18 October 2017
11:41:35 PM
Sambad News
ରାଜ୍ୟ

ଭୁଲ୍‌ ଇଂଜେକ୍‌ସନ୍‌ ନେଲା ଜୀବନ ! : ନର୍ସିଂ ହୋମ୍‌ ବିରୋଧରେ ମାମଲା

By Sambad | Date: Dec 28 2016 11:55PM
ଭୁଲ୍‌ ଇଂଜେକ୍‌ସନ୍‌ ନେଲା ଜୀବନ ! : ନର୍ସିଂ ହୋମ୍‌ ବିରୋଧରେ ମାମଲା
Photo by : medicalstaffverification.com

ପଡ଼ିଆବାହାଲ : ଭୁଲ୍‌ ଇଂଜେକ୍‌ସନ୍‌ ଯୋଗୁଁ ସ୍ତ୍ରୀ ନଳିନୀ ସାହୁ (୬୮)ଙ୍କ ଜୀବନ ଚାଲି ଯାଇଥିବା ସ୍ୱାମୀ ଜୟନ୍ତପୁର ନିବାସୀ ରାମପ୍ରସାଦ ସାହୁ ଧନୁପାଲି ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ସାକ୍ଷୀପଡ଼ା ସେବା ନର୍ସିଂହୋମ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ୍‌ ମାମଲାର ଖୋଳତାଡ଼ ଆରମ୍ଭ କରିଛି। 
 
ଶ୍ରୀ ସାହୁଙ୍କ ଅଭିଯୋଗ ହେଲା, ଗତ ୨୩ ତାରିଖ ନଳିନୀ ପଡ଼ି ଯିବାରୁ ତାଙ୍କ ଗୋଡ଼ର ହାଡ଼ ଭାଂଗି ଯାଇଥିଲା। ତାଙ୍କୁ ସାକ୍ଷୀପଡ଼ାର ସେବା ନର୍ସିଂ ହୋମ୍‌ରେ ଭର୍ତି କରାଯାଇଥିଲା। ଇସିଜି ପରୀକ୍ଷା ପରେ ସବୁ ଠିକ୍‌ଠାକ୍‌ ଥିବା ଡାକ୍ତର କରିଥିଲେ। ପରଦିନ ସକାଳୁ ନଳିନୀଙ୍କ ଅସ୍ତ୍ରୋପଚାର ପାଇଁ ଧାର୍ଯ୍ୟ ହୋଇଥିଲା। ତେବେ ରାତିରେ ନଳିନୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଲା। ଅସହ୍ୟ ପେଟ ଯନ୍ତ୍ରଣା ଆରମ୍ଭ ହେଲା। ଡାକ୍ତରଙ୍କୁ ଡାକିଲେ ମଧ୍ୟ କାହାରି ଦେଖାନଥିଲା। ପରେ ନର୍ସ ଆସି ଗୋଟିଏ ଇଞ୍ଜେକ୍‌ସନ୍‌ ଦେଇଥିଲେ। ସକାଳୁ ଡାକ୍ତର ଆସିଥିଲେ ମଧ୍ୟ ନଳିନୀଙ୍କ ଚିକିତ୍ସା କରିନଥିଲେ। ବରଂ ବୁର୍ଲା ମେଡିକାଲ୍‌ ନେଇଯିବାକୁ କହିଥିଲେ। 
 
ଶ୍ରୀ ସାହୁ ଗୁରୁତର ତାଙ୍କୁ ନେଇ ବୁର୍ଲାସ୍ଥିତ ଏକ ଘରୋଇ ନର୍ସିଂ ହୋମ୍‌ରେ ଭର୍ତି କରିଥିଲେ। ନଳିନୀଙ୍କୁ ଆଇସିୟୁରେ ରଖାଯାଇଥିଲେ ହେଁ କୌଣସି ପରିବାରବର୍ଗଙ୍କୁ ଛଡ଼ା ଯାଇନଥିଲା। ଭୋର୍‌ ୬ଟା ବେଳେ ନଳିନୀଙ୍କ ମୃତ୍ୟୁ ଖବର ପରିବାରବର୍ଗଙ୍କୁ ଦିଆଯାଇଥିଲା। ହାଡ଼ ଭାଂଗିଥିଲେ ମଧ୍ୟ ନଳିନୀ ସୁସ୍ଥ ଥିଲେ। ହେଲେ ସେବା ନର୍ସିଂହୋମ୍‌ରେ ଭୁଲ୍‌ ଇଂଜେକ୍‌ସନ୍‌ ଦିଆଯିବା ପରେ ନଳିନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାକୁ ଲାଗିଲା। ତାଙ୍କୁ ବିଭିନ୍ନ ଅଂଗ ଅକାମୀ ହୋଇଗଲା ବୋଲି ପରିବାରଲୋକେ ଧନୁପାଲି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଅଭିଯୋଗ ଗ୍ରହଣ କରିବା ସହ କେସ ନମ୍ବର ୪୪୨ରେ ୩୦୪(ଏ) ଆଇପିସିରେ ଏକ ମାମଲା ରୁଜୁ କରିଛି। ମାମଲାର ଛାନଭିନ୍‌ ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ।

image