AM
ବାରବାଟୀ ବୁଲିଲେ ପୁଲିସ କମିସନର

କଟକ: ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମ୍ୟାଚ୍‌ ଆଉ ୭ ଦିନ ବାକିଥିଲା ବେଳେ ବୁଧବାର ପ୍ରସ୍ତୁତି ପର୍ଯ୍ୟାୟର ସମୀକ୍ଷା କରିଛନ୍ତି ପୁଲିସ କମିସନର ଯୋଗେସ ବାହାଦୂର ଖୁରାନିଆ। କମିସନରଙ୍କ ସହିତ ଡିସିପି, ସମସ୍ତ ଏସିପି ଓ ଅନ୍ୟାନ୍ୟ ପୁଲିସ ଅଧିକାରୀମାନେ ଗ୍ୟାଲେରୀଗୁଡ଼ିକରେ ଦିଆଯାଉଥିବା ସୁବିଧା ସୁଯୋଗ ଓ ମ୍ୟାଚ୍‌ ବେଳେ ଗ୍ୟାଲେରୀରେ ସ୍ୱଭାବିକ୍‌ ଭାବେ ଖାଦ୍ୟ ଓ ପାନୀୟ ପରିଚାଳନା କରାଯିବା ଉପରେ ଓସିଏ ସଦସ୍ୟ ଓ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଗ୍ୟାଲେରୀ ଦର୍ଶକଙ୍କୁ ଆଉଟ ପାସ୍‌ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ମ୍ୟାଚ୍‌ ଅଧାରେ ଯଦି କେହି ଗ୍ୟାଲେରୀ ବାହାରକୁ ଯିବାକୁ ଚାହେଁ ତାହେଲେ ଆଉଟ ପାସ୍‌ ଦେଖାଇ ବାହାରକୁ ଯାଇପାରିବ। ଫେରିଲା ବେଳେ ଉଭୟ ଟିକଟ ଓ ପାସ୍‌କୁ ଗେଟ୍‌ ପାଖରେ ଦେଖାଇ ଭିତରେ ପ୍ରବେଶ କରିହେବ।

କେବଳ ଥରେ ଜଣେ ଦର୍ଶକ ଗ୍ୟାଲେରୀ ବାହାରକୁ ଯାଇପାରିବ ବୋଲି କୁହାଯାଇଛି। ଗ୍ୟାଲେରୀରେ ପର୍ଯ୍ୟାପ୍ତ ପରିମାଣର ଟଏଲେଟ ବ୍ୟବସ୍ଥା ନଥିବାରୁ ଦର୍ଶକମାନଙ୍କ ସୁବିଧା ଦୃଷ୍ଟିରୁ ସେମାନଙ୍କୁ ବାହାରକୁ ଯିବା ପାଇଁ ଅନୁମତି ଦିଆଯିବା ଉଚିତ ବୋଲି କମିସନର ଓସିଏ ସଦସ୍ୟଙ୍କୁ କହିଥିଲେ। ଏହାଛଡା ଖାଇବା, ପିଇବା ଓ ଟିକେ ବିଶ୍ରାମ ନେବାକୁ ଦର୍ଶକମାନେ ବିରତି ସମୟରେ ନିଜ ଆସନ ଛାଡିପାରିବେ। ଗ୍ୟାଲେରୀରେ ଯେତିକି ଟଏଲେଟ ଅଛି ସେଥିରେ ଗୋଟିଏ ସମୟରେ ପରିସ୍ରା ଯିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ଦର୍ଶକଙ୍କୁ ଗ୍ୟାଲେରୀ ବାହାରକୁ ଯିବା ପାଇଁ ବ୍ୟବସ୍ଥା କରିବାକୁ ଓସିଏକୁ କୁହାଯାଇଛି। ଖୁବ୍‌ଶୀଘ୍ର ଗ୍ୟାଲେରୀ ଦର୍ଶକଙ୍କ ପାଇଁ ପାସ୍‌ ଛପା କାର୍ଯ୍ୟ ଆରମ୍ଭ କରିବାକୁ ଓସିଏ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। କେବଳ ୧ରୁ ୭ ନମ୍ବର ପର୍ଯ୍ୟନ୍ତ ଗ୍ୟାଲେରୀ ଓ ୨ ବ୍ଲକ୍‌ର ସ୍ପେଶାଲ ଏନ୍‌କ୍ଲୋଜୋର ପାଇଁ ଆଉଟ ପାସ୍‌ ଛପାଯିବ। ବିଭିନ୍ନ ଗ୍ୟାଲେରୀ ପାଇଁ ଭିନ୍ନଭିନ୍ନ ରଙ୍ଗର ପାସ୍‌ ଦିଆଯିବ। ମ୍ୟାଚ୍‌ ଦିନ ଗେଟ୍‌ ପାଖରେ ଦର୍ଶକମାନଙ୍କୁ ପାସ୍‌ ଯୋଗାଇ ଦିଆଯିବ ବୋଲି ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ସୂଚନା ଦେଇଛନ୍ତି। ସେହିପରି ଗ୍ୟାଲେରୀ ଗୁଡିକରେ ସିଏମ୍‌ସି ପକ୍ଷରୁ ମୋବାଇଲ ଟଏଲେଟ ବ୍ୟବସ୍ଥା କରାଯିବାକୁ କମିସନର ପରାମର୍ଶ ଦେଇଛନ୍ତି।

