23 October 2017
7:02:22 PM
Sambad News
ମହାନଗର

ଖରା, ବର୍ଷା ସଦାବେଳ ଷ୍ଟୋଲ୍‌

By Sambad | Date: Aug 24 2016 10:36AM
ଖରା, ବର୍ଷା ସଦାବେଳ ଷ୍ଟୋଲ୍‌

ଭୁବନେଶ୍ୱର: ଖରାର ଦାଉରୁ ରକ୍ଷା ପାଇବା ପାଇଁ ବଜାରକୁ ଆସିଥିଲା ଷ୍ଟୋଲ୍‌। ଏହି ଷ୍ଟୋଲ୍‌ ମୁହଁରେ ବାନ୍ଧିଲେ ସୂର୍ଯ୍ୟ କିରଣ ପଡ଼ିବନି କି  ଗାଡ଼ି ମୋଟରର ଧୂଳି ଲାଗିବନି।  ଧୀରେ ଧୀରେ ଷ୍ଟୋଲ୍‌ର ଚାହିଦା ଏତେ ବଢ଼ିଗଲା ଯେ ଖାଲି ଝିଅ ନୁହେଁ ପୁଅମାନେ ବି ଏହାକୁ ମୁହଁରେ ବାନ୍ଧି ବୁଲିଲେ। କିନ୍ତୁ ଏବେ ଧାରା ବଦଳିଯାଇଛି। ଆଉ ଖରାକୁ ଅପେକ୍ଷା କରିବାକୁ ପଡ଼ୁନି। ବର୍ଷା ଦିନରେ ବି ଷ୍ଟୋଲ୍‌ର ଚାହିଦା ରହିଛି। ଖରା, ବର୍ଷା, ଶୀତ ସଦାବେଳେ ଏବେ ଷ୍ଟୋଲ୍‌ର ଡିମାଣ୍ଡ ରହୁଛି।
 
କଲେଜ ହେଉ ବା ଅଫିସ୍‌ କିମ୍ବା ପାର୍ଟି ସବୁଠି ଏବେ ଷ୍ଟୋଲ୍‌ ବ୍ୟବହାର କରିବାକୁ ସମସ୍ତେ ପସନ୍ଦ କରୁଛନ୍ତି।  କିନ୍ତୁ ସମସ୍ତଙ୍କର ବ୍ୟବହାର କରିବାର ଶୈଳୀ କିଛି ନିଆରା। ଷ୍ଟୋଲ୍‌କୁ କିଏ କାନ୍ଧର ଦୁଇ ପାର୍ଶ୍ୱ ଦେଇ ଆଗ ପଟକୁ ପକାଉଛି ତ କିଏ ପୁଣି ସଟ୍‌ ସାର୍ଟରେ ତିନି କୋଣିଆ କରି ପକାଉଛି। ଏହାଛଡ଼ା ନାନା ରକମର ଗଣ୍ଠି ଦେଇ ମଧ୍ୟ ଷ୍ଟୋଲ୍‌ରେ ନୂଆ ଡିଜାଇନ୍‌ କରିହେଉଛି। ଏସବୁ ଡିଜାଇନ୍‌ରୁ ହିଁ ଝିଅଙ୍କ ଲୁକ୍‌ ବାରି ହୋଇପଡ଼ୁଛି। 
 
