19 November 2017
4:31:55 AM
Sambad News
ରାଜନୀତି

ସାଂସଦ ବୈଜୟନ୍ତ ଏକଘରିଆ

ପ୍ରକଳ୍ପ ଉଦ୍‌ଘାଟନକୁ ବିଧାୟକ, ବିଜେଡି ନେତାଙ୍କ ବର୍ଜନ

By Sambad | Date: May 19 2017 2:33AM
ସାଂସଦ ବୈଜୟନ୍ତ ଏକଘରିଆ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରିଛନ୍ତି ବିଧାୟକ ଓ ବିଜେଡ଼ି ନେତା। ସାଂସଦଙ୍କ ପାଣ୍ଠିରେ ନିର୍ମାଣ କରାଯାଉଥିବା ପ୍ରକଳ୍ପର ଶିଳାନ୍ୟାସ କିମ୍ବା ଉଦ୍‌ଘାଟନ ଉତ୍ସବରେ ଏହି ଦଳୀୟ ନେତାମାନେ ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଯୋଗ ଦେଉନାହାନ୍ତି।  ପୁଣିଥରେ ଏହାର ପୁନରାବୃତ୍ତି ଘଟିଛି। 
    
ଗତକାଲି କେନ୍ଦ୍ରାପଡ଼ା ସହରରେ ସେହିଭଳି ଏକ ପ୍ରକଳ୍ପ କାର୍ଯ୍ୟକ୍ରମ ରହିଥିଲା। ସାଂସଦ ବୈଜୟନ୍ତଙ୍କ ଉନ୍ନୟନ ପାଣ୍ଠିରୁ ପ୍ରଦତ୍ତ ରାଶିରେ ନବକଳେବର ପାଇଥିବା କେନ୍ଦ୍ରାପଡ଼ା ପୌରାଞ୍ଚଳରେ ୩ଟି ଶ୍ମଶାନର ଉଦ୍‌ଘାଟନ କରାଯାଇଥିଲା। ତା’ଭିତରୁ ବେଙ୍ଗପାଟିଆ ଶ୍ମଶାନ ପାଇଁ ୨୩ ଲକ୍ଷ ୨୨ହଜାର ଟଙ୍କା ଦେଇଥିବା ବେଳେ ଶଙ୍ଖପଡ଼ା ଶ୍ମଶାନ ପାଇଁ ୫ଲକ୍ଷ ଟଙ୍କା ଓ ରଣପଡ଼ା ଶ୍ମଶାନ ପାଇଁ ୧୨ଲକ୍ଷ ୧୫ହଜାର ଟଙ୍କା ଦେଇଥିଲେ। ଏହି ପ୍ରକଳ୍ପ ପାଇଁ ଯେଉଁ ଫଳକ ଲଗାଯାଇଥିଲା, ସେଥିରେ ସ୍ଥାନୀୟ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ନାମ ରହିଥିଲା।  ବିଧାୟକ ଶ୍ରୀ ତରାଇ ଯୋଗଦେବେ ବୋଲି ଆଶା କରାଯାଉଥିଲା। ଏ ନେଇ ଦଳୀୟ ମହଲରେ ପ୍ରଚାରିତ ମଧ୍ୟ ହୋଇଥିଲା। ମାତ୍ର, ବିଧାୟକ ଏହି କାର୍ଯ୍ୟକ୍ରମଠାରୁ ନିଜକୁ ଦୂରେଇ ରଖିଥିଲେ। 
 
