19 November 2017
4:29:17 AM
Sambad News
ରାଜ୍ୟ

ବିଜେଡି ପାଳନ କରିବ ୩ ବର୍ଷ ପୂର୍ତ୍ତି

By Sambad | Date: May 19 2017 3:26AM
ବିଜେଡି ପାଳନ କରିବ ୩ ବର୍ଷ ପୂର୍ତ୍ତି

ଭୁବନେଶ୍ୱର : କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ୩ ବର୍ଷ ପୂର୍ତ୍ତି ପାଳନ କରିବାକୁ ରାଜ୍ୟ ବିଜେପି ପକ୍ଷରୁ ଜୋର୍‌ଦାର୍‌ ପ୍ରସ୍ତୁତି ଚାଲିଛି। ଏହାକୁ ତାଳ ଦେଇ ବିଜେଡି ବି ନବୀନ ପଟ୍ଟନାୟକ ସରକାରଙ୍କ ଚତୁର୍ଥ ପାଳିର ୩ ବର୍ଷ ପୂର୍ତ୍ତି ପାଳିବାକୁ ଅଣ୍ଟା ଭିଡ଼ିଛି। ଏଥି ପାଇଁ ଦଳ ପକ୍ଷରୁ ଆସନ୍ତା ୨୦ ତାରିଖ ଅପରାହ୍ନ ୩ଟା ୩୦ରେ ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସଭାପତିତ୍ୱ କରିବେ। ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ, ଦଳର ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି ଓ ଛାମୁଆ ସଂଗଠନର ସଭାପତିମାନେ ଯୋଗ ଦେବାକୁ କୁହାଯାଇଛି। 
ବୈଠକରେ ନିଜେ ନବୀନ ତାଙ୍କ ସରକାରର ତିନି ବର୍ଷର ସଫଳତା ବଖାଣିବେ। ଦଳର ଆଗାମୀ ଦିନର ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ସେ ସୂଚନା ଦେବେ। ଏହି ବୈଠକ ପରେ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ହାତକୁ ନିଆଯିବାର ଯୋଜନା ରହିଛି। କେନ୍ଦ୍ର ବିରୋଧୀ ଆନ୍ଦୋଳନକୁ ଜାରି ରଖିବା ସହ ରାଜ୍ୟ ସରକାରଙ୍କ ସଫଳତା ପ୍ରଚାର କରିବେ ବିଜେଡି କର୍ମୀ। ବୁଥ୍‌ ସ୍ତରରେ ବିଜେପିର ଜନକଲ୍ୟାଣ ଓ ଜନସମ୍ପର୍କ ଯାତ୍ରାକୁ ଦୁର୍ବଳ କରିବା ପାଇଁ ବିଜେଡି ରଣନୀତି ବି ପ୍ରସ୍ତୁତ କରୁଛି। ୨୦ ତାରିଖ ବୈଠକରେ ହିଁ ତାହାର ଚୂଡ଼ାନ୍ତ ଘୋଷଣା କରାଯିବ। 

image