21 November 2017
12:33:27 AM
Sambad News
କେନ୍ଦୁଝର

୪ ଦଫା ଦାବିରେ ଟ୍ରକ୍‌ ମାଲିକ ସଂଘ ସଦସ୍ୟଙ୍କ ଅନଶନ

By Sambad | Date: Jan 3 2017 7:25AM
୪ ଦଫା ଦାବିରେ ଟ୍ରକ୍‌ ମାଲିକ ସଂଘ ସଦସ୍ୟଙ୍କ ଅନଶନ

କେନ୍ଦୁଝର: ୪ ଦଫା ଦାବିରେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ସଦସ୍ୟ କିରଣ କୁମାର ମହାନ୍ତ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ। ଫଳରେ ସଂଘ କାର୍ଯ୍ୟାଳୟରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ମହାନ୍ତ ଆଜି ପୂର୍ବାହ୍ଣରେ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଆରମ୍ଭ କରିଥିଲେ। ହେଲେ କେତେକ ସଦସ୍ୟ ତାଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କ ବ୍ୟାନରକୁ ଛିଣ୍ଡାଇ ଦେଇଥିଲେ। ଏହା ସତ୍ତ୍ୱେ ଶ୍ରୀ ମହାନ୍ତ ଅନଶନରୁ ଉଠିନଥିଲେ। ତେବେ ଖବର ପାଇ ଟାଉନ ଥାନା ଏସଆଇ ଉମାକାନ୍ତ ସାହୁ ଏବଂ ଅନ୍ୟ ପୁଲିସ କର୍ମଚାରୀମାନେ ସଂଘ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ତାଙ୍କ ମଧ୍ୟସ୍ଥିରେ ସଂଘ କର୍ମକର୍ତ୍ତାମାନେ ଅନଶନକାରୀ ଶ୍ରୀ ମହାନ୍ତଙ୍କ ସହିତ ଆଲୋଚନା କରିଥିଲେ । ଶ୍ରୀ ମହାନ୍ତଙ୍କ ୪ଟି ଦାବିକୁ ସଂଘ ମାନି ନେଇଥିଲା । ଏହି ୪ଟି ଦାବି ମଧ୍ୟରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସିରିଏଲରେ ଟ୍ରକ୍‌ ଲୋଡିଂ କରିବା, ଲୋଡିଂ ଟୋକନ୍‌ ଅଫିସରେ ଦିଆଯିବା, ଟ୍ରାନ୍ସପୋର୍ଟରମାନେ ନିର୍ଦ୍ଧାରିତ ସମୟରେ ଭଡା ପ୍ରଦାନ କରିବେ, ପୂର୍ବପରି ୬ ଚକିଆ, ୧୦ ଚକିଆ ଏବଂ ୧୨ ଚକିଆ ଟ୍ରକକୁ ଲୋଡିଂ ବ୍ୟବସ୍ଥା ଦୁଇ ଦିନ ମଧ୍ୟରେ କରାଯିବା ଆଦି ଅନ୍ତର୍ଭୁକ୍ତ। ଦାବିଗୁଡ଼ିକ ପୂରଣ ନ ହେଲେ ପୁଣି ଅନଶନରେ ବସିବେ ବୋଲି ଶ୍ରୀ ମହାନ୍ତ ଚେତାବନୀ ଦେଇଛନ୍ତି।

image