20 October 2017
8:54:19 AM
Sambad News
ରାଜ୍ୟ

ଖଣ୍ଡପଡ଼ାରେ ବିଜେଡିକୁ ଝଟକା: ‘ଆମ ଓଡ଼ିଶା’ରେ ମିଶିଲେ ବହୁ ବିଜେଡି ନେତା

ଯୋଗଦେଲେ ଦୁଇ ଜିଲ୍ଲା ପରିଷଦ ସଭ୍ୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ

By Sambad | Date: Jan 10 2017 4:31AM
ଖଣ୍ଡପଡ଼ାରେ ବିଜେଡିକୁ ଝଟକା: ‘ଆମ ଓଡ଼ିଶା’ରେ ମିଶିଲେ ବହୁ ବିଜେଡି ନେତା


ଖଣ୍ଡପଡ଼ା: ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ଦୁର୍ଗକୁ ଲାଗିଛି ବଡ଼ ଧରଣର ଝଟକା। ଦଳର ବହୁ ସଂଖ୍ୟକ ବରିଷ୍ଠ ନେତା ସେମାନଙ୍କ ସମର୍ଥକଙ୍କ ସହିତ ଆଜି ଆମ ଓଡ଼ିଶା ପାର୍ଟିରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି  ଶାସକ ଦଳର ଦୁଇ ଜିଲ୍ଲା ପରିଷଦ ସଭ୍ୟ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ, ପୂର୍ବତନ ସରପଞ୍ଚ ଏବଂ ଅନେକ ବରିଷ୍ଠ ନେତା। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆଜିର ଏହି ଘଟଣା ଖଣ୍ଡପଡ଼ା ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି।
  ଖଣ୍ଡପଡ଼ା ସୌମ୍ୟ ବିହାରସ୍ଥିତ ଆମ ଓଡ଼ିଶା କାର୍ଯ୍ୟାଳୟରେ ଏଥିପାଇଁ ଏକ ବିଶେଷ ସଭାର ଆୟୋଜନ କରାଯାଇଥିଲା। ପାର୍ଟିର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ବିଜେଡିର ଏହି ନେତା ଓ କର୍ମୀମାନେ  ସେମାନଙ୍କ ସମର୍ଥକଙ୍କ ସହିତ ଆମ ଓଡ଼ିଶା ପାର୍ଟିରେ ଯୋଗ ଦେଇଥିଲେ। ଆମ ଓଡ଼ିଶା ପାର୍ଟିରେ ଯୋଗ ଦେଇଥିବା ନେତାମାନଙ୍କ ମଧ୍ୟରେ ଅଛନ୍ତି ଖଣ୍ଡପଡ଼ା ବ୍ଲକ୍‌ର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶିଶିର କୁମାର ସାହୁ, ଭାପୁର ବ୍ଲକ୍‌ର ବର୍ତମାନର ଦୁଇ ଜିଲ୍ଲା ପରିଷଦ ସଭ୍ୟ ବସନ୍ତ କୁମାର ମାଝି ଓ ଦାଶରଥି ଦାଶ, ବରିଷ୍ଠ ନେତା ଲକ୍ଷ୍ମୀ ନାରାୟଣ ଦଳବେହେରା ଓରଫ ସଂସାରୀ, ଶିଖରପୁର ପୂର୍ବତନ ସରପଞ୍ଚ ବିଜୟ କୁମାର ତ୍ରିପାଠୀ, କୈଳାସ ପ୍ରଧାନ, ଶରତ ବେହେରା ଏବଂ କାଳୁ ଚରଣ ନାୟକ ପ୍ରମୁଖ।
 ଏହି ଅବସରରେ ପାର୍ଟିରେ ମିଶିଥିବା ନେତା ଓ କର୍ମୀମାନଙ୍କୁ  ସ୍ୱାଗତ ଜଣାଇ ଶ୍ରୀ ପଟ୍ଟନାୟକ କହିଲେ, ଖଣ୍ଡପଡ଼ା ଶାସନ ଏବେ ଆମ ହାତରେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ଖଣ୍ଡପଡ଼ା ଓ ଭାପୁର ବ୍ଲକ୍‍ ଦଖଲ କଲେ ଆମେ ଏକ ଭିନ୍ନ ବ୍ଲକ୍‍ ପ୍ରଶାସନ ଦେଖିବା ଏବଂ  ଅହଙ୍କାରୀ  ରାଜନେତାଙ୍କୁ  ହଟାଇ କେବଳ ଖଣ୍ଡପଡ଼ା ନୁହେଁ, ସାରା ଓଡ଼ିଶାରେ ପରିବର୍ତ୍ତନ ବାତାବରଣ ଆଣିବା। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବା ସହ ବିକଳ୍ପ ପାଇଁ ସଂକଳ୍ପ ନେବାକୁ ହେଲେ ଆମକୁ ଫେବ୍ରୁଆରି ୨୧ ତାରିଖରେ ବିଜୟ ଉସବ ପାଳନ କରିବାକୁ ହେବ।
   ସେ କହିଲେ, ସାରା ଓଡ଼ିଶାକୁ ଦେଖିଲେ ଖଣ୍ଡପଡ଼ା ସବୁଠାରୁ ପଛୁଆ। ଗାଁରେ ବେକାରୀ ସମସ୍ୟା ବଢ଼ି ଚାଲିଛି। ଚାଷୀ ଅବସ୍ଥା ନ କହିଲେ ଭଲ । ପଠାଣି ସାମନ୍ତ ଭଳି ବିଦ୍ଵାନଙ୍କ ମାଟିରେ ଲୋକମାନେ କାମ ଧନ୍ଦା ପାଇଁ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ତେଣୁ ଖଣ୍ଡପଡ଼ାର ବିକାଶ ପାଇଁ ମୋତେ ନିର୍ବାଚନରେ ବିଜୟୀ ହେବାକୁ ଯେତେ ପରୀକ୍ଷା ଦେବାକୁ ପଡ଼ିଲେ ମଧ୍ୟ ମୁଁ ଦେବାକୁ ପ୍ରସ୍ତୁତ। ଜୀବନର ଶେଷ ରକ୍ତ ବିନ୍ଦୁ ଥିବା ଯାଏଁ ଖଣ୍ଡପଡ଼ା ଛାଡ଼ିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଥିଲେ । ବିଜେଡି ବାଲା ସଭା କରିବାକୁ ଚାହିଲେ ସରକାରୀ କଳ, ଅର୍ଥ ବଳ, ବାହୁ ବଳ, ଦାମୀ ଗାଡ଼ି ଲାଗିଥାଏ ।  ବିନା ସ୍ୱାର୍ଥରେ ଆଜି ଏହି ମହା ମିଳନ ପର୍ବରେ ଯେପରି ଭାବେ କର୍ମୀମାନେ ଯୋଗ ଦେଇଛନ୍ତି, ତାକୁ ଦୃଷ୍ଟିରେ ରଖି ଆଗାମୀ ପଞ୍ଚାୟତ ନିର୍ବାଚନ ଦଖଲ କରିବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। 
  ଆଜିର ଏହି ସଭାରେ ପାର୍ଟିର ଖଣ୍ଡପଡ଼ା ବ୍ଲକ୍‌ ସଭାପତି ଦୁର୍ଯ୍ୟୋଧନ ସ୍ୱାଇଁ ସଭାପତିତ୍ଵ କରିଥିବା ବେଳେ ଏହାକୁ ଭାପୁର ବ୍ଲକ୍‍ ସଭାପତି ଜିତେନ୍ଦ୍ର କୁମାର ରଣସିଂ ପରିଚାଳନା କରିଥିଲେ।
 

image