19 October 2017
2:39:52 PM
Sambad News
ମହାନଗର

ଆଜି ମୁକୁଳିବ ଶ୍ମଶାନ ଜମି

By Sambad | Date: Apr 21 2017 3:46AM
ଆଜି ମୁକୁଳିବ ଶ୍ମଶାନ ଜମି

ଖଣ୍ଡଗିରି : ରାଜଧାନୀ ଉପକଣ୍ଠ ରଣସିଂହପୁର ପଞ୍ଚାୟତ ଛୋଟରାୟପୁର ଗ୍ରାମ୍ୟ ଶ୍ମଶାନ ଜମିରୁ ଆଜି ଜବରଦଖଲ ଉଚ୍ଛେଦ କରାଯିବ। ଭୁବନେଶ୍ୱର ତହସିଲ ପ୍ରଶାସନ ଆଜି ପାଇଁ ସବୁ ପ୍ରକାର ପ୍ରସ୍ତୁତି କରଥିବା ସୂଚନା ମିଳିଛି। ତେଣୁ ଏକ ଘରୋଇ ଇଂଜିନିୟରିଂ କଲେଜ ଓ ଗ୍ରାମବାସୀଙ୍କ ଭିତରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦର ପୂର୍ଣଚ୍ଛେଦ ପଡ଼ିବ ବୋଲି ନିଶ୍ଚିତ ହୋଇଛି। 

 
ଭୁବନେଶ୍ୱର ତହସିଲ୍‌ ପାତ୍ରପଡ଼ା ରାଜସ୍ୱ ସର୍କଲ ଅନ୍ତର୍ଗତ ଛୋଟରାୟପୁର ଗାଁ ମୁଣ୍ଡରେ ଗଢ଼ି ଉଠିଥିବା ଏକ ଘରୋଇ ଇଂଜିନିୟରିଂ କଲେଜ ଗାଁ ମଶାଣିରୁ କିଛି ଜମି କବ୍‌ଜା କରିଛି ବୋଲି ଗ୍ରାମର କିଛି ଲୋକ ଅଭିଯୋଗ କରି ଆସୁଛନ୍ତି। ଏ ନେଇ ସେମାନେ ଖୋର୍ଧା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଜମି ମାପଚୁପ୍‌ କରିବା ପାଇଁ ଜିଲ୍ଲାପାଳ ଭୁବନେଶ୍ୱର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଧାର୍ଯ୍ୟ ଅନୁସାରେ ୧୯ତାରିଖରେ ସରଜମିନ୍‌ ମାପଚୁପ୍‌ ହେବା କଥା। ମାତ୍ର ଏକ ଅଦାଲତି ମାମଲା ପାଇଁ ତହସିଲ କର୍ତୃପକ୍ଷ ୧୯ ତାରିଖ ବଦଳରେ ୨୧ ତାରିଖରେ ଡିମାର୍‌କେସନ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ। 
 
ଏ ନେଇ ଉଭୟ ଅଭିଯୋଗକାରୀ ଓ ପାତ୍ରପଡ଼ା ଆର୍‌ଆଇଙ୍କୁ ଚିଠି ବି କରାଯାଇଥିଲା। କିନ୍ତୁ ଏହି ଚିଠି ଅଭିଯୋଗକାରୀମାନଙ୍କ ନିକଟରେ ଠିକଣାଭାବେ ପହଞ୍ଚି ପାରିନଥିଲା। ତେଣୁ ବୁଧବାର (୧୯ ତାରିଖ) ଏ ନେଇ ଅଭିଯୋଗକାରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଭୁବନେଶ୍ୱର ତହସିଲ୍‌ଦାର ଆଶୁତୋଷ ସାମଲଙ୍କ ସୂଚନାନୁସାରେ ୨୧ ତାରିଖରେ ଜମି ମାପଚୁପ ସହ ଜବରଦଖଲ ଉଚ୍ଛେଦ କରାଯିବ। ଯଦି କଲେଜ ଜମି ଜବରଦଖଲ କରିଥିବା ମାପଚୁପର ଜଣାପଡ଼ିବ, ତେବେ ତୁରନ୍ତ ଜବରଦଖଲ ମୁକ୍ତ କରାଯିବ। ଏଥିପାଇଁ ପୁଲିସ ପ୍ରଶାସନର ସହଯୋଗ ବି ଲୋଡ଼ା ଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

image