17 October 2017
10:24:10 PM
Sambad News
ମହାନଗର

ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ୍‌ : କ୍ୟାମ୍ପସରେ ଛକାପଞ୍ଝା

By Sambad | Date: Aug 12 2017 3:49AM
ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ୍‌ : କ୍ୟାମ୍ପସରେ ଛକାପଞ୍ଝା

୪୨ ଦିନ ଆଗରୁ ଛାତ୍ର ସଂସଦ ନିର୍ବାଚନ ଲାଗି ବାଜିଲା ବିଗୁଲ୍‌। କେହି କିଛି ବୁଝିବା ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର ମାଷ୍ଟର ଷ୍ଟ୍ରୋକ୍‌କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଛାତ୍ର ସଙ୍ଗଠନ। ତାରିଖ ଆଗୁଆ ଘୋଷଣା ହେଉଥିବା ଜାଣି ଛାତ୍ର ବିଜେଡିର ଛାତ୍ରନେତା ଏବେ ଶିକ୍ଷାନୁଷ୍ଠାନ ମୁହାଁ ହୋଇଥିବା ବେଳେ ଏବିଭିପି ଏବଂ ଛାତ୍ର କଂଗ୍ରେସ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରି ନାହାନ୍ତି। ଅବଶ୍ୟ ଛାତ୍ର ବିଜେଡି କେତେକ ସ୍ଥାନରେ ପ୍ରାର୍ଥୀ ଚୟନ କରିସାରିଛି। ହେଲେ ଅନ୍ୟ ଦୁଇ ଛାମୁଆ ସଙ୍ଗଠନ ଏବେ ବି ପ୍ରାର୍ଥୀ ଖୋଜୁଛନ୍ତି। ରାଜଧାନୀ କ୍ୟାମ୍ପସ ରାଜନୀତି ଏବେ ଚରମ ସୀମାରେ ପହଞ୍ଚିଛି। କିଏ କାହାକୁ ପ୍ରାର୍ଥୀ କରିବେ ତାହାକୁ ନେଇ ଚାଲିଛି ଛକାପଞ୍ଝା।
 

ବାଣୀବିହାରରେ ବଳ କଷାକଷି

କ୍ୟାମ୍ପସ ରାଜନୀତିର ପ୍ରାଣକେନ୍ଦ୍ର ବାଣୀବିହାରରେ ଆରମ୍ଭ ହୋଇଯାଇଛି ବଳ କଷାକଷି। ଛାତ୍ର ବିଜେଡି ପକ୍ଷରୁ ଇତି ମଧ୍ୟରେ ଗୋଟିଏ ଦୁଇଟି ପଦକୁ ଛାଡ଼ି ପ୍ରାର୍ଥୀ ଚୟନ ଶେଷ ହୋଇଥିବା ବେଳେ ଏବିଭିପି ଏବଂ ଛାତ୍ର କଂଗ୍ରେସର ସଭାପତି ପ୍ରାର୍ଥୀ ଚୟନ ମଧ୍ୟ କରାଯାଇଛି। କେବଳ ନାମ ଘୋଷଣାକୁ ବାକି ରହିଛି। ପବ୍ଲିକ ଆଡ୍‌ମିନିଷ୍ଟ୍ରେସନ୍‌ର ଛାତ୍ର ରତନ୍‌ ଦିଗଲ୍‌ ଏବିଭିପିରୁ ସଭାପତି ପ୍ରାର୍ଥୀ ହେଉଥିବା ବେଳେ ଛାତ୍ର କଂଗ୍ରେସରୁ ସୌମ୍ୟ ରଞ୍ଜନ ଜେନା ସଭାପତି ପ୍ରାର୍ଥୀ ହେଉଥିବା କ୍ୟାମ୍ପସରେ ଚର୍ଚ୍ଚା ହେଉଛି। ୨ରୁ ୩ ଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ଦୁଇଟି ଯାକ ସଙ୍ଗଠନ ପକ୍ଷରୁ କୁହାଯାଇଛି।
 
