20 October 2017
10:25:35 AM
Sambad News
ଜୀବନଚର୍ଯ୍ୟା

ସ୍ୱାଇନ୍‌ ଫ୍ଲୁ କାହିଁକି ହୁଏ, ହେଲେ କ’ଣ କରିବେ

-ପ୍ରଫେସର ଡା. ଉମେଶ ଚନ୍ଦ୍ର ପାତ୍ର,

By Sambad | Date: Aug 12 2017 8:30PM
ସ୍ୱାଇନ୍‌ ଫ୍ଲୁ କାହିଁକି ହୁଏ, ହେଲେ କ’ଣ କରିବେ

 ସ୍ୱାଇନ୍‌ ଫ୍ଲୁ ଏକ ଭୂତାଣୁଜନିତ ରୋଗ। ଇନ୍‌ଫ୍ଲୁଏଞ୍ଜା-ଏ ଭୂତାଣୁ ଦ୍ୱାରା ଏହା ବ୍ୟାପେ। ଏହା ବାୟୁବାହିତ ସଂକ୍ରମଣ ରୋଗ। ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ମଣିଷ କିଂବା ଘୁଷୁରିମାନଙ୍କଠାରୁ ଅନ୍ୟମାନଙ୍କ ପାଖକୁ ବ୍ୟାପିଥାଏ। କାଶ, କଫ, ଝାଡ଼ା, ବାନ୍ତି, ଦେହ-ହାତ ବ୍ୟଥା, ଜ୍ୱର ଲାଗିରହିବା ଆଦି ଏହି ରୋଗର ଲକ୍ଷଣ ହୋଇପାରେ। ପରିଣତ ବୟସ୍କ, ଗର୍ଭବତୀ, ପାଞ୍ଚ ବର୍ଷରୁ କମ୍‌ ଶିଶୁ ତଥା ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବା ବ୍ୟକ୍ତିମାନେ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହେବା ଆଶଙ୍କା ଅଧିକ। ରୋଗର ଚିହ୍ନଟ ପରେ ଉପଯୁକ୍ତ ଚିକିତ୍ସା ଦ୍ୱାରା ସ୍ୱାଇନ୍‌ ଫ୍ଲୁ ଆରୋଗ୍ୟ ହୁଏ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଅତି ଜରୁରୀ। ସତର୍କ ଓ ପ୍ରତିଷେଧକମୂଳକ ପ୍ରତିକାର ଦ୍ୱାରା ଏହି ରୋଗଠାରୁ ଦୂରେଇ ରହିହେବ। ସ୍ୱାଇନ୍‌ ଫ୍ଲୁ ପାଇଁ ଦୁଇ ପ୍ରକାର ପ୍ରତିଷେଧକ ଟିକା ପାଣ୍ଡେମ୍ରିକ୍ସ ଓ ସେଲଭାପନ୍‌ ଉପଲବ୍ଧ। ବର୍ଷା ଆରମ୍ଭରୁ ପାଣ୍ଡେମ୍ରିକ୍ସ ଟିକା ଥରେ ନେବାକୁ ପଡ଼େ ଓ ସେଲଭାପନ୍‌ ଟିକା ତିନି ମାସ ବ୍ୟବଧାନରେ ଦୁଇଥର ନେବାକୁ ହୁଏ। ରୋଗ ଆରମ୍ଭରୁ ଟିକା ନେବା ଦ୍ୱାରା ସ୍ୱାଇନ୍‌ ଫ୍ଲୁଠାରୁ ଦୂରେଇ ରହିହେବ। ସ୍ୱାଇନ୍‌ ଫ୍ଲୁରେ ସଂକ୍ରମିତ ରୋଗୀ ବା ଘୁଷୁରିଠାରୁ ନିରାପଦ ଦୂରତାରେ ରହିବା ଉଚିତ। ଜନଗହଳି କିଂବା ଭିଡ଼ ସ୍ଥାନକୁ ନ ଯିବା ଭଲ। ତେବେ, ଆବଶ୍ୟକ ପଡ଼ୁଥିଲେ ମୁହଁରେ ରୁମାଲ୍‌ କିଂବା ମାକ୍ସ ପିନ୍ଧନ୍ତୁ। ସନ୍ତସନ୍ତିଆ, ଅଳିଆ ଆବର୍ଜନା ସ୍ଥାନ, ଅପରିଷ୍କାର ପରିବେଶଠାରୁ ଦୂରେଇ ରହନ୍ତୁ। ବ୍ୟବହୃତ ମାକ୍ସ ପୁଣିଥରେ ବ୍ୟବହାର ନ କରି ପୋଡ଼ିଦିଅନ୍ତୁ। ହାତକୁ ସବୁବେଳେ ସାବୁନ୍‌ରେ ଧୋଇ ପରିଷ୍କାର ରଖନ୍ତୁ। ଦିନରେ ପର୍ଯ୍ୟାପ୍ତ ପରିମାଣରେ ବିଶ୍ରାମ ନିଅନ୍ତୁ। ନିୟମିତ ଯୋଗ, ବ୍ୟାୟାମ କଲେ ଭଲ। ପ୍ରଚୁର ମାତ୍ରାରେ ପରିଷ୍କାର, ବିଶୋଧିତ ଓ ଫୁଟାପାଣି ପିଅନ୍ତୁ। ତୁଟୁକା ଚିକିତ୍ସା କିଂବା ଗୁଣିଗାରେଡ଼ିଠାରୁ ଦୂରେଇ ରହନ୍ତୁ। 

ହେପାଟୋଲୋଜି ବିଭାଗ, କଟକ। ଫୋନ୍‌: ୯୪୩୭୦୫୧୯୫୭

image