କେବଳ ବିଧାୟକ ନୁହନ୍ତି ବିଜେଡି ସଂଗଠନର କେହି ଜଣେ ହେଲେ ଆଗଧାଡ଼ିର ନେତା ସାଂସଦଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ। ନଗର ବିଜେଡି ସଭାପତି, ବ୍ଲକ ବିଜେଡି ସଭାପତି, ମହିଳା ବିଜେଡି ସଭାନେତ୍ରୀ, ପୂର୍ବତନ ନଗରପାଳ ଓ ପୂର୍ବତନ କାଉନ୍‌ସିଲରମାନେ ସହରରେ ଉପସ୍ଥିତ ଥାଇ ମଧ୍ୟ ସାଂସଦଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ନ ଥିଲେ। ଦଳର କୌଣସି ନେତା ନ ଆସିବାରୁ କେବଳ ଜଣେ ଦୁଇଜଣ ସରକାରୀ ଅଧିକାରୀଙ୍କୁ ନେଇ ସାଂସଦ ବୈଜୟନ୍ତ ପ୍ରକଳ୍ପଗୁଡ଼ିକୁ ଉଦ୍‌ଘାଟନ କରି ଫେରି ଯାଇଛନ୍ତି। ସେହି ସମୟରେ ତାଙ୍କର ହାତଗଣତି ସମର୍ଥକଙ୍କୁ ଦେଖିବାକୁ ମିଳିଥିଲା। 
 
ତେବେ, ଏହିଭଳି ଘଟଣା ପ୍ରଥମ ନୁହେଁ।   ସାଂସଦ ବୈଜୟନ୍ତଙ୍କୁ ଗତ ଦୁଇବର୍ଷରୁ ଅଧିକ ସମୟ ଧରି କେନ୍ଦ୍ରାପଡ଼ା ଜିଲ୍ଲାର ବିଜେଡି ନେତାମାନେ ଏକଘରିଆ କରି ରଖିଛନ୍ତି। ତାଙ୍କ ପାଣ୍ଠିରୁ ତିଆରି କରାଯାଉଥିବା କୌଣସି ପ୍ରକଳ୍ପର ଶିଳାନ୍ୟାସ କିମ୍ବା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଦଳୀୟ ନେତାମାନେ ସାମିଲ ହେଉନାହାନ୍ତି। ଦଳୀୟ ସାଂଗଠନିକ କାର୍ଯ୍ୟକ୍ରମରେ ମଧ୍ୟ ବୈଜୟନ୍ତଙ୍କୁ ନିମନ୍ତ୍ରଣ ଦିଆଯାଉନାହିଁ। କେତେକ କ୍ଷେତ୍ରରେ ତାଙ୍କୁ ଜାଣିଶୁଣି ଶେଷ ମୁହୂର୍ତ୍ତରେ ନିମନ୍ତ୍ରଣ କରାଯାଉଛି ତ’ ଆଉ କେତେକ କାର୍ଯ୍ୟକ୍ରମରେ ତାଙ୍କ ନିକଟକୁ ନିମନ୍ତ୍ରଣ ପତ୍ର ମଧ୍ୟ ପଠା ଯାଉନାହିଁ। ଜିଲ୍ଲା ବିଜେଡିର କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କୁ ଅନୁପସ୍ଥିତିକୁ ନେଇ ଚର୍ଚା ଜାରି ରହିଥିବା ବେଳେ ତାଙ୍କ ପାଣ୍ଠିରୁ ନିର୍ମିତ ପ୍ରକଳ୍ପର ଫଳକକୁ ବିଜେଡି କର୍ମୀମାନେ ଭାଙ୍ଗିଦେବାର ମଧ୍ୟ ଉଦାହରଣ ରହିଛି। 
 
କୁହାଯାଉଛି ଯେ, ଗତ ମାସେ/ଦୁଇମାସ ଭିତରେ ନିଜ ଟ୍ୟୁଟର ଓ ଆଲେଖ୍ୟକୁ ନେଇ ସାଂସଦ ଅଧିକ ବିବାଦୀୟ ହୋଇ ପଡ଼ିଥିବାରୁ ଜିଲ୍ଲାରେ ତାଙ୍କ ପ୍ରତି ବିରୋଧାଭାସ ବହୁ ପରିମାଣରେ ବୃଦ୍ଧି ପାଇଛି। ଗତକାଲି ସାଂସଦଙ୍କ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏହାର ସ୍ପଷ୍ଟ ପ୍ରତିଫଳନ ଦେଖିବାକୁ ମିଳିଛି। ଆଗାମୀ ଦିନରେ ଏହା କିଭଳି ରୂପ ଧାରଣ କରୁଛି, ତାହା କେବଳ ଦେଖିବାକୁ ବାକି ରହିଲା। 

image