ଫର୍ମାଲ ଓ କାଜୁଆଲ ପୋଷାକରେ ଷ୍ଟୋଲ୍‌ ପକାଇଲେ ଏହା ପାରମ୍ପରିକ ଲୁକ୍‌ ଦେଉଛି। ବିଶେଷ କରି ଅଫିସରେ ଟିକେ ସ୍ମାର୍ଟ ଏବଂ ଭିନ୍ନ ଦେଖାଯିବା ପାଇଁ ଏବେ ଝିଅମାନେ ଷ୍ଟୋଲ୍‌କୁ ଅଧିକ ପସନ୍ଦ କରୁଛନ୍ତି। ଏହା ବ୍ୟତୀତ ଅଫିସ୍‌ରେ ହାଲୁକା ରଙ୍ଗର ପୋଷାକ ସାଙ୍ଗକୁ ଗାଢ଼ ରଙ୍ଗର ଷ୍ଟୋଲ୍‌ କିଛି ଭିନ୍ନ ଲୁକ୍‌ ଦେଉଛି। ଯଦି ସେହି ଷ୍ଟୋଲ୍‌କୁ ଭିନ୍ନ ଭିନ୍ନ ଢ଼ଙ୍ଗରେ ବାନ୍ଧି ଦିଆଯାଉଛି ତା’ହେଲେ ତା’ର ଡିଜାଇନ୍‌ ଆହୁରି ବଢ଼ିଯାଉଛି। ଷ୍ଟୋଲ୍‌ କେବଳ ଗୋଟିଏ ରଙ୍ଗର କି ଗୋଟିଏ କପଡ଼ାର ନ ଥାଏ। ବିଭିନ୍ନ ଡିଜାଇନ୍‌ର ଷ୍ଟୋଲ୍‌ ବଜାରରେ ମିଳୁଛି। ଯେମିତିକି କଟନ୍‌, ସିଫନ୍‌, ସିଲ୍କ, କ୍ରେପ୍‌ ବା ଜର୍ଜେଟ୍‌, ଉଲେନ୍‌, ଭେଲ୍‌ଭେଟ୍‌ ଆଦି କପଡ଼ାର ମିଳୁଛି। ସେହି କପଡ଼ାରେ ଯଦି ରଙ୍ଗବେରଙ୍ଗର ମାଳି, ଲଟ୍‌କନ୍‌ ଏବଂ ଛୋଟ ମିରର୍‌ ଲାଗିଯାଉଛି ତା’ର ଚାହିଦା ଅଧିକ ବଢ଼ିଯାଉଛି। ଏହାକୁ କେବଳ ମୁହଁରେ ବାନ୍ଧି ହେବ ନାହିଁ ସାଲ୍‌ ଭଳି ମଧ୍ୟ ପକାଇ ହେଉଛି। ସାଧାରଣତଃ ମହିଳାମାନେ ଏହାକୁ ବ୍ୟବହାର କରିବାକୁ ବେଶି ପସନ୍ଦ କରୁଛନ୍ତି। ସେପଟେ ଝିଅଙ୍କ କ୍ଷେତ୍ରରେ ଫ୍ଲୋରାଲ୍‌ ଏବଂ ଫ୍ୟାବ୍ରିକ୍‌ ଡିଜାଇନ୍‌ର ଷ୍ଟୋଲ୍‌ ଅଧିକ ଚାହିଦାରେ ରହିଛି। 
 
ୟୁନିଟ୍‌-୨ ରେ ଷ୍ଟୋଲ୍‌ ଦୋକାନ କରିଥିବା ରାମୁ ବେହେରା କୁହନ୍ତି, ଏବେ ଖରା, ଶୀତ, ବର୍ଷାରେ ବି ଷ୍ଟୋଲ୍‌ର ଚାହିଦା ରହିଛି। କଲେଜ ପଢ଼ୁଆ ଝିଅମାନେ ଏହାକୁ ବେଶି କିଣୁଛନ୍ତି। ଫୁଟପାଥ୍‌ରେ ୧୫୦ରୁ ୩୦୦ଟଙ୍କା ପର୍ଯ୍ୟନ୍ତ ମିଳୁଥିବାବେଳେ ବିଭିନ୍ନ ମଲ୍‌ରେ ୨୫୦ରୁ ୧୨୦୦ଟଙ୍କା ଉପରେ ରହିଛି। ଆଉ ଯେତେବେଳେ ତୋଷାଳି, ହସ୍ତତନ୍ତ ମେଳା ପଡ଼ିଯାଏ ସେତେବେଳେ ଏହି ଷ୍ଟୋଲ୍‌ର ଚାହିଦା ଆହୁରି ବଢ଼ିଯାଏ ବୋଲି ସେ କୁହନ୍ତି। 

image