20 October 2017
3:24:01 AM
Sambad News
ରାଜନୀତି

ଶଶିକଳାଙ୍କ ଇସ୍ତଫାର ପ୍ରମାଣ ମାଗିଲେ ପନିର, ନୂଆ ଦାବି ରଖିଲେ

ଏଆଇଏଡିଏମ୍‌କେ ମିଶ୍ରଣରେ ସଙ୍କଟ

By Sambad | Date: Apr 21 2017 12:08AM
ଶଶିକଳାଙ୍କ ଇସ୍ତଫାର ପ୍ରମାଣ ମାଗିଲେ ପନିର, ନୂଆ ଦାବି ରଖିଲେ

ଚେନ୍ନାଇ: ଏଆଇଏଡିଏମ୍‌କେର ଦୁଇ ଗୋଷ୍ଠୀ ମଧ୍ୟରେ ମିଶ୍ରଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ’ପନିରସେଲଭମ ଓ ଶଶିକଳାଙ୍କ ଗୋଷ୍ଠୀ ମଧ୍ୟରେ ଚାଲିଥିବା କଥାବାର୍ତ୍ତାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ପନିରଙ୍କ ସର୍ତ୍ତକୁ ଗ୍ରହଣ କରି ଶଶିକଳା ଓ ଟିଟିଭି ଦିନାକରନ ଯଥାକ୍ରମେ ମହାସଚିବ ଓ ଉପମହାସଚିବ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ପ୍ରତିପକ୍ଷ ଗୋଷ୍ଠୀ ଘୋଷଣା କରିଥିବାବେଳେ  ସେମାନଙ୍କ ଇସ୍ତଫାର ପ୍ରମାଣ ଦେଖାଇବାକୁ ପନିର ଦାବି କରିଛନ୍ତି।ଏହାସହ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ରହସ୍ୟଜନକ ମୃତ୍ୟୁର ସିବିଆଇ ତଦନ୍ତ କରାଯିବାକୁ ପନିର ଦାବି କରିଛନ୍ତି।
ପନିର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଶଶିକଳା ଅବୈଧଭାବେ ଦଳର ମହାସଚିବ ହେବାସହ ଜେଲ୍‌ ଯିବା ପୂର୍ବରୁ ଦିନାକରନଙ୍କୁ ଉପମହାସଚିବ ନିଯୁକ୍ତ କରିଥିଲେ। ଉଭୟଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି। ଦଳର ଚିହ୍ନ ପାଇବାକୁ ନିର୍ବାଚନ କମିସନ ଅଧିକାରୀଙ୍କୁ ଲାଞ୍ଚ ଯାଚିବା ଓ ଆରକେ ନଗର ଉପନିର୍ବାଚନରେ ପରିବାର ପିଛା ୪ହଜାର କରି ଟଙ୍କା ବଣ୍ଟନ ଆଦି ଘଟଣା ପାଇଁ ଦଳ ନିନ୍ଦିତ ହୋଇଛି। ମିଶ୍ରଣ ଆଲୋଚନା ପୂର୍ବରୁ ଦଳରୁ ଏହି ଦୁଇ ଜଣଙ୍କ ବହିଷ୍କାର ପାଇଁ ସେ ଦାବି କରିଥିଲେ।  ଏହା ପୂରଣ ହୋଇଛି ବୋଲି ଶଶିକଳା ଗୋଷ୍ଠୀକୁ ଏବେ ନେତୃତ୍ୱ ଦେଇଥିବା ମୁଖ୍ୟମନ୍ତ୍ରୀ ଇ ପିଲାନିସ୍ୱାମୀ କହିଛନ୍ତି। ତେବେ ଏହାର ବିଶ୍ୱାସନୀୟତା ପ୍ରତି ତାଙ୍କର ସନ୍ଦେହ ରହିଛି। ପିଲାନିସ୍ୱାମୀ ଦୁଇ ଜଣଙ୍କ ଇସ୍ତଫାପତ୍ର ତାଙ୍କୁ ଦେଖାଇବାକୁ ସେ ଦାବି କରିଛନ୍ତି। ଏହାସହ ଶଶିକଳା ଓ ଦିନାକରନ ଆଉ ଦଳର ନେତୃତ୍ୱ ନେଇନାହାନ୍ତି ବୋଲି ନିର୍ବାଚନ କମିଶନଙ୍କୁ ଦଳ ପକ୍ଷରୁ ତୁରନ୍ତ ଅବଗତ କରାଯିବାକୁ ସେ କହିଛନ୍ତି। ଗତବର୍ଷ ଡିସେମ୍ବରରେ ଜୟଲଳିତାଙ୍କ ମୃତ୍ୟୁନେଇ ରାଜ୍ୟବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିବାରୁ ଏହାର ସିବିଆଇ ତଦନ୍ତ ନିମନ୍ତେ ରାଜ୍ୟ ସରକାର ସୁପାରିସ କରିବାକୁ ସେ ଦାବି କରିଛନ୍ତି।
ମୁଖ୍ୟମନ୍ତ୍ରୀ ପିଲାନିସ୍ୱାମୀ ଏହାର ତୁରନ୍ତ ଉତ୍ତର ରଖି ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି। ମିଶ୍ରଣ ପାଇଁ ବିନା ସର୍ତ୍ତରେ ଆଲୋଚନା କରିବାକୁ ତାଙ୍କ ଗୋଷ୍ଠୀ ପ୍ରସ୍ତୁତ। ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ ସମ୍ପର୍କରେ କୋର୍ଟ ନିର୍ଦ୍ଦେଶ ମାନିବାକୁ ରାଜ୍ୟ ସରକାର ଅଙ୍ଗୀକାରବଦ୍ଧ ବୋଲି ସେ କହିଥିଲେ।
ପନିରଙ୍କ ବାସଭବନରେ ଆଜି ୫ ଘଣ୍ଟା ଆଲୋଚନା କରିବା ପରେ ପୂର୍ବତନ ମନ୍ତ୍ରୀ କେପି ମୁନୁସ୍ୱାମୀ କହିଲେ ଯେ ଦଳର ମିଶ୍ରଣ ପାଇଁ ପନିର ଗୋଷ୍ଠୀ ମୁଖ୍ୟମନ୍ତ୍ରୀ ବା ଦଳର ମୁଖ୍ୟ ପଦ ପାଇବାକୁ ପ୍ରାକ୍‌ ସର୍ତ୍ତ ଆରୋପ କରିନାହାନ୍ତି। ତେବେ ଦୁଇଟି ଯାକ ପଦ ପନିରଙ୍କୁ ଦିଆଯିବାକୁ କର୍ମୀମାନେ ଚାହାନ୍ତି। ଶଶିକଳା ଓ ତାଙ୍କ ପରିବାରକୁ ଦଳରୁ ବିଦା କରାଯାଇଥିବା ନେଇ ପିଲାନିସ୍ୱାମୀଙ୍କ ଘୋଷଣା ନାଟକବାଜି ବୋଲି କର୍ମୀମାନେ ଅନୁମାନ କରୁଛନ୍ତି। ଏହା ସ୍ପଷ୍ଟ ହେବା ଦ୍ୱାରା ମିଶ୍ରଣ କଥାବାର୍ତ୍ତା ଆଗକୁ ବଢ଼ିପାରିବ ବୋଲି ସେ କହିଥିଲେ।
 

image