24 November 2017
5:32:37 AM
Sambad News
ମହାନଗର

ବାଣୀବିହାର ଛକ ବିବାଦ କ୍ୟାମ୍ପସ୍‌କୁ ବ୍ୟାପିଲା: ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ

ଛକାପଞ୍ଝା: ବ୍ୟାପକ ପୁଲିସ ମୁତୟନ

By Sambad | Date: Aug 24 2016 9:43AM
ବାଣୀବିହାର ଛକ ବିବାଦ କ୍ୟାମ୍ପସ୍‌କୁ ବ୍ୟାପିଲା: ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର: ବାଣୀବିହର ଛକରେ ଥିବା ଏକ ପାନ ଦୋକାନ ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଛାତ୍ରଗୋଷ୍ଠୀ। ବାଣୀବିହାର ଛକରୁ ଆରମ୍ଭ ହୋଇଥିବା ବିବାଦ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ପର୍ଯ୍ୟନ୍ତ ବ୍ୟାପିଛି। ବାଣୀବିହାର ଛକରେ ଦୋକାନ ବଜାର ବନ୍ଦ ହେବା ସହ ବ୍ୟବସାୟୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି। କ୍ୟାମ୍ପସ୍‌ରେ ଉତ୍ତେଜନା ଓ ଛକାପଞ୍ଝା ଲାଗିରହିଥିବାରୁ ସେଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ସୂଚନା ଅନୁଯାୟୀ,  ବାଣୀବିହାର ଛକ ଉପରେ ଜଣେ ବ୍ୟବସାୟୀ ନିଜ ପାନ ଦୋକାନ ସମ୍ମୁଖରେ ଏକ ହୋଡିଂ ଲଗାଇଥିଲେ। ମାତ୍ର ଆଜି ସନ୍ଧ୍ୟାରେ ଦୋକାନ ନିକଟରେ ଥିବା ଏକ ଅଟୋ ସଂଘର କେତେଜଣ ଚାଳକ ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ଅଟୋ ଚାଳକ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ପାନ ଦୋକାନକୁ ଆସିଥିବା ଉତ୍କଳ ବିଶ୍ୱବିଦ୍ୟାଳୟର କେତେଜଣ ଛାତ୍ର ପାଟିତୁଣ୍ଡ କରିବାକୁ ମନାକରିବାରୁ ଅଟୋ ଚାଳକମାନେ ଛାତ୍ରଙ୍କ ଉପରକୁ ହାତ ଉଠାଇଥିଲେ। ଏନେଇ ଛାତ୍ର ଏବଂ ଅଟୋ ଚାଳକଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଖବର ପ୍ରଚାରିତ ହେବା ପରେ ଅଟୋ ସଂଘ ସହ ସମ୍ପୃକ୍ତ ଥିବା ଅନ୍ୟ ଏକ ଗୋଷ୍ଠୀର ଅଣଛାତ୍ର ଏବଂ ଛାତ୍ର ଘଟଣାସ୍ଥଳରେ ପହଞ୍ଚିବାରୁ ବିବାଦ ଉଗ୍ରରୂପ ନେଇଥିଲା। ଦୋକାନ ସମ୍ମୁଖରେ ଜାତୀୟ ରାଜପଥ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଯାଇଥିଲା। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଉଭୟ ଅଟୋ ଚାଳକ ସଂଘ ଏବଂ ଛାତ୍ରମାନେ ଥାନାକୁ ଯାଇ ଅଭିଯୋଗ କରିଥିଲେ।
 
ପରିସ୍ଥିତିରେ କିଛିଟା ସୁଧାର ଆସିଥିଲେ ମଧ୍ୟ ଉତ୍ତେଜନା କମି ନ ଥିଲା। ପୁଲିସ ଘଟଣା ସ୍ଥଳରୁ ପଳାଇ ଯିବାର କିଛି ସମୟ ପରେ ଅଟୋଚାଳକଙ୍କୁ ସମର୍ଥନ ଦେଉଥିବା କେତେଜଣ ଅଣଛାତ୍ର ଓ ଛାତ୍ର ବାଇକ୍‌ରେ ଆସି ହୋଡିଂ ଏବଂ ଦୋକାନ ଭଙ୍ଗାରୁଜା କରିଥିଲେ। ଦୋକାନ ଭଙ୍ଗାରୁଜା କରିବା ପରେ ଅଣଛାତ୍ରମାନେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ପ୍ରବେଶ କରି ମଧୁସୂଦନ ଛାତ୍ରାବାସ ସମ୍ମୁଖରେ ହୋହଲ୍ଲା କରିଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। କ୍ୟାମ୍ପସ୍‌ରେ ପରିସ୍ଥିତି ଅଶାନ୍ତ ହେବାରୁ ସହିଦନଗର ଥାନା ଆଇଆଇସି କ୍ୟାମ୍ପସ୍‌ରେ ପାଟ୍ରୋଲିଂ କରିଥିଲେ। ରିପୋର୍ଟ ଲେଖା ହେବା ବେଳକୁ କ୍ୟାମ୍ପସ୍‌ରେ ଚାପା ଉତ୍ତେଜନା ଲାଗି ରହିଥିଲା। ବାଣୀବିହାର ଛକ ଏବଂ କ୍ୟାମ୍ପସ୍‌ରେ ଦୁଇ ପ୍ଲାଟୁନ୍‌ରୁ ଅଧିକ ପୁଲିସ ମୁତୟନ କରାଯାଇଛି।

image