20 October 2017
8:55:38 AM
Sambad News
ରାୟଗଡ଼ା

ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ପ୍ରସଂଗ : ଭୋଟ ବର୍ଜନ ନିଷ୍ପତ୍ତି ଭୁଲ ଥିଲା

By Sambad | Date: Jan 2 2017 12:15AM
ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ପ୍ରସଂଗ : ଭୋଟ ବର୍ଜନ ନିଷ୍ପତ୍ତି ଭୁଲ ଥିଲା

ରାୟଗଡ଼ା : ବଦଳି ଯାଇଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ରାଜନୈତିକ ପାଣିପାଗ। ଗତଥର ଏହି ବ୍ଲକରେ ଝୋଡିଆଙ୍କୁ ଆଦିବାସୀ ପ୍ରସଙ୍ଗ ଯୋଗୁଁ ହୋଇପାରି ନଥିଲା ନିର୍ବାଚନ। କିନ୍ତୁ ଏଥର ସବୁ ସମୀକରଣ ବଦଳି ଯାଇଛି। ଆଉ ନିର୍ବାଚନ ବି ଠିକ୍‌ ରୂପେ ହେବ ବୋଲି ଆଭାସ ମିଳି ସାରିଲାଣି। ତେଣୁ ରାଜନୈତିକ ଦଳ ଗୁଡିକ ତରଫରୁ ପ୍ରସ୍ତୁତି ଆରମ୍ଭ ସହ ପ୍ରାର୍ଥୀ ଚୟନ କସରତ ଚାଲିଛି। ଏହାରି ମଧ୍ୟରେ ରାଜନୈତିକ ଦଳ ନେତା ଓ ଝୋଡ଼ିଆ ଆନ୍ଦୋଳନର ନେତୃତ୍ୱ ନେଉଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ଶୁଣିବାକୁ ଯେ ଗତ  ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ନିଷ୍ପତ୍ତି ଭୁଲଥିଲା।

 
ଦୀର୍ଘ ବର୍ଷ ହେଲା କାଶୀପୁର ବ୍ଲକର ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ଦେବାକୁ ଦାବି ହୋଇ ଆସୁଛି। ଏହି ଦାବି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ୟୁପିଏ ଅଧ୍ୟକ୍ଷା ଅବଗତ ଅଛନ୍ତି। ହେଲେ ଏନେଇ କେନ୍ଦ୍ର କିମ୍ବା ରାଜ୍ୟ ସରକାର କୌଣସି ଠୋସ୍‌ ପଦକ୍ଷେପ ନେଇ ନହାନ୍ତି। ତେଣୁ ଗତ ପଞ୍ଚାୟତ ନିର୍ବାଚନରେ ଏହି ଦାବିକୁ ନେଇ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯାହାକୁ ଏଠାରେ ପ୍ରତ୍ୟେକ ଦଳ ସମର୍ଥନ ମଧ୍ୟ କରିଥିଲେ। କାରଣ ପ୍ରାୟ ୨୦ହଜାରରୁ ଊର୍ଧ୍ୱ ଝୋଡ଼ିଆଙ୍କ ଆକ୍ରୋଶକୁ ସାମ୍ନା କରିବାକୁ କାହାର ସାହସ ନଥିଲା। ଏହି ସଂପର୍କରେ ଝୋଡ଼ିଆଙ୍କ ନେତୃତ୍ୱ ନେଉଥିବା ସୁମନ ଝୋଡ଼ିଆଣି ଓ ମକରନ୍ଦ ମୁଦୁଳି ସ୍ୱୀକାର କରି କହିଛନ୍ତି ଯେ  ଗତ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ନିଷ୍ପତ୍ତି ଠିକ ନଥିଲା। କିନ୍ତୁ ସରକାର ବି ଆମ ପ୍ରତି ଅବିଚାର କରିଛନ୍ତି ବୋଲି ଦୁହେଁ ଅଭିଯୋଗ କରିଥିଲେ। 
 
ବିଡମ୍ବନାର ବିଷୟ ଭୋଟ ବର୍ଜନ ସତ୍ୱେ କେହି ଆମକୁ ଗୁରୁତ୍ୱ ନଦେବା ସରକାରଙ୍କ ଆନ୍ତରିକତାକୁ ଦର୍ଶାଉଛି। ଅନ୍ୟପଟେ ଲୋକ ପ୍ରତିନିଧି ନଥିବାରୁ ଏଠାରେ ଅଫିସର ରାଜ ଚାଲିଛି। ଆଉ ଦୁର୍ନୀତିର ବାଟ ପ୍ରଶସ୍ତ ହେଲା। ୫ବର୍ଷ ପରେ ବି ବ୍ଲକର ବିକାଶ ରଥ ଇଞ୍ଚେ ଆଗେଇ ପାରିଲା ନାହିଁ ଅଭିଯୋଗ ହୋଇଛି। ତେବେ ଏଥର ବି ଝୋଡିଆଙ୍କୁ ଆଦିବାସୀ ପ୍ରସଙ୍ଗ ପ୍ରମୁଖ ରହିବ। ହେଲେ ଏହାକୁ ଭିନ୍ନ ଉପାୟରେ ଉପସ୍ଥାପନ କରାଯିବ। ପଞ୍ଚାୟତ ଭୋଟରେ ଅଂଶ ଗ୍ରହଣ କରି ନିର୍ବାଚନ ଶେଷ ପରେ ପ୍ରତ୍ୟେକ ପଞ୍ଚାୟତରେ ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ପାଇଁ  ପ୍ରସ୍ତାବ ଗ୍ରହଣ କରାଯାଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ବୋଲି କୁହାଯାଇଛି। 
 
