23 October 2017
7:04:17 PM
Sambad News
ରାଜନୀତି

ମହାନଦୀ ଜଳ ବିବାଦରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ

କଂଗ୍ରେସ କାର୍ଯ୍ୟକାରୀ ବୈଠକରେ ପ୍ରସ୍ତାବ

By Sambad | Date: Aug 24 2016 6:06AM
ମହାନଦୀ ଜଳ ବିବାଦରେ  ପ୍ରଧାନମନ୍ତ୍ରୀ  ହସ୍ତକ୍ଷେପ କରନ୍ତୁ

ଭୁବନେଶ୍ୱର : ମହାନଦୀ ଜଳ ବିବାଦ ଦିନକୁ ଦିନ ଜଟିଳ ହେଉଥିବାରୁ ଏ ନେଇ ବୟାନବାଜି ଛାଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ହସ୍ତକ୍ଷେପ କରିବାକୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। 
ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ବୈଠକରେ ଏ ନେଇ ଆଲୋଚନା ହେବା ପରେ ସର୍ବସମ୍ମତିକ୍ରମେ ଉପରୋକ୍ତ ପ୍ରସ୍ତାବ ଗୃହୀତ ହୋଇଛି। ସେହିପରି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି। ଦଳୀୟ ସମସ୍ତ ନେତା ଓ କର୍ମୀ ଏକାଠି ହୋଇ ବିଭିନ୍ନ ପ୍ରସଙ୍ଗ ନେଇ ଲୋକମାନଙ୍କ ପାଖକୁ ଯିବେ। ପଞ୍ଚାୟତ ସ୍ତରରେ ଟାସ୍କଫୋର୍ସ ଗଠନ କରାଯିବ। ସେହି ସ୍ତରରୁ ବ୍ଲକ ଓ ପିସିସି କାର୍ଯ୍ୟାଳୟକୁ ରିପୋର୍ଟ ପଠାଯିବାର ବ୍ୟବସ୍ଥା କରାଯିବ। ଫଳରେ ସଂଯୋଜନା ଓ ସମନ୍ଵୟ ରକ୍ଷା କରିହେବ। ରଣନୀତି ଅନୁସାରେ କାର୍ଯ୍ୟ କଲେ ଆଗାମୀ ନିର୍ବାଚନରେ କଂଗ୍ରେସ ସଫଳତା ପାଇବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। ଅନ୍ୟ ଏକ ପ୍ରସ୍ତାବରେ କୃଷି ଓ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ସ୍ଥିର କରିଛି। ବର୍ତ୍ତମାନ ସୁଦ୍ଧା ଶସ୍ୟବୀମା ଓ ଇନ୍‌ପୁଟ ସବ୍‌ସିଡି ଚାଷୀଙ୍କ ପାଖରେ ପହଞ୍ଚିନାହିଁ। ଏଣୁ ଚାଷୀଙ୍କୁ ନେଇ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକାରିଣୀ ବୈଠକ ଆରମ୍ଭରୁ ୧୨ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହା ସହିତ ଦେବଗଡ଼ ଜିଲ୍ଲା ଗାଇଲୋ ଘାଟିରେ ମୃତ୍ୟୁବରଣ କରିଥିବା ୨୭ଜଣ ଯାତ୍ରା କଳାକାର, ଗୁମୁଡୁମାହାରେ ଯବାନଙ୍କ ଗୁଳିରେ ଅକାଳରେ ପ୍ରାଣ ହରାଇଥିବା ୫ଜଣ ନିରୀହ ଆଦିବାସୀ ଓ ଯାଜପୁର ଜିଲ୍ଲା ନଗଡ଼ାରେ ମୃତ୍ୟୁବରଣ କରିଥିବା ୧୫ଜଣ ଶିଶୁଙ୍କ ପାଇଁ ଶୋକ ପ୍ରକାଶ ପାଇଥିଲା। ଏହି ବୈଠକରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଧ୍ୟକ୍ଷତା କରିଥିଲେ। ଏଥିରେ ଯୋଗ ଦେଇଥିଲେ କଂଗ୍ରେସର ରାଜ୍ୟ ପ୍ରଭାରୀ ବି.କେ. ହରିପ୍ରସାଦ ଓ ସହପ୍ରଭାରୀ ଶୁଭଙ୍କର ସରକାର। ତେବେ ବୈଠକ ଚାଲିଥିବା ବେଳେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।

image