23 October 2017
7:02:12 PM
Sambad News
ମହାନଗର

କୁକୁରଙ୍କ ପାଇଁ ହଷ୍ଟେଲ

By Sambad | Date: Aug 23 2016 10:50AM
କୁକୁରଙ୍କ ପାଇଁ ହଷ୍ଟେଲ

 ଭୁବନେଶ୍ୱର : କୁକୁରଙ୍କ ପାଇଁ ହଷ୍ଟେଲ। ଶୁଣିବାକୁ ଟିକେ ଅଖାଡ଼ୁଆ ଲାଗୁଛି। କିନ୍ତୁ ଏହା ସତ। ଖାସ୍‌ କୁକୁରଙ୍କ ରହିବା ପାଇଁ ହିଁ ହଷ୍ଟେଲ୍‌ କରାଯାଇଛି। ଭୁବନେଶ୍ୱରର ନୀଳାଦ୍ରି ବିହାରରେ ଖୋଲାଯାଇଥିବା ଏହି ହଷ୍ଟେଲ୍‌ର ନାଁ ରହିଛି ‘ଟେଲ୍‌ ଓ୍ଵାଗର୍ସ’। 

ରାଜଧାନୀରେ ବହୁ ଲୋକ କୁକୁର ପାଳୁଛନ୍ତି। କିନ୍ତୁ ସହର ବାହାରକୁ ସପରିବାର କୌଣସି କାମରେ ଗଲା ବେଳକୁ କେଉଁଠି କୁକୁରକୁ ଛାଡ଼ିକି ଯିବେ, ତାହା ସବୁଠାରୁ ବଡ଼ ଚିନ୍ତା ପାଲଟିଯାଉଛି। ସେହି ସମସ୍ୟାର ସମାଧାନ ପାଇଁ ଏପରି ହଷ୍ଟେଲ୍‌ ଏକ ଭଲ ମାଧ୍ୟମ ହୋଇପାରୁଛି। ଯେତିକି ଦିନ ପର୍ଯ୍ୟନ୍ତ ବାହାରକୁ ଯିବେ, ସେଠାରେ କୁକୁର ଛାଡ଼ିକି ଯାଇପାରିବେ। 
ଏହି ହଷ୍ଟେଲ୍‌ରେ ରହିଛି କୁକୁରମାନଙ୍କ ପାଇଁ ସ୍ୱତନ୍ତ୍ର କୋଠରୀ। ସେମାନଙ୍କୁ ଘର ଭଳି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଏ। ଖରା ଦିନେ ସେମାନଙ୍କ ପାଇଁ ଏସି ବ୍ୟବସ୍ଥା ମଧ୍ୟ ରହିଛି। ପ୍ରତିଦିନ ସେମାନଙ୍କୁ ବ୍ରସ୍‌ ମାରି ସଫା କରିବା, ନିୟମିତ ବ୍ୟବଧାନରେ ଗାଧୋଇବା, ଗାଧୋଇବା ପରେ ଡ୍ରାୟର ମାରି ସେମାନଙ୍କୁ ଶୁଖାଯାଏ।  କୁକୁର ମାଲିକ କୁକୁରକୁ ହଷ୍ଟେଲ୍‌ରେ ଛାଡ଼ିବା ବେଳେ ଏକ ଫର୍ମ ପୂରଣ କରିଥାନ୍ତି। ସେଥିରେ କୁକୁର ବିଷୟରେ ସମସ୍ତ ତଥ୍ୟ ଦେବାକୁ ପଡ଼େ। ଯେପରି କୁକୁରର ବୟସ, ନାମ, ଲିଙ୍ଗ, ସେ କ’ଣ ଖାଏ ଓ ମାଲିକଙ୍କ ଫୋନ୍‌ ନମ୍ବର ଓ ସମ୍ପୂର୍ଣ୍ଣ ଠିକଣା ଇତ୍ୟାଦି। ଫର୍ମରେ ଲେଖାଥିବା ଖାଦ୍ୟ ଅନୁସାରେ କୁକୁରକୁ ଖାଇବାକୁ ଦିଆଯିବା ସହ ଦେହ ଖରାପ ହେଲେ ଡାକ୍ତରଙ୍କ ସହ ପରାମର୍ଶ ବି କରାଯାଏ। ହଷ୍ଟେଲରେ ରହିବା ସମୟରେ ଯଦି କୁକୁରଟି କୌଣସି କାରଣରୁ ମରିଯାଏ ତେବେ ଏଥିପାଇଁ ହଷ୍ଟେଲ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। 