ବିଜେପି ନେତା କାଳୀରାମ ମାଝି କହିଛନ୍ତି ଯେ ଗତଥର ନିର୍ବାଚନ ବର୍ଜନ କରିବା ଉଚିତ ନଥିଲା। ଏହାସତ୍ୱେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଝୋଡ଼ିଆ ନେତୃମଣ୍ଡଳୀଙ୍କୁ ନୂଆଦିଲ୍ଲୀ ନିଆଯାଇ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରାଯାଇଥିଲା। ଆଦିବାସୀ ମାନ୍ୟତା ପ୍ରସଂଗକୁ ଉଭୟ ମନ୍ତ୍ରୀ ସଦର ଗ୍ରହଣ କରି କାର୍ଯ୍ୟକାରୀ ଦିଗରେ ଆଶ୍ୱସନା ଦେଇଛନ୍ତି। ତେଣୁ ଆଦିବାସୀ ମାନ୍ୟତା ମିଳିବା ସମ୍ଭାବନା ଅଧିକ ରହିଛି। ଏଥର ନିର୍ବାଚନରେ ବିଜେପି ପକ୍ଷରୁ  ଏଠାରେ ପ୍ରାର୍ଥୀ ଦିଆଯିବ ବୋଲି ଶ୍ରୀ ମାଝି ପ୍ରକାଶ କରିଛନ୍ତି। 
 
ଏନେଇ ବିଭାଗୀୟ ମନ୍ତ୍ରୀ ଲାଲ ବିହାରୀ ହିମିରିକା କହିଥିଲେ ଯେ ରାଜ୍ୟ ସରକାର ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ନେଇ ପ୍ରସ୍ତାବ ଗ୍ରହଣ କରି ସୁପାରିଶ ପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ୪ବର୍ଷ ହେଲା ପଠାଇ ସାରିଲେଣି। ଆଦିବାସୀ ମାନ୍ୟତା ପ୍ରଦାନ କ୍ଷମତା ଓ ନିଷ୍ପତ୍ତି କେବଳ କେନ୍ଦ୍ର ସରକାର ନେଇପାରିବେ ବୋଲି ସ୍ପଷ୍ଟ କରିଥିଲେ। ଏଥର ପଞ୍ଚାୟତ ନିର୍ବାଚନରେ କାଶୀପୁର ବ୍ଲକବାସୀ ଗ୍ରହଣ କରିବା ନିଷ୍ପତ୍ତି ସ୍ୱାଗତ ଯୋଗ୍ୟ ସେ ସନ୍ତୋଷବ୍ୟକ୍ତ କରିଥିଲେ।
 
ସୂଚନାଯୋଗ୍ୟ, କାଶିପୁର ବ୍ଲକର ଝୋଡ଼ିଆଙ୍କୁ ଆଦିବାସୀ ମାନ୍ୟତା ଦାବିରେ ଗତ ୨୦୧୨ ମସିହା ଫେବ୍ରୁଆରି ମାସରେ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ବ୍ଲକରେ ସମସ୍ତ ଦଳ ବର୍ଜନ କରିଥିଲେ। ତତ୍କାଳୀନ ଜିଲ୍ଲାପାଳ ନୀତିନ ଭାନୁଦାଶ ଜାଉଲେ ନିର୍ବାଚନରେ ଅଂଶ ଗ୍ରହଣ କରିବାକୁ ଏକାଧିବାର ଡ଼ାକି ଅନୁରୋଧ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ରାଜ୍ୟ ନିର୍ବାଚନ କମିଶନର କାଶିପୁର ବ୍ଲକରେ ପଞ୍ଚାୟତ ନିର୍ବାଚନ କରେଇବାକୁ ଦୁଇ ଥର ବିଜ୍ଞପ୍ତି ପ୍ରକାଶ କରିଥିଲେ। ତେବେ ଜଣେ ବି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନଥିଲେ। ସାମ୍ବିଧାନିକ ସଙ୍କଟ ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ନିର୍ବାଚନର ତିନି ବର୍ଷ ପରେ ପ୍ରତ୍ୟେକ ପଞ୍ଚାୟତରେ ସରପଞ୍ଚ ପ୍ରତିନିଧିଙ୍କୁ ମନୋନୀତ କରାଯାଇଥିବା ବେଳେ କାହାରିକୁ ବି ପୂର୍ଣ୍ଣ କ୍ଷମତା ଦିଆଯାଇ ନଥିଲା।

image