23 October 2017
4:22:50 AM
Sambad News
ନୂଆପଡ଼ା

୫ ଶିଶୁ ସମେତ ୧୮ ଦାଦନ ଉଦ୍ଧାର, ସର୍ଦ୍ଦାର ଫେରାର୍‌

By Sambad | Date: Dec 31 2016 6:19AM
୫ ଶିଶୁ ସମେତ ୧୮ ଦାଦନ ଉଦ୍ଧାର, ସର୍ଦ୍ଦାର ଫେରାର୍‌

କୋମନା : ରାଜ୍ୟ ବାହାରକୁ ଚାଲାଣ ହେଉଥିବା ୫ ଶିଶୁ ସମେତ ୧୮ ଦାଦନଙ୍କୁ ଗୁରୁବାର କୋମନା ଥାନା ଅଞ୍ଚଳରୁ ପୁଲିସ ଉଦ୍ଧାର କରିଛି। ସେମାନଙ୍କୁ ଚାଲାଣ କରୁଥିବା ସର୍ଦ୍ଦାର ସୁନାବେଡ଼ାର କମଲ ଜଗତ ପୁଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଛି। 
 
ମିଳିଥିବା ସୂଚନାନୁସାରେ ଦାଦନ ସର୍ଦ୍ଦାର କମଲ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ମେନପୁର ଥାନା ନଗଡ଼ା ଗ୍ରାମର ୫ ଶିଶୁ ସମେତ ୧୭ ଓ ସୁନାବେଡ଼ା ଅଞ୍ଚଳର ଅଡ଼ାର ଗ୍ରାମର ଜଣେ ମୋଟ ୧୮ ଜଣଙ୍କୁ ଅଗ୍ରିମ କିଛି ଟଙ୍କା ଦେଇ ପରେ କୋମନା ଥାନା ଅନ୍ତର୍ଗତ ସିମେଲପାଲି ଗ୍ରାମରେ ଜଣ ପିଛା ୧୭ ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି କହିବା ଏବଂ ଟଙ୍କାର ପ୍ରଲୋଭନ ଦେଖାଇ ଅନ୍ୟ ରାଜ୍ୟକୁ ଦାଦନ ଚାଲାଣ କରିବା ପାଇଁ ନେଉଥିଲା। କୋମନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ବରକୋଟ ପାଖରେ ସର୍ଦ୍ଦାର ଦାଦନମାନଙ୍କୁ ନେଇ ବସ୍‌କୁ ଅପେକ୍ଷା କରିଥିବା ଦେଖି ପୁଲିସ ତଦନ୍ତ ବେଳେ ଜଣାପଡ଼ିବା ଜାଣି ସର୍ଦ୍ଦାର ସେଠାରୁ ଫେରାର୍‌ ମାରିଥିଲା।  
 
ସେଠାରୁ ଉଦ୍ଧାର ଦାଦନମାନଙ୍କୁ କୋମନା ଥାନାକୁ ଆଣି ତଦନ୍ତ କଲା ପରେ ଜିଲ୍ଲା ଶ୍ରମ ବିଭାଗକୁ ଜଣାଇ ଗାଁରେ ଛାଡ଼ିବା ବ୍ୟବସ୍ଥା କରାଯାଇଥିଲା। ଏହା ଜିଲ୍ଲାରେ ପ୍ରଥମ ଘଟଣା ନୁହେଁ ଅନେକ ଥର ଏପରି ଦାଦନ ଚାଲାଣ ହେବା ସହ ଅନେକଥର ଦାଦନମାନଙ୍କୁ ଉଦ୍ଧାର କରି ସର୍ଦ୍ଦାରମାନଙ୍କ ନାମରେ ମାମଲା ରୁଜୁ କରିଥିଲେ ମଧ୍ୟ କୌଣସି ପ୍ରକାର ପ୍ରଭାବ ପଡ଼ିନାର୍ହି। 
 
ଆନ୍ଧ୍ରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ
ଧଣ୍ଡାମୁଣ୍ଡା : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଅନ୍ତର୍ଗତ ମାଟିଆଭଟା ପଞ୍ଚାୟତ ପୁତୁଲାମହୁଲ ଗାଁର ଯତନ ବିଶି(୩୮) ଆନ୍ଧ୍ର ପ୍ରଦେଶକୁ କାମ କରିବାକୁ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏକ ମାସ ତଳେ ସେ ସର୍ଦ୍ଦାର ସାଙ୍ଗରେ ଅନକାପାଲି ନିକଟସ୍ଥ ପୈଦାପଲ୍ଲୀର ଏକ ଇଟାଭାଟି କାମ କରିବାକୁ ପରିବାର ସହ ଯାଇଥିଲେ। ସେଠାରେ ତାଙ୍କର ଦେହ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଯତନଙ୍କ ସ୍ତ୍ରୀ ପ୍ରକାଶ କରିଛନ୍ତି। ତେବେ ଯତନଙ୍କ ସ୍ତ୍ରୀ ଜିଦ୍‌ କରିବାରୁ ଇଟାଭାଟି ମାଲିକ ଟ୍ରେନ୍‌ ଯୋଗେ ଶବ ଗାଁକୁ ପଠାଇ ଦେଇଥିଲେ। 
 
ମଙ୍ଗଳବାର ରାତିରେ ପୁତୁଲାମହୁଲ ଗାଁରେ ଶବ ସହ ଯତନଙ୍କ ସ୍ତ୍ରୀ, ୩ ଝିଅ ଝରଣା (୧୫), ପାହାନ୍ତି (୧୧) ଓ ପ୍ରଭାତୀ (୧୩) ପହଞ୍ଚିଛନ୍ତି। ଶବ ପହଞ୍ଚିବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି। ଖବର ପାଇ ପାଟଣାଗଡ଼ ଉପ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କ ନିର୍ଦେଶରେ ଖପ୍ରାଖୋଲ ବିଡିଓ ଯୁଧିଷ୍ଠିର ନାଏକ ପହଞ୍ଚି ମୃତକକ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ପ୍ରଦାନ କରିଥିବା ଜଣାଯାଇଛି। ଯତନଙ୍କ ପରିବାରର ଅନ୍ୟ କେହି ରୋଜଗାରକ୍ଷମ ବ୍ୟକ୍ତି ନ ଥିବାରୁ ସରକାରୀ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

image