21 November 2017
12:26:24 AM
Sambad News
ରାଜ୍ୟ

ଭିସୁଟ୍‌ ଛାତ୍ରଙ୍କ କମାଲ : ୧୫ ଶହ ଟଙ୍କାରେ ପହ୍ଲାରୁଆ ମେସିନ

By Sambad | Date: Feb 24 2017 10:16PM
ଭିସୁଟ୍‌ ଛାତ୍ରଙ୍କ କମାଲ : ୧୫ ଶହ ଟଙ୍କାରେ ପହ୍ଲାରୁଆ ମେସିନ

ସମ୍ବଲପୁର : ସବୁବେଳେ କିଛି ନୂଆ କରିବା ପାଇଁ ଚେଷ୍ଟା ଚଲାଇଛନ୍ତି ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିଏସ୍‌ଏସ୍‌ୟୁଟି) ଛାତ୍ରମାନେ। ଭିସୁଟ୍‌ ଆଇଡିଆ କ୍ଲବର ଛାତ୍ରମାନେ ଏଥର ତିଆରି କରିଛନ୍ତି ପହ୍ଲାରୁଆ ମେସିନ। ବର୍ଜ୍ୟବସ୍ତୁରେ ତିଆରି ହୋଇଥିବା ଏହି ମେସିନ ପାଇଁ ଖର୍ଚ ହୋଇଛି ମାତ୍ର ୧୫ ଶହ ଟଙ୍କା। 
 
କବାଡ଼ି ଦୋକାନରୁ ଆଣିଥିବା ସାଇକଲର ପୁରୁଣା ଚକା, ମୋଟରସାଇକଲର ଚେନ୍‌, କାଠ ଆଉ କିଛି ଖଣ୍ଡ ଲୁହାରେ ତିଆରି ହୋଇଛି ଏହି ପହ୍ଲାରୁଆ ମେସିନ। ବଜାରରେ ଉପଲ୍‌ବଧ ପହ୍ଲାରୁଆ ମେସିନ ତିଆରିରେ ପାଖାପାଖି ଏକ ଲକ୍ଷ ଟଙ୍କା ଖର୍ଚ ହୋଇଯାଉଛି। ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ରିହାତି ମୂଲ୍ୟରେ ତାହା ଯୋଗାଇ ଦିଆଯାଉଛି। ତଥାପି ଚାଷୀମାନଙ୍କୁ ୩୦ ହଜାର ଟଙ୍କା ପାଖାପାଖି ଦେବାକୁ ପଡ଼ୁଛି। କିନ୍ତୁ ଏହି ମେସିନ ଅତିକମ୍‌ ଖର୍ଚରେ ଓ କମ୍‌ ସମୟ ଭିତରେ ତିଆରି ହୋଇପାରୁଛି। 
 
ଭିଏସ୍‌ଏସ୍‌ୟୁଟି ଦ୍ୱିତୀୟ ବର୍ଷର ଛାତ୍ର ପଣାୟତ ପଣ୍ଡା, ସୁମିତ କୁମାର ଦାସଏ ତତ୍ତ୍ୱସିଦ୍ଧି ନନ୍ଦ, ରଂଜନ ପଣ୍ଡା, ସ୍ପନ୍ଦନ ରାଏ ପ୍ରମୁଖ ଏହି ମେସିନ ତିଆରି କରିଥିବା ବେଳେ ବରିଷ୍ଠ ଛାତ୍ର ବୁଦ୍ଧତତ୍ତ୍ୱ ସଂଘପ୍ରିୟ ସେମାନଙ୍କୁ ସହାୟତା କରିଛନ୍ତି। ଘଣ୍ଟାକୁ ପାଖାପାଖି ଅଢ଼େଇ ଏକର ଜମିରେ ପହ୍ଲାରୁଇ ପାରିବାର ଏହି ମେସିନ କ୍ଷମତା ରଖିଛି। ଆଗାମୀ ଦିନରେ ଏହି ମେସିନ ସଂପର୍କରେ କୃଷକ ସଂଗଠନଗୁଡ଼ିକୁ ଅବଗତ କରାଯିବ। କୃଷକ ସଂଗଠନଗୁଡ଼ିକ ଜରିଆରେ ଚାଷୀମାନଙ୍କୁ ଏହି ପହ୍ଲାରୁଆ ମେସିନ ତିଆରି କରିବା ପାଇଁ ପ୍ରଶିକ୍ଷଣ ଦିଆଯିବ ବୋଲି ଭିଏସ୍‌ଏସ୍‌ୟୁଟି ଆଇଡିଆ କ୍ଲବର ଏହି ଛାତ୍ରମାନେ କହିଛନ୍ତି।

image