23 October 2017
12:28:21 AM
Sambad News
ନୟାଗଡ଼

‘ମିଲିସିଆ ଗିରଫ ଏକ ନାଟକ’ : ଜିଲ୍ଲାପାଳଙ୍କୁ ଭେଟିଲେ ପରିବାର

By Sambad | Date: Jan 10 2017 6:40AM
‘ମିଲିସିଆ ଗିରଫ ଏକ ନାଟକ’ : ଜିଲ୍ଲାପାଳଙ୍କୁ ଭେଟିଲେ ପରିବାର

ନୟାଗଡ଼ : ଗତ ୬ ତାରିଖରେ ନୟାଗଡ଼ ପୁଲିସ ଗଣିଆ ବ୍ଲକ୍‍ ସେନ୍‍ପରି ଜଙ୍ଗଲରୁ ନୂଆ କରି ଗଢ଼ି ଉଠିଥିବା ମାଓ ସଂଗଠନ କେକେବିଏନ୍‍ରେ ମିଲିସିଆ ଭାବେ କାମ କରୁଥିବା ଗୋଚ୍ଛାବାରି ଶଗଡ଼ଭଙ୍ଗା ଗାଁର ସନ୍ତୋଷ ମାଝି(୩୫)ଙ୍କୁ ଗିରଫ କରିଥିବା ଗଣମାଧ୍ୟମ ଆଗରେ କହିଥିଲା। ଘଟଣାର ୩ ଦିନ ପରେ ଏହାର ପ୍ରତିବାଦ ଜଣାଇଛନ୍ତି ପରିବାର ଲୋକେ। ଜିଲ୍ଲାପାଳଙ୍କୁ ଭେଟି ସନ୍ତୋଷଙ୍କୁ ଅନ୍ୟାୟ ଭାବେ ଗିରଫ କରାଯାଇଥିବା କହିଛନ୍ତି। 
 
ପରିବାର ଲୋକଙ୍କ ଅଭିଯୋଗ, ଗତ ୫ ତାରିଖରେ ବନ ବିଭାଗ ପକ୍ଷରୁ ଗାଁ ପାଖରେ ହେଉଥିବା କାମ କରିବାକୁ ଯାଇଥିଲେ ସନ୍ତୋଷ। ସାଙ୍ଗରେ ଗାଁର ଅନ୍ୟମାନେ ବି ଥିଲେ। କାମ କରୁଥିବା ସମୟରେ ଏକ ଧଳା ବୋଲେରୋରେ ୪/୫ଜଣ ବ୍ୟକ୍ତି ପହଞ୍ଚି ସନ୍ତୋଷଙ୍କୁ ଗାଡ଼ିରେ ବସିବାକୁ କହିଥିଲେ। ଅନ୍ୟମାନେ ପଚାରିବାରୁ କାମରେ ଯାଉଛୁ, ସଂଧ୍ୟା ବେଳକୁ ସନ୍ତୋଷ ଫେରି ଆସିବ ବୋଲି କହିଥିଲେ। ଏ ସଂପର୍କରେ ଅନ୍ୟମାନେ ଘରେ ବି କହିଥିଲେ। ଘର ଲୋକେ ସନ୍ତୋଷ ପରିଚିତ ଲୋକଙ୍କ ସହ କୁଆଡ଼େ ଯାଇଥିବ ଭାବି ସେତେ ଗୁରୁତ୍ଵ ଦେଇନଥିଲେ। ପରଦିନ ବି ସନ୍ତୋଷ ଘରକୁ ନଫେରିବାରୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ପଚରାଉଚରା କରିଥିଲୁ। କିନ୍ତୁ ସେଠାରେ କେହି ସନ୍ତୋଷ ସଂପର୍କରେ ଜାଣିନଥିବା କହିଥିଲେ। ପରଦିନ ଜାଣିବାକୁ ପାଇଲୁ କି ସନ୍ତୋଷ ଜେଲ୍‍ରେ ଅଛି ଓ ତାକୁ ମାଓ ସଂଗଠନରେ କାମ କରୁଥିବା କହି ଜେଲ୍‍କୁ ପଠାଇ ଦିଆଯାଇଛି। 
 
ଏ ସଂପର୍କରେ ଜେଲ୍‍ରେ ଯାଇ ପଚାରିବାରୁ ତାଙ୍କୁ ମିଛ କେସ୍‍ରେ ଫସାଇ ଦିଆଯାଇଥିବା ସନ୍ତୋଷ କହିଥିଲେ। ଘଟଣା ସଂପର୍କରେ ଜାଣିବା ପରେ ଆଜି ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ମାଗିବାକୁ ଆସିଛୁ ବୋଲି ପରିବାର ଲୋକେ କହିଛନ୍ତି। ସନ୍ତୋଷଙ୍କ ସ୍ତ୍ରୀ ନିବାସୀ ମାଝି, ବାପା ଭୁବନେଶ୍ୱର ମାଝି ଓ ମା କଳାବତୀ ମାଝି ଆଜି ଜିଲ୍ଲାପାଳଙ୍କୁ ଭେଟି ଏ ସଂପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ନ୍ୟାୟଭିକ୍ଷା କରିଛନ୍ତି। ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

image