23 October 2017
4:28:40 AM
Sambad News
ରାଜ୍ୟ

ଭିନ୍ନ ସଂପ୍ରଦାୟର ଝିଅ ହେତୁ ଶବ ଉଠାଇବାକୁ ଜାତି ଭାଇ ଆସିଲେନି

By Sambad | Date: Dec 21 2016 12:02AM
ଭିନ୍ନ ସଂପ୍ରଦାୟର ଝିଅ ହେତୁ ଶବ ଉଠାଇବାକୁ ଜାତି ଭାଇ ଆସିଲେନି

କୋମନା : ୪୦ ବର୍ଷ ଧରି ସୁରୁଖୁରୁରେ ଦାମ୍ପତ୍ୟ ଜୀବନଯାପନ ବିତାଇବା ପରେ ସ୍ତ୍ରୀର ମୃତ୍ୟୁ ଘଟିଛି। ତେବେ ଉଭୟେ ଭିନ୍ନ ସଂପ୍ରଦାୟ ହେତୁ ସ୍ତ୍ରୀର ମୃତ୍ୟୁ ପରେ ସ୍ୱାମୀଙ୍କୁ ହୀନସ୍ତା ହେବାକୁ ପଡ଼ିଛି। ଶବ ଉଠାଇବାକୁ ଜାତି ଭାଇ ନ ଆସିବାରୁ ଦ୍ୱନ୍ଦ୍ୱରେ ପଡ଼ିଥିବା ବେଳେ ପରେ ସ୍ଥାନୀୟ ବଣିକ ସଂଘର କର୍ମକର୍ତ୍ତା ଆଗେଇ ଆସିଥିଲେ। ଶବ କିଛି ସମୟ ଘର ଅଗଣାରେ ପଡ଼ିଥିଲେ ମଧ୍ୟ ପରେ ସଂସ୍କାର କରାଯାଇଛି।
 
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍‌ କାଣ୍ଡେତରା ଗାଁର ମୁସଲମାନ ସଂପ୍ରଦାୟର ମହମ୍ମଦ ଓ୍ଵସି ସେହି ଗାଁର ହିନ୍ଦୁ ସଂପ୍ରଦାୟର ରାମଚରଣ ସତନାମୀଙ୍କ ଝିଅ ଗାଦୁବାଇ ସତନାମୀଙ୍କୁ ଭଲ ପାଇ ୪୦ ବର୍ଷ ତଳେ ବିବାହ କରିଥିଲେ। ଏହି ବିବାହକୁ ନିଜ ସଂପ୍ରଦାୟ ଓ ପତ୍ନୀଙ୍କ ପରିବାର ପକ୍ଷରୁ ମଧ୍ୟ ସହମତି ମିଳୁଥିଲା। ଉଭୟ ପରିବାର ମଧ୍ୟରେ ସଂପର୍କ ଠିକ୍‌ଠାକ୍‌ ଥିଲା। ଗାଦୁବାଇ ହିନ୍ଦୁ ଧର୍ମ ପରମ୍ପରା ଅନୁଯାୟୀ ହିନ୍ଦୁ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରୁଥିଲେ। ମହମ୍ମଦ ମଧ୍ୟ ମୁସଲମାନ ଧର୍ମୀୟ ରୀତିନୀତିରେ ପୂଜାପାଠ କରୁଥିଲେ। ଏନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ମତାନ୍ତର ନଥିଲା। 
 
ଗାଦୁବାଇଙ୍କ ବାପା ମା’ ମଧ୍ୟ ଝିଅ ଘରକୁ ଯିବା ଆସିବା କରୁଥିଲେ ଓ ଏମାନେ ମଧ୍ୟ ରାମଚରଣଙ୍କ ଘରକୁ ଯାଉଥିଲେ। ଏନେଇ ଉଭୟ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ କୌଣସି ବିବାଦ ନଥିଲା। ତେବେ ସେମାନଙ୍କ କୌଣସି ସନ୍ତାନ ନଥିଲେ। ସୋମବାର ଗାଦୁବାଇ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଲେ ଓ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ମହମ୍ମଦ ନିଜ ଜାତି ଭାଇ ଓ ଶ୍ୱଶୁର ଘର ଲୋକମାନଙ୍କୁ ଜଣାଇଥିଲେ। ସମସ୍ତେ ଆସିଥିଲେ କିନ୍ତୁ ଶବ ଉଠାଇବାକୁ କେହି ରାଜି ହୋଇ ନଥିଲେ। ଫଳରେ ଶବ କିଛି ସମୟ ପଡ଼ି ରହିଥିଲା। ପରେ ଗାଁରେ ଥିବା ବଣିକ ସଂଘର ଏ ଖବର ପାଇବା ପରେ ଶବ ସତ୍କାର ପାଇଁ ଆଗେଇ ଆସିଥିଲେ ଓ ନିକଟସ୍ଥ ମଶାଣିରେ ଶବ ସତ୍କାର କରିଥିଲେ। 
 
ବର୍ତ୍ତମାନ ମହମ୍ମଦଙ୍କ ବୟସ ୬୫ ବର୍ଷ ହୋଇଥିବା ବେଳେ ମୃତ ଗାଦୁବାଇଙ୍କ ବୟସ ୬୦ ବର୍ଷ ବୋଲି ଜଣାଯାଇଛି। ପୂର୍ବରୁ ମହମ୍ମଦ ବିପିଏଲ ହିତାଧିକାରୀ ଥିବାବେଳେ ବର୍ତ୍ତମାନ ତାହା କଟି ଯାଇଛି। ସ୍ତ୍ରୀଙ୍କୁ  ହରାଇବା ପରେ ସେ ଏବେ ଭାଙ୍ଗି ପଡିଛନ୍ତି। ତୁରନ୍ତ ତାଙ୍କ ସରକାରୀ ସହାୟତା ଦେବାକୁ ଲାଲ ବାହାଦୁର ବାରିକ, ମୁଣ୍ଡ ପଖାନ, ଜଲଦାର ଖାନ୍‌, ସଂଜିତ ମଣ୍ଡଳ, ମୁକେଶ ସାହୁ, ଓମ୍‌ପ୍ରକାଶ ଦାସ, କମଳ ଦାସ, ମହମ୍ମଦ ଅସରଫ୍‌, ଏମ୍‌ଡି ଆସିମ, କଣ୍ଡେତରା ପଞ୍ଚାୟତର ବିଜେଡି ସଭାପତି ଜୟପ୍ରକାଶ ବାରିକ, ବି୍ରଜଲାଲ ସାହୁ ପ୍ରମୁଖ ଦାବି କରିଛନ୍ତି।

image