20 October 2017
8:53:55 AM
Sambad News
ମାଲକାନଗିରି

ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ସମସ୍ୟା ମୁଖ୍ୟ ପ୍ରସଙ୍ଗ

ଖଇରପୁଟ ଜିଲ୍ଲା ପରିଷଦ ଆସନ

By Sambad | Date: Jan 4 2017 7:49AM
ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ସମସ୍ୟା ମୁଖ୍ୟ ପ୍ରସଙ୍ଗ

ମାଲକାନଗିରି,: ଏବେ ସବୁଠି ପଞ୍ଚାୟତ ନିର୍ବାଚନ ଉଷ୍ମତା। ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଚାଲିଛି ରଣନୀତି ପ୍ରସ୍ତୁତି। ସବୁଥର ଭଳି ନେତାମାନେ ଏଥର ମଧ୍ୟ ବିକାଶର ପ୍ରତିଶ୍ରୁତି ଦେଇ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ଉଦ୍ୟମ କରିବେ। ହେଲେ ଲୋକଙ୍କ ସମସ୍ୟା ଯେଉଁ ତିମିରେକୁ ସେହି ତିମିରେ ରହିଯାଉଛି। ଏଥର ପଞ୍ଚାୟତ ପରିକ୍ରମାରେ ମାଲକାନଗିରି ଜିଲ୍ଲାରେ ଖଇରପୁଟ ବ୍ଲକର ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବତାରଣା କରାଯାଉଛି। ଖଇରପୁଟ ବ୍ଲକଟି ଦୁର୍ଗମ ଓ ପାହାଡିଆ ଅଂଚଳ ଭାବେ ପରିଚିତ। ଏଠାରେ ଆଦିମ ଅଧିବାସୀ ବଣ୍ଡା ସଂପ୍ରଦାୟର ଲୋକେ ବସବାସ କରନ୍ତି।

ଖଇରପୁଟ ବ୍ଲକରେ ରହିଛି ୧୧ଟି ପଞ୍ଚାୟତ । ଏହି ୧୧ଟି ପଞ୍ଚାୟତକୁ ନେଇ ଗୋଟିଏ ଜିଲ୍ଲା ପରିଷଦ ଜୋନ ଗଠିତ ହୋଇଛି । ବ୍ଲକଟି ଉନ୍ନୟନ କ୍ଷେତ୍ରରେ ବହୁ ପଛରେ ପଡ଼ିଛି। ବ୍ଲକରେ ଗୋବିନ୍ଦପାଲୀ, କଦମଗୁଡା, ଅଣ୍ଡ୍ରାହାଲ, ପୋଡାଘାଟ, ମାଡକାପଦର, ବଡଡୁରାଲ, ମୁଦୁଲିପଡା, ଖଇରପୁଟ, ରାସବେଡା, କୁଡୁମୁଲୁଗୁମ୍ମା ଓ ପାରକନମାଲା ପଞ୍ଚାୟତ ରହିଛି। ତେବେ ନିକଟରେ କୁଡୁମୁଲୁଗୁମ୍ମା ବ୍ଲକକୁ ଭଙ୍ଗାଯାଇ ଚିତ୍ରକୋଣ୍ଡା ବ୍ଲକ ଗଠନ କରାଯାଇଛି । ଏଥିସହ କୁଡୁମୁଲୁଗୁମ୍ମା ପଞ୍ଚାୟତକୁ ଖଇରପୁଟ ବ୍ଲକରେ ସାମିଲ କରାଯାଇଛି। ଏହି ଜିଲ୍ଲା ପରିଷଦ ଆସନରେ ଗତ ନିର୍ବାଚନରେ ବିଜେଡିର ପଦ୍ମିନୀ ମୁଦୁଲି ବିଜୟୀ ହୋଇଥିଲେ ଏଥର ଏହି ଆସନଟି ଅନୁସୂଚିତ ଜାତି(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି।

ଚଳିତ ନିର୍ବାଚନ ପାଇଁ ବିଜେଡିରୁ ମମତା ହନ୍ତାଳ, କଂଗ୍ରେସର ମାଳିନୀ ସଗରିଆ ଓ ବିଜେପିର ନିରୁପମା ହନ୍ତାଳ ପ୍ରାାର୍ଥୀ ହେବା ପାଇଁ ଆଶାୟୀ ଅଛନ୍ତି। ଏମାନଙ୍କୁ ଛାଡିଦେଲେ ଆହୁରି  ଆଶାୟୀଥିବା  ଶୁଣିବାକୁ ମିଳିଛି । ୫୫ ହଜାର ୭୯୦ ଜନସଂଖ୍ୟା ବିଶିଷ୍ଟ ଏହି ଜୋନରେ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ହେଉଛି ୪୦୧୭୨। ସେହିପରି ଅନୁସୂଚିତ ଜାତିଙ୍କ ସଂଖ୍ୟା ୪ ହଜାର ୨୦୭ । ଖଇରପୁଟ ଏବଂ ଗୋବିନ୍ଦପାଲ୍ଲୀ ପଞ୍ଚାୟତକୁ ଛାଡିଦେଲେ ଅନ୍ୟ ସବୁ ପଞ୍ଚାୟତରେ ଆଦିବାସୀଙ୍କ ସଂଖ୍ୟା ୮୦ ପ୍ରତିଶତରୁ ଅଧିକ ରହିଛି। ଏ ସବୁ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ବର୍ଷତମାମ ଲାଗି ରହିଛି। ବଣ୍ଡା ଘାଟିରେ ଥିବା ଅଣ୍ଡ୍ରାହାଲ, ମୁଦୁଲିପଡା, ବଡଡୁରାଲ, ରାସବେଡା, ମାଡକାପଦର, ପାରକନମାଲା ପ୍ରଭୁତି ପଞ୍ଚାୟତରେ ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ପାଣି ସମସ୍ୟା ଏଥର ରାଜନୈତିକ ମୁଖ୍ୟ ପ୍ରସଙ୍ଗ ହେବ ।