ହଷ୍ଟେଲ ମାଲିକ ବ୍ରିଜେଶ ଦାସଙ୍କ କହିବା ଅନୁଯାୟୀ ଦଶହରା, ଖରାଛୁଟି କିମ୍ବା ଏକ୍ସମାସ୍‌ ଆଦି ଛୁଟି ଦିନଗୁଡ଼ିକରେ ୩୦ରୁ ୩୫ ପର୍ଯ୍ୟନ୍ତ କୁକୁର ରୁହନ୍ତି। ସାଧାରଣ ଦିନରେ ୧୦/୧୫ କୁକୁର ଥା’ନ୍ତି। ଭିନ୍ନ ଭିନ୍ନ କୁକୁରଙ୍କ ପାଇଁ ଅଲଗା ଅଲଗା ଦାମ୍‌ ରହିଛି। ଯେପରି ଗ୍ରେଡେନ୍‌ ଓ ସେଣ୍ଟ ବନାର୍ଡ ଆଦି କୁକୁର ରହିବା ପାଇଁ ଦିନ ପିଛା ୬୦୦ ଟଙ୍କା ଥିବା ବେଳେ ଲାବ୍ରାଡୋର ଭଳି କୁକୁରଙ୍କ ପାଇଁ ଦିନକୁ ୪୦୦ଟଙ୍କା ଏବଂ ପଗ୍‌ ଭଳି କୁକୁରଙ୍କ ପାଇଁ ୩୦୦ ଟଙ୍କା ଲେଖାଏଁ ରହିଛି। ଦେହ ଖରାପ ସମୟରେ ତା’ର ଯତ୍ନ ନେଇ ନ ପାରିଲେ, ଛୁଆ ଦେବାକୁ ଯାଉଥିଲେ, ବ୍ୟବହାରରେ ପରିବର୍ତ୍ତନ ଆଣିବା ପାଇଁ ମଧ୍ୟ କୁକୁରକୁ ହଷ୍ଟେଲ୍‌ରେ ଛଡ଼ାଯାଇଥାଏ। 
ଶ୍ରୀ ଦାସ କୁହନ୍ତି, ‘ଛୋଟ ବେଳୁ ମୋର କୁକୁରଙ୍କ ପ୍ରତି ସ୍ୱତନ୍ତ୍ର ଆକର୍ଷଣ ଥିଲା। ଘରେ ୮ଟି କୁକୁର ବି ଥିଲେ। କୋଲକାତାରେ ରହି ଚାକିରି କରୁଥିବା ସମୟରେ ବି ଦୁଇଟି କୁକୁର ରଖିଥିଲି। କିନ୍ତୁ ବାହାରକୁ କୁଆଡ଼େ ଯିବା ସମୟରେ କୁକୁରମାନଙ୍କୁ କେଉଁଠି ଛାଡ଼ିବି ଓ କିଏ ତାର ଯତ୍ନ ନେବ, ଏହା ସବୁଠାରୁ ବଡ଼ ସମସ୍ୟା ଥିଲା। ଭୁବନେଶ୍ୱର ଫେରିଲା ପରେ ଏଭଳି ଏକ ହଷ୍ଟେଲ ଖୋଲିବା ପାଇଁ ନିଷ୍ପତ୍ତି ନେଲି।’
ଏହା ଏକ ନୂଆ ପଦକ୍ଷେପ ହୋଇଥିବାରୁ ଆରମ୍ଭରୁ କୁକୁର ମାଲିକମାନେ ଗ୍ରହଣ କରିପାରୁ ନ ଥିଲେ। ଏବେ ଧୀରେ ଧୀରେ ଏହାକୁ ଗ୍ରହଣ କରିବା ସହିତ କୁକୁରକୁ ହଷ୍ଟେଲ୍‌ରେ ଛାଡ଼ି ନିଶ୍ଚିନ୍ତରେ ବାହାରକୁ ଯାଇପାରୁଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।

image