18 October 2017
11:56:33 PM
Sambad News
ନବରଙ୍ଗପୁର

ସମସ୍ୟା ଯେତିକି ଚ୍ୟାଲେଞ୍ଜ ବି ସେତିକି

ନବରଙ୍ଗପୁର ଜିଲ୍ଲାପରିଷଦ ଜୋନ-୧ ି

By Sambad | Date: Jan 7 2017 11:09AM
ସମସ୍ୟା ଯେତିକି ଚ୍ୟାଲେଞ୍ଜ ବି ସେତିକି

ନବରଙ୍ଗପୁର: ଆସନ୍ତା ମାସରେ ପଞ୍ଚାୟତ ନିର୍ବାଚନ। ବୃଦ୍ଧିପାଉଛି ରାଜନୈତିକ ଉଷ୍ମତା। ସବୁ ଦଳରେ ଚାଲିଛି ପ୍ରାର୍ଥୀ ଚୟନ । ଆଉ କିଛି ଦିନ ଗଲେ ପ୍ରଚାର ଜୋରଦାର ହୋଇଯିବ। ଲୋକଙ୍କୁ ବିଭିନ୍ନ ପ୍ରତିଶ୍ରୁତିରେ ନେତାମାନେ ପୋତି ପକାଇବେ। ହେଲେ ନବରଙ୍ଗପୁର ବ୍ଲକ ଜିଲ୍ଲା ପରିଷଦ ଜୋନ-୧ରେ ଲୋକଙ୍କ ସମସ୍ୟା ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି।  ଉକ୍ତ ଜୋନରେ ରହିଛି ୬ଟି ପଞ୍ଚାୟତ। ବାସିନୀ, ବଡମସିଗାଁ, ସାନମସିଗାଁ, ଭତରାସିଉନୀ, ଚଟାହାଣ୍ଡି ଓ ସିନ୍ଧିଗାଁକୁ ନେଇ ଏହି ଜୋନ ଗଠିତ। ପୂର୍ବରୁ ଏହି ଜୋନଟି ଏସଟି (ମହିଳା) ପାଇଁ ସଂରକ୍ଷିତ ଥିଲା। ଏଥର  ଓବିସି (ମହିଳା) ପାଇଁ ସଂରକ୍ଷିତ ରଖାଯାଇଛି।

ବ୍ଲକ ସଦର ମହକୁମାରୁ ସବୁ ପଞ୍ଚାୟତ ୨୦ରୁ ୩୦କିମି ପରିଧି ମଧ୍ୟରେ ରହିଛି। ଗୋଟିଏ ପଟେ ପାପଡାହାଣ୍ଡି ବ୍ଲକ ଅନ୍ୟପଟେ କୋଷାଗୁମୁଡା ବ୍ଲକ ସହ ଏକ ପାର୍ଶ୍ୱରେ ଇନ୍ଦ୍ରାବତୀ ନଦୀ ବୋହିଯାଇଛି। ସେହିପରି ତୁରୀ ଓ ଗୁଣଥାଟ ନଦୀ ମଧ୍ୟ ଏହି ସବୁ ପଂଚାୟତ ଦେଇ ଯାଇଛି।  ବର୍ଷା ମାସରେ ଏହି ୬ଟି ଯାକ ପଞ୍ଚାୟତର ବହୁ ଗାଁ ଜଳବନ୍ଦୀ ଅବସ୍ଥା ରହିଥାନ୍ତି। ବର୍ଷ ତମାମ ଏହି ୬ଟି ଯାକ ପଞ୍ଚାୟତର ଲୋକେ  କାମ ପାଆନ୍ତି ନାହିଁ। ତେଣୁ ବାଧ୍ୟ ହୋଇ ଏମାନେ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଯାଆନ୍ତି। ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁୁଡି ପଡିଛି। ସ୍ୱାସ୍ଥ୍ୟସେବା କଥା ନ କହିବା ଭଲ। ଯଦିଓ କିଛି ଗାଁକୁ ପିଚୁ ରାସ୍ତା ରହିଛି ଏଗୁଡ଼ିକ  ଅବସ୍ଥା ଅତିଶୋଚନୀୟ।
 

ଗର୍ଭବତୀ ମହିଳା ରକ୍ତହୀନତାରେ ଶିକାର ହୋଇ ପ୍ରାଣ ହରାଉଛି। ନବଜାତ ଶିଶୁ ଅପପୁଷ୍ଟିରେ  ଜୀବନ ହାରୁଛି। ଗାଁରେ ବହୁ ବୃଦ୍ଧବୃଦ୍ଧା ପେନସନ୍‌ ପାଇ ନ ଥିବା ଅଭିଯୋଗ ହୋଇଛି। ଏହି ଜୋନର ଗାଁ ଗୁଡିରେ ସରକାରୀ ବାବୁଙ୍କ ପାଦ କେବେ ପଡେନି ବୋଲି ଅନେକ ଗ୍ରାମବାସୀ କହିଛନ୍ତି। ଏହି ଜୋନରେ ଥିବା ୨୨ଟି ରାଜସ୍ୱ ଗାଁ ୫୦ଟି ପଡାରେ ସବୁଠି ଏକା ଅବସ୍ଥା ବୋଲି ହରି ଭତରା, ରାମ ରନ୍ଧାରୀ କହିଛନ୍ତି। ଡାକ୍ତରଖାନା କହିଲେ ଯଦିଓ ସାନମସିଗାଁରେ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ତେବେ ବହୁ ସମୟରେ ଏଠାରେ କେହି ରହୁ ନ ଥିବା ଅଭିଯୋଗ ହୋଇଛି। ବହୁ ସମୟରେ ଏଠାକାର ଲୋକେ କୋଷାଗୁମୁଡା କିମ୍ବା ନବରଙ୍ଗପୁର ଡାକ୍ତରଖାନାକୁ ଆସନ୍ତି।

ଉକ୍ତ ଜୋନର ବଡ ରାଜସ୍ୱ ଗାଁରେ ଭତରାସିଉନୀ ଓ ସିରସୀ ଗାଁକୁ ଯିବାକୁ ରାସ୍ତାଅଛି। ହେଲେ ତୁରୀ, ଗୁଣିତାଟର ମିଳନସ୍ଥଳୀରେ ପାଣିରେ ପଶି ନଦୀ ପାର ହେବାକୁ ପଡ଼ୁଛି। ତେବେ ଗତ କିଛି ମାସ ତଳେ ସିରସୀରୁ ଭତରାସିଉନୀ ରାସ୍ତାକୁ ଆରଡି (ଗ୍ରାମ୍ୟ ଉନ୍ନୟନ) ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ସଂପ୍ରତି ପଞ୍ଚାୟତ ନିର୍ବାଚନ ପୂର୍ବରୁ କାମ ଆରମ୍ଭ ହୋଇଛି । ଏହି ଜୋନର ୬ଟି ଯାକ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ସଭ୍ୟ ଆସନକୁ ଗତ ନିର୍ବାଚନରେ ବିଜେଡି ହାତେଇଥିଲା। ତେବେ ଉକ୍ତ ଜୋନରେ ଥିବା ସମସ୍ୟାକୁ ସୁଧାରିବା ପାଇଁ କେଉଁ ଦଳ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇ  ଏଥର ଲୋକଙ୍କ ମନ ଜିୁତୁଛି ତାହା ଦେଖିବାକୁ ବାକି ରହିଲା।
 

image