20 October 2017
8:55:24 AM
Sambad News
ରାୟଗଡ଼ା

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

By Sambad | Date: Dec 28 2016 1:38AM
ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର


ଟିକିରି: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ନୂଆପଡା ଆର.ଆର କଲୋନିର ଏକ ଭଡା ଘରୁ ପୁଲିସ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି। ମୃତ ମହିଳା ଜଣକ ଦୋରାଗୁଡା ଥାନା ଅନ୍ତର୍ଗତ କୋଡିପାରି ଗ୍ରାମର ଦୁର୍ଯ୍ୟୋଧନ ନାଏକଙ୍କ ଝିଅ ନଚେତା ନାଏକ(୨୦) ବୋଲି ଜଣାପଡିଛି। ଅନ୍ୟପଟେ ନଚେତାର ମୃତ୍ୟୁ ପାଇଁ ତାଙ୍କ ସ୍ୱାମୀ, ଶାଶୁ ଓ ନଣନ୍ଦ ଦାୟୀ ବୋଲି ଥାନାରେ ପରିବାର ଲୋକ ଅଭିଯୋଗ କରିଛନ୍ତି। 
 

 ସୂଚନା ଅନୁଯାୟୀ, କୋଡିପାରି ଗ୍ରାମର ନଚେତା ସେହି ଗ୍ରାମର କୁରଶ ନାଏକଙ୍କ ପୁଅ ବିପିନ ନାଲକଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ପ୍ରାୟ ଦେଢ ବର୍ଷ ହେଲା ନଚେତା ଓ ବିପିନ ନୂଆପଡା ସ୍ଥିତ ଆର.ଆର କଲୋନିରେ ଏକ ଭଡା ଘରେ ରହି ଆସୁଥିଲେ। ତେବେ ଗତକାଲି ସଂଧ୍ୟାରେ ନଚେତା ଭଡା ଘରେ ଏକ ପ୍ଲାଷ୍ଟିକ ଦଉଡିରେ ଫାଶି ହୋଇ ଝୁଲୁଥିବା ସ୍ୱାମୀ ବିପିନ ଦୋରାଗୁଡା ଥାନାରେ ଜଣାଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଏନେଇ ମୃତ ନଚେତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ନଚେତାଙ୍କ ପରିବାର ନୂଆପଡାରେ ପହଞ୍ଚିବା ପରେ ଝିଅର ମୃତ୍ୟୁ ପାଇଁ ସ୍ୱାମୀ ବିପିନ, ଶାଶୁ ଓ ନଣନ୍ଦ ଦାୟୀ ବୋଲି ନଚେତାଙ୍କ ବାପା ଦୁର୍ଯ୍ୟୋଧନ ନାଏକ ଦୋରାଗୁଡା ଥାନାରେ ଅଭିଯୋଗ କରିଥିଲେ।

ପରିବାର ଅନିଚ୍ଛା ସତ୍ତ୍ୱେ ନଚେତାଙ୍କୁ ବିପିନ ନେଇଯାଇଥିବା ବେଳେ ଯୌତୁକ ଆଣିବା ନିମନ୍ତେ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ପରିବାର ଲୋକ ଏତଲାରେ ଉଲ୍ଲେଖ କରିଛନ୍ତି। ବିପିନ ସ୍ଥାନୀୟ ଉତ୍କଳ ଆଲୁମିନାରେ କୌଣସି ଠିକାଦାରଙ୍କ ଅଧୀନରେ କାମ କରୁଛନ୍ତି। ତେବେ ନଚେତାର ମୃତ୍ୟୁରେ ଆମ ପରିବାରର କୌଣସି ସଂପର୍କ ନାହିଁ ବୋଲି ବିପିନ ନାଏକ କହିଛନ୍ତି।

ପୁଲିସ ଏନେଇ କେଶ୍‌ ନଂ ୯୩/୧୬ ଅନୁଯାୟୀ ଏକ ମାମଲା ରୁଜୁ କରି କାଶୀପୁର ତହସିଲଦାର ବି.ବି ଦୀପଙ୍କ ଉପସ୍ଥିତିରେ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସେହିପରି ମୃତ ନଚେତାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପୁଲିସ ପଚରାଉଚୁରା କରୁଛି। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଦୋରାଗୁଡା ଥାନା ଅଧିକାରୀ ଗୌରହରି ସାହୁ ସୂଚନା ଦେଇଛନ୍ତି।

image