20 October 2017
8:53:31 AM
Sambad News
ସମ୍ବଲପୁର

୮ ଅଭିଯୁକ୍ତଙ୍କ ଜାମିନ ଖାରଜ

୧.୪୩ କୋଟିର ନୋଟ୍‌ ଜବତ ମାମଲା: ରିମାଣ୍ଡ ପାଇଁ ପୁଲିସ୍‌ର ଆବେଦନ

By Sambad | Date: Jan 12 2017 9:50AM
୮ ଅଭିଯୁକ୍ତଙ୍କ ଜାମିନ ଖାରଜ

ସମ୍ବଲପୁର: ବିମୁଦ୍ରୀକରଣ ସମୟରେ ସମ୍ବଲପୁର ପୁଲିସ୍‌ ଜବତ କରିଥିବା ୧.୪୩ କୋଟି ଟଙ୍କା ଘଟଣାରେ ଗିରଫ ହୋଇଥିବା ସମସ୍ତ ୮ ଅଭିଯୁକ୍ତଙ୍କୁ ଜାମିନ ଆବେଦନ ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଖାରଜ ହୋଇଯାଇଛି। ଅପରପକ୍ଷରେ ପୁଲିସ୍‌ର ଦ୍ୱିତୀୟ ଥର ରିମାଣ୍ଡ ଆବେଦନର ପୁନର୍ବିଚାର ପାଇଁ ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ପୁଲିସ୍‌ ପକ୍ଷରୁ ଆବେଦନ କରାଯାଇଥିବା ପବ୍ଲିକ ପ୍ରିସିକ୍ୟୁଟର ଆର୍ତ୍ତତ୍ରାଣ ମିଶ୍ର ସୂଚନା ଦେଇଛନ୍ତି।
 

ଗତ ୪ ଡିସେମ୍ବର ଦିନ ନୋଟ ଜବତ ଘଟଣାରେ ଧନୁପାଲି ଥାନା ପୁଲିସ୍‌ ମଦ ବ୍ୟବସାୟୀ ଜିୟାର୍‌ତ ଅଲୀ, ଷ୍ଟେଟ ବ୍ୟାଙ୍କ ଅଧିକାରୀ ରଶ୍ମୀ ରଂଜନ ରାଉତ, ରଶ୍ମୀଙ୍କ ଭାଇ ପଙ୍କଜ ରାଉତଙ୍କ ସମେତ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଘଟଣାର କିଛି ଦିନ ପରେ ପୁଣି ସେମାନଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା। ରିମାଣ୍ଡ ଅବଧି ଶେଷ ହେବା ପରେ  ଜେଲ୍‌ ହାଜତକୁ ପଠେଇ ଦିଆଯାଇଥିଲା। ଅପରପକ୍ଷରେ ଆର୍‌ବିଆଇ ରିପୋର୍ଟ ଆସିବା ପରେ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାର ମୁଖ୍ୟ ପରିଚାଳକଙ୍କୁ ଡାକି ଏସ୍‌ଡିପିଓ ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରାଉଚରା କରିଥିଲେ।

ଅଭିଯୁକ୍ତମାନଙ୍କୁ ପୁଣି ଥରେ ରିମାଣ୍ଡରେ ଆଣିବା ପାଇଁ ପୁଲିସ ପକ୍ଷରୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରାଯାଇଥିଲା। ମାତ୍ର ଥରେ ରିମାଣ୍ଡରେ ନେଇ ସାରିଥିବାରୁ ଦ୍ୱିତୀୟ ଥର ରିମାଣ୍ଡ ନେବା ପାଇଁ ଅନୁମତି ଦେବାକୁ ମନା କରି ଦେଇଥିଲେ। ଜେଲ୍‌କୁ ଯାଇ ଅଭିଯୁକ୍ତମାନଙ୍କୁ ପଚରାଉଚରା କରି ପାରିବେ ବୋଲି ରାୟ ଦେଇଥିଲେ। ତେବେ ତଳକୋର୍ଟର ଏହି ରାୟକୁ ବିରୋଧ କରି ପୁଲିସ୍‌ ପକ୍ଷରୁ ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଏହାର ପୁନର୍ବିଚାର ପାଇଁ ଆବେଦନ କରାଯାଇଛି। ଆସନ୍ତା ସୋମବାର/ମଂଗଳବାର ଏହା ଉପରେ ଶୁଣାଣି ହୋଇପାରେ ବୋଲି କୁହାଯାଇଛି। ଅପରପକ୍ଷରେ ବିଭିନ୍ନ କାରଣରୁ ୨/୩ ଥର ଗିରଫ ଅଭିଯୁକ୍ତମାନଙ୍କ ଜାମିନ ଆବେଦନର ଶୁଣାଣି ହୋଇ ପାରିନଥିଲା। ବୁଧବାର ଜିଲ୍ଲା ଦୌରା ଜଜ୍‌ ସରୋଜ ପତି ଜାମିନ ଆବେଦନର ଶୁଣାଣି କରିଥିଲେ। ଏହି ମାମଲା ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ହୋଇଥିବାରୁ ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ।

ଏଭଳି ସ୍ଥିତିରେ ଅଭିଯୁକ୍ତମାନେ ହାଇକୋର୍ଟ ଯିବା ଛଡ଼ା ଅନ୍ୟ ବିକଳ୍ପ ନଥିବା କୁହାଯାଇଛି। ନୋଟ୍‌ ଜବତ ଘଟଣାକୁ ଇତିମଧ୍ୟରେ ଏକ ମାସ ଅତିକ୍ରାନ୍ତ ହୋଇଛି। ହେଲେ ଏହି ମାମଲାରେ ଆଉ କାହାରିକୁ ଗିରଫ କରାଯାଇ ନାହିଁ। ବିମୁଦ୍ରୀକରଣ ଯୋଗୁଁ ଟଙ୍କା ଉଠାଣ ଉପରେ କଟକଣା ଥିବା ବେଳେ କେଉଁ ବ୍ୟାଙ୍କରୁ, କାହା ସହଯୋଗରେ ଏବଂ କେମିତି ୮୫ ଲକ୍ଷରୁ ବେଶି ଟଙ୍କାର ନୂଆ ନୋଟ୍‌ ମଦ ବ୍ୟବସାୟୀଙ୍କ ପାଖକୁ ଆସିଲା, ପୁଲିସ୍‌ ଏହା ଉପରୁ ପରଦା ଉଠାଇ ପାରି ନାହିଁ। ଜଣେ ପ୍ରମୁଖ ଅଭିଯୁକ୍ତ କୁହାଯାଉଥିବା ଅଣଓଡ଼ିଆ ବ୍ୟବସାୟୀଙ୍କୁ ପୁଲିସ୍‌ ଧରି ପାରି ନାହିଁ। ଘଟଣା ପରଠାରୁ ସେ ଫେରାର ଅଛନ୍ତି। ଦେଖାଯାଉ, ପୁଲିସ୍‌ କେବେ ଏହା ଉପରେ ରହସ୍ୟ ଉନ୍ମୋଚନ କରିବାରେ ସଫଳ ହେଉଛି।

image