17 October 2017
10:11:04 PM
Sambad News
ନୟାଗଡ଼

ଖୋଲୁନି ମଣ୍ଡି, ଚାଷୀ ମୁଣ୍ଡରେ ଚଡ଼କ : ଖଳାରୁ ଉଠାଇ ନେଉଛି ଦଲାଲ

By Sambad | Date: Jan 9 2017 1:56AM
ଖୋଲୁନି ମଣ୍ଡି, ଚାଷୀ ମୁଣ୍ଡରେ ଚଡ଼କ : ଖଳାରୁ ଉଠାଇ ନେଉଛି ଦଲାଲ

ରଣପୁର : କୃଷି ଓ କୃଷକର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ପରିଚାଳନାଗତ ତ୍ରୁଟି ଯୋଗୁ ଚାଷୀମାନଙ୍କର ଉନ୍ନତି ସାଧିତ ହେଉ ନଥିବା ଅଭିଯୋଗ ହେଉଛି। ଏପରିକି ଚାଷୀ ସରକାରୀ ସହାୟତ ପାଇବା ତ ଦୁରର କଥା ମୁଣ୍ଡ ଝାଳ ତୁଣ୍ଡରେ ମାରି ନିଜ ହାତରୁ ପାଣ୍ଠିରୁ ଅମଳ କରୁଥିବା ଫସଲକୁ ଉଚିତ୍‌ ମୁଲ୍ୟରେ ବଜାରରେ ବିକ୍ରୟ କରିପାରୁନାହାନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ରଣପୁର ଅଞ୍ଚଳରେ ଧାନର ଅଭାବୀ ବିକ୍ରି। ଅଦ୍ୟାବଧି ସରକାରୀ ଧାନମଣ୍ଡି ଖୋଲିବାରେ ସରକାର ଅହେତୁକ ବିଳମ୍ବ ହୋଇଛି। ଫଳରେ ଚାଷୀ ଅନ୍ୟ ଉପାୟ ନ ପାଇ ବାଧ୍ୟରେ ଦଲାଲକୁ ନିର୍ଦ୍ଧାରିତ ମୂଲ୍ୟଠାରୁ କମ୍‌ ଦରରେ ଧାନ ବିକ୍ରି କରୁଛନ୍ତି। ଏପରିକି ଧାନ ଅମାରକୁ ମୁଣ୍ଡିଟିଏ ଧାନ ଯାଉ ନଥିବା ବେଳେ ଦଲାଲ ବିଲ ମଝିରୁ ଉଠାଇ ନେଉଛି।  
 
କୃଷକମାନଙ୍କ ପାଇଁ ଧାନର ସହାୟକ ମୁଲ୍ୟ ଏବଂ ବୋନସ୍‌ ଘୋଷଣା କରିଥିବା ବେଳେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ଚାଷୀମାନେ ସହାୟକ ମୁଲ୍ୟ ଏବଂ ବୋନସ୍‌ ପାଇପାରୁନାହାନ୍ତି। ନୟାଗଡ଼ ଜିିଲ୍ଲାପାଳ ଅରିନ୍ଦମ୍‌ ଡାକୁଆ ଗତ ୨୦୧୬ ମସିହା ଡିସେମ୍ବର ୨୮ ତାରିଖରେ ଜିଲ୍ଲାର ସମସ୍ତ ମିଲର ମାନଙ୍କୁ ଡାକି ଧାନ ମଣ୍ଡି ଖୋଲିବା ପାଇଁ ବୈଠକ କରିଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ ଯେଉଁ ମିଲର୍‌ ଗତବର୍ଷର ଧାନ ସଂଗ୍ରହ ଅଟକଳ କାଗଜାତ ଠିକ୍‌ ରଖିଛନ୍ତି ସେହି ମାନଙ୍କୁ ୭ ଦିନ ମଧ୍ୟରେ ଯଥା ଜାନୁଆରି ୬ ତାରିଖରେ ଧାନ ମଣ୍ଡି ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦିନ ଗଡ଼ି ଚାଲିଛି ହେଲେ ଧାନମଣ୍ଡି ଖୋଲୁନି। ଫଳରେ ଚାଷୀମାନେ ଋଣ ସୁଝିବା ଆଦି ବିଭିନ୍ନ କାର୍ଯ୍ୟ କରିପାରୁ ନାହାଁନ୍ତି। କେଉଁ ଚାଷୀ ଧାନ ଖଳାରେ ଧାନ ଜମା ରଖିଛି ତ ଆଉ କିଏ ଧାନ ଜମିରେ ଧାନ ଝାଡ଼ି ମଣ୍ଡିକୁ ଅପେକ୍ଷା କରିଛି। ଏହାର ସୁଯୋଗ ନେଇ ଦଲାଲ ଚାଷୀଙ୍କ ଠାରୁ ସରକାରୀ ନିର୍ଦ୍ଧାରିତ ମୂଲ୍ୟ ୧୪୪୦ଟଙ୍କା ପରିବର୍ତ୍ତେ ୮୦୦-୯୦୦ ଟଙ୍କାରେ ଚାଷୀଙ୍କ ଠାରୁ ଧାନ କମ୍‌ ଦରରେ କିଣୁଛନ୍ତି। 
 
ଅପରପକ୍ଷେ ଅନେକ ଚାଷୀ ଧାର କରଜ କରି ଧାନ ଫସଲ କରୁଥିବା ବେଳେ ସାହୁକାରକୁ ପଇସା ସୁଝିବା ଉଦ୍ଦେଶ୍ୟରେ ବାଧ୍ୟ ହୋଇ କଷ୍ଟ ଅର୍ଜିତ ଧନକୁ ଦଲାଲ ହାତରେ ଟେକି ଦେଉଛି। ଅପରପକ୍ଷେ ଗୋପାଳପୁର, ଦର୍ପନାରାୟଣପୁର, ଡମସାହି, ଖତିଆ, ସୁନାଖଳା, ଚାନ୍ଦପୁର, ଗଡ଼ବାଣିକିଲୋ ଆଦି ଅଞ୍ଚଳରେ ଦଲାଲ ସକ୍ରିୟ ରହିଛନ୍ତି ଓ ଗୋପାଳପୁର ଅଞ୍ଚଳରେ ନିଜ ଘରେ ଗୋଦାମ ଗୃହ କରି ଦଲାଲମାନେ ଶହଶ୍ର ବସ୍ତା ଧାନ ଜମା କରି ରଖିଥିବା ଜଣାଯାଇଛି। ତେବେ ଖୁବ୍‌ ଶିଘ୍ର ମଣ୍ଡି ଖୋଲାଯାଇ ଏହି ସବୁ ସମସ୍ୟା ଦୁର କରାଯିବ ବୋଲି  ତହସିଲଦାର ଗାୟତ୍ରୀ ଦେବୀ କହିଛନ୍ତି।

image