ଉପସ୍ଥିତ ଥିବା ସିଏମ୍‌ସି ସ୍ୱାସ୍ଥ୍ୟ ସମିତି ଅଧ୍ୟକ୍ଷ ରଂଜନ ବିଶ୍ୱାଳଙ୍କୁ ୨୨ ମୋବାଇଲ ଟଏଲେଟ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯିବାକୁ କୁହାଯାଇଛି।  ଗ୍ୟାଲେରୀ ଅନୁଧ୍ୟାନ ପରେ ସିସି କ୍ୟାମେରାର ସ୍ଥିତି ଓ ସେଗୁଡିକର କାର୍ଯ୍ୟକାରିତା ଉପରେ କମିସନର ଯାଞ୍ଚ କରିଥିଲେ। କଣ୍ଟ୍ରୋଲ ରୁମ୍‌ରୁ କ୍ୟାମେରା ଗୁଡିକର ଦୃଶ୍ୟ ଦେଖିବା ପରେ ଅଧିକ ପିଟିଜେଡ୍‌ କ୍ୟାମେରା ଲଗାଯିବା ଉପରେ କମିସନର ପରାମର୍ଶ ଦେଇଛନ୍ତି। ଗ୍ୟାଲେରୀକୁ ଦର୍ଶକଙ୍କୁ ଛଡାଯିବା ସମୟରେ ଭିଡ ନିୟନ୍ତ୍ରଣ ପାଇଁ ଅତିରିକ୍ତ ଅଥବା ଜରୁରିକାଳୀନ ଗେଟ୍‌କୁ ଖୋଲାଯାଇପାରିବ। ପିଇବା ପାଣି ଯୋଗାଇଦେବାକୁ ଘରୋଇ ସଂସ୍ଥାଙ୍କୁ ଦାୟିତ୍ୱ ଦିଆଯାଇଛି। ନିଜସ୍ୱ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ଦର୍ଶକମାନଙ୍କୁ କାଗଜ ଗ୍ଲାସରେ ପାଣି ପିଇବାକୁ ଦିଆଯିବ ବୋଲି କୁହାଯାଇଛି। ଷ୍ଟାଡିୟମ ଭିତରେ ଅନ୍ୟ ଯାହା ଛୋଟ କାମ ରହିଛି, ସେଗୁଡିକୁ ଶୀଘ୍ର ଶେଷ କରିବାକୁ ଓସିଏ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

image