ନିର୍ବାଚନ ପ୍ରସ୍ତୁତିରେ ଅନ୍ୟ ଦୁଇ ସଙ୍ଗଠନ ଅପେକ୍ଷା କିଛିଟା ଆଗରେ ରହିଛି ଛାତ୍ର ବିଜେଡି। ପୂର୍ବତନ କୁଳପତିଙ୍କୁ ବିଦାୟ ଓ ନୂଆ କୁଳପତିଙ୍କୁ ସ୍ୱାଗତ ଉତ୍ସବ ଆଳରେ ନିଜର ଶକ୍ତି ପ୍ରଦର୍ଶନ କରିଛି ସଙ୍ଗଠନ। ଏମ୍‌କେସିଜି ପ୍ରେକ୍ଷାଳୟରେ ଅଜି ଆୟୋଜିତ ଏହି ଉତ୍ସବରେ ବିଜେଡି ସମର୍ଥିତ ୪ ଜଣ ପୂର୍ବତନ ଛାତ୍ର ସଂସଦ ସଭାପତିଙ୍କୁ ଉତ୍ସବରେ ଦେଖିବାକୁ ମିଳିଥିଲା। ଯେଉଁମାନେ କି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଏହାରି ଭିତରେ ସଙ୍ଗଠନରେ କିଛିଟା ମନୋମାଳିନ୍ୟ ଥିବା ମଧ୍ୟ ଜଳ ଜଳ ହୋଇ ଜଣାପଡ଼ୁଥିଲା। ସଙ୍ଗଠନ ଘୋଷଣା କରିଥିବା ପ୍ରାର୍ଥୀଙ୍କ ନାମ ତାଲିକାରେ ଜଣେ ବି ହେଲେ ଛାତ୍ରୀଙ୍କୁ ସୁଯୋଗ ମିଳି ନ ଥିବାରୁ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। 
 
ଅନ୍ୟପକ୍ଷରେ ୟୁନିଭରସିଟି ଲ’ କଲେଜ ଉପରେ ଏବେ ସମସ୍ତଙ୍କ ନଜର। ଗତ ଥର ଏଠାରେ  ଛାତ୍ର ସଂସଦ ହାତେଇଥିବା ଛାତ୍ର ବିଜେଡି ଶେଷ ମୁହୂର୍ତରେ ରଣନୀତି ବଦଳାଇଛି। କ୍ୟାମ୍ପସରେ ଏବିଭିପି ହାଓ୍ଵା ବଢ଼ୁଥିବାରୁ ଗତ ବର୍ଷର ସଭାପତି ସ୍ୱାଗତିକା ମହାନ୍ତିଙ୍କୁ ୫ ଦିନ ପୂର୍ବରୁ ସଙ୍ଗଠନର ସାଧାରଣ ସମ୍ପାଦିକା ପଦରେ ବସାଇ ଚାଲ୍‌ ଖେଳିଛି। ଯେକୌଣସି ପ୍ରକାରେ ଏହି କ୍ୟାମ୍ପସ କବ୍‌ଜା କରିବାକୁ ଲାଗିପଡ଼ିଛି ସଙ୍ଗଠନ। ଏବିଭିପି ମଧ୍ୟ ଏବେଠାରୁ ରଣନୀତି ସ୍ପଷ୍ଟ କରିଛି। ବାଣୀବିହାର ଏବଂ ଲ’ କଲେଜ କ୍ୟାମ୍ପସରେ ଏବିଭିପି ଏକାକି ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ରାଜ୍ୟ ସମ୍ପାଦକ ଅଭିଳାଷ ପଣ୍ଡା କହିଛନ୍ତି।

 