ଏହି ଅଂଚଳର ଲୋକେ ଚୁଆ ନଚେତ ଦୁଇ ତିନି କିଲୋମିଟର ଦୂରରୁ ପାଣି ଆଣୁଥିବା ଜଣାପଡିଛି । ପାଣି ସମସ୍ୟାର ସମାଧାନ ନ ହେଲେ ଲୋକେ ଭୋଟ ବର୍ଜନ ପେଇଁ ଧମକ ଦେଉଥିବା ଶୁଣିବାକୁ ମିଳିଛି । ସେହିପରି ଏହି ଅଂଚଳରେ ସ୍ୱାସ୍ଥ୍ୟସେବା ଏବେ ବି ଅପହଞ୍ଚ । ଚଳିତ ବର୍ଷ ଜାପାନୀ ଜ୍ୱର ମହାମାରୀ ରୂପ ନେଇ ଏହି ଅଂଚଳର ଦଶରୁ ଉର୍ଦ୍ଧ୍ୱ ଶିଶୁର ଜୀବନ ନେଇଛି। ପ୍ରତିବର୍ଷ ଅଜଣା ରୋଗରେ ବଣ୍ଡାଘାଟି ଅଂଚଳର ଶତାଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ଯାହାର ହିସାବ ସ୍ୱାସ୍ଥ୍ୟ ବିଭାଗ କିମ୍ବା ସରକାରଙ୍କ ପାଖରେ ନାହିଁ । ଏଥିସହ ମ୍ୟାଲେରିଆ  ମଧ୍ୟ ଏହି ଅଂଚଳଗୁଡିକୁ ନିଜ କବ୍‌ଜାରେ ରଖିଛି । ତେଣୁ ସ୍ୱାସ୍ଥ୍ୟବସ୍ଥା ସୁଧାରିବା ପାଇଁ ଲୋକେ ଏହି ନିର୍ବାଚନରେ ଦାବି କରିବେ। ଏହାକୁ ବାଦ ଦେଲେ ଗମନାଗମନ ସମସ୍ୟା  ଓ ସରକାରୀ ଯୋଜନାଗୁଡିକ ବାଟମାରଣା ସଂପର୍କରେ ଲୋକେ ରାଜନେତାମାନଙ୍କୁ ଭିଡିବେ । ଇନ୍ଦିରାଆବାସ, ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ ଇତ୍ୟାଦି ଲୋକଙ୍କ ନିକଟରେ ପହଞ୍ଚି ପାରି ନ ଥିବାରୁ ରାଜନୈତିକ ଦଳର ନେତାମାନଙ୍କୁ ଟାର୍ଗେଟ କରିବେ। ଏଠାରେ ବିଜେଡି ଏବଂ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବ ବୋଲି କୁହାଯାଉଛି । ତେବେ ଖଇରପୁଟରେ  ବିଧାୟକ ଡମ୍ବରୁ ଶିଶା ରହୁଛନ୍ତି।

ତେଣୁ ଏହି ଆସନଟି ଯେଭଳି ବିଜେଡି ହାତଛଡ଼ା ନ ହୁଏ ସେଥିପାଇଁ ବିଧାୟକ ଉଦ୍ୟମ କରିବେ। ନିଜର ସମ୍ମାନ ରକ୍ଷା ପାଇଁ ସମସ୍ତ ବଳ ପ୍ରୟୋଗ କରିବେ । ତଥାପି ଏଥର ବିରୋଧୀମାନେ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସେହିପରି ଏହି ବ୍ଲକର ଅଣ୍ଡ୍ରାହାଲ ପଞ୍ଚାୟତ ସମିତିସଭ୍ୟ ପାଇଁ ଅନୁସୂଚିତ ଜନଜାତି(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି। ଏଥିସହ କଦମଗୁଡା ଅନୁସୂଚିତ ଜାତି(ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି କୁଡୁମୁଲୁଗୁମ୍ମା ଅଣସଂରକ୍ଷିତ(ମହିଳା),ଖଇରପୁଟ ଅନୁସୂଚିତ ଜନଜାତି,ଗୋବିନ୍ଦପାଲୀ ପଛୁଆ ବର୍ଗ(ମହିଳା),ପାରକନମାଲା ଅନୁସୂଚିତ ଜନଜାତି(ମହିଳା),ପୋଡାଘାଟ ଅନୁସୂଚିତ ଜନଜାତି, ବଡଡୁରାଲ ଅନୁସୂଚିତ ଜନଜାତି(ମହିଳା), ମାଡକାପଦର ଅନୁସୂଚିତ ଜନଜାତି, ମୁଦୁଲିପଡା ଅନୁସୂଚିତ ଜନଜାତି(ମହିଳ) ଏବଂ ରାସବେଡା ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଥିବା ଜଣାପଡିଛି । ତେବେ ଏହି ବ୍ଲକର ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି (ମହିଳା) ପାଇଁ ସଂରକ୍ଷିତ ଥିବା ଜଣାପଡିଛି ।

image