ରମାଦେବୀରେ ଭାଗ ଛିଣ୍ଡୁନି

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ କବ୍‌ଜା କରିବାକୁ ଛାତ୍ର ବିଜେଡି ପ୍ରସ୍ତୁତ ଚଲାଇଥିବା ବେଳେ ବିରୋଧୀ ଏକାଠି ହେବାକୁ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ କ୍ୟାମ୍ପସ ବାହାରେ ଘନ ଘନ ବୈଠକ ବସୁଛି। ଗତଥର ରମାଦେବୀ ଷ୍ଟୁଡେଣ୍ଟସ୍‌ ଭଏସ୍‌ ଗଠନ କରି ଛାତ୍ର ବିଜେଡି ବିଜୟକୁ ଚେକ୍‌ ଦେଇଥିବା ଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଏବେ କ୍ୟାମ୍ପସ ବାହାରେ। ସଭାପତି ହୋଇଥିବା ଅନୁସୂୟା ତ୍ରିପାଠୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏମ୍‌.ଫିଲ୍‌ କରୁଥିଲେ ମଧ୍ୟ ନିର୍ବାଚନ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଏହାପରେ ବି ଗତଥର ଏହି ସ୍ୱାଧୀନ ସଙ୍ଗଠନର ମଙ୍ଗ ଧରିଥିବା ୬ ଜଣ ନେତ୍ରୀ ଏବେ ଯୁକ୍ତ୩ ଏବଂ ପିଜି ପ୍ରଥମ ବର୍ଷରେ ନାମ ଲେଖାଇଛନ୍ତି। ତେଣୁ ନିର୍ବାଚନ ମଇଦାନକୁ ଓହ୍ଲାଇବା ଲାଗି ସେମାନେ ସଜବାଜ ଚଳାଇଛନ୍ତି। ହେଲେ ସାହସ ଜୁଟାଇ ପାରୁ ନାହାନ୍ତି। ଯେଉଁଥିପାଇଁ ଗତ ଦୁଇ ଦିନ ହେଲା ୟୁନିଟ୍‌-୯ରେ ଥିବା ଏକ ଘରେ ଉକ୍ତ ୬ ଛାତ୍ରୀଙ୍କ ସମେତ ଛାତ୍ର କଂଗ୍ରେସର କିଛି ନେତା ଏକାଠି ବସି ପ୍ରାର୍ଥୀ ଚୟନ ଲାଗି ଆଲୋଚନା କରୁଥିବା ଜଣାପଡ଼ିଛି। ଗତଥର ଏବିଭିପି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରୁଥିବା ଜଣେ ଛାତ୍ରୀ ଏଥର ଛାତ୍ର କଂଗ୍ରେସ ନେତ୍ରୀଙ୍କ ମିଶି ରଣନୀତି ପ୍ରସ୍ତୁତ କରୁଛନ୍ତି। ତିନୋଟି ଯାକ ସଙ୍ଗଠନର ଛାତ୍ରୀ ଏକାଠି ହୋଇ ଛାତ୍ର ବିଜେଡିକୁ ପୁଣିଥରେ ଚେକ୍‌ ଦେବା ଲାଗି ରଣନୀତି ଚଳାଇଥିବା ବେଳେ ଏବିଭିପି ରାଜ୍ୟ ସମ୍ପାଦକ ଅଭିଳାଷ ପଣ୍ଡା କହିଛନ୍ତି ଯେ ରମାଦେବୀରେ ସଙ୍ଗଠନ ଏକା ଲଢ଼ିବ। ଛାତ୍ର କଂଗ୍ରେସ ସହ କୌଣସି ପ୍ରକାର ବୁଝାମଣା ହେବାର ପ୍ରଶ୍ନ ଉଠୁ ନାହିଁ।
 

ବିଜେବିରେ ବିଜେଡି ସହ ଲଢ଼ିବ ବିଜେପି

ବିଜେବି କଲେଜ କ୍ୟାମ୍ପସ ରାଜନୀତି ରାଜ୍ୟ ରାଜନୀତିକୁ ବଳିଯାଇଛି। ସାଧାରଣ ନିର୍ବାଚନ ପରି ଏହି କ୍ୟାମ୍ପସରେ ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ଟକ୍କର ହେବ ବୋଲି ଏବେଠୁ ବାରି ହୋଇପଡ଼ୁଛି। ଛାତ୍ର ବିଜେଡି ଇତି ମଧ୍ୟରେ କିଛି ପଦବି ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛି। ଆଉ କିଛି ଖୁବ୍‌ଶୀଘ୍ର ଘୋଷଣା କରିବ। ଗତବର୍ଷ ଏଠାରେ ଗଣ୍ଡଗୋଳ ଯୋଗୁଁ ନିର୍ବାଚନ ବାତିଲ୍‌ ହୋଇଥିବାରୁ ଏଥର ଛାତ୍ର ବିଜେଡି ସମସ୍ତ ବଳ ଲଗାଇ ଦେଇଛି। ରାଜ୍ୟର ନେତୃବୃନ୍ଦ ନିର୍ବାଚନରେ ମୁଣ୍ଡ ଖେଳାଉଛନ୍ତି। ଅନ୍ୟପକ୍ଷରେ ଛାତ୍ର ବିଜେଡିକୁ ଟକ୍କର ଦେବା ଲାଗି ବିଜେପିର ରାଜ୍ୟ ନେତୃତ୍ୱ ଏହି କ୍ୟାମ୍ପସରେ ହସ୍ତକ୍ଷେପ କରିଛନ୍ତି। ଅସନ୍ତୁଷ୍ଟ ବିଜେଡି ତଥା ବିଜେବିର ପୂର୍ବତନ ସଭାପତିଙ୍କ ମାଧ୍ୟମରେ ଏବେଠୁ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚି ଆକୃଷ୍ଟ କରୁଛନ୍ତି। ବିଜେପି ଶିବିରର ମଙ୍ଗ ଧରିଛନ୍ତି ଦଳର ଛାମୁଆ ସଂଗଠନର ଜଣେ ଜିଲ୍ଲା ନେତା। ଏଥର ବି ଛାତ୍ର କଂଗ୍ରେସ ଏହି କ୍ୟାମ୍ପସକୁ ପଶିପାରି ନାହିଁ।

image