20 October 2017
10:28:32 AM
Sambad News
ରାଜ୍ୟ

ଖରସ୍ରୋତାରେ ପୁଣି ବନ୍ୟା : ୨୦ଗାଁ ଜଳବନ୍ଦୀ

ଚାଷ ଜମି ବୁଡ଼ିଲା: ଦୁର୍ଦ୍ଦଶାର ଅନ୍ତ ନାହିଁ

By Sambad | Date: Aug 13 2017 4:40AM
ଖରସ୍ରୋତାରେ ପୁଣି ବନ୍ୟା : ୨୦ଗାଁ ଜଳବନ୍ଦୀ

ପଟ୍ଟାମୁଣ୍ଡାଇ : ଆଜି ଖରସ୍ରୋତାରେ ପୁଣିଥରେ ବନ୍ୟାଜଳ ପ୍ରବେଶ କରିଛି। ଏହାର ଶାଖା ନଦୀ କାଣୀ ବି ଉଛୁଳୁମୁଛୁଳୁ ହୋଇଯାଇଛି। ଫଳରେ, ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ସିଂହଗାଁ ପଞ୍ଚାୟତ ସମେତ ୨୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇଯାଇଛି। ରାସ୍ତା ଓ ଚାଷ ଜମି ବନ୍ୟାଜଳରେ ବୁଡ଼ି ରହିଛି। ରାସ୍ତା ବୁଡ଼ି ରହିବା ଯୋଗୁ ଲୋକେ ଡଙ୍ଗାରେ ଯା’ଆସ କରୁଛନ୍ତି। 
 
୧୫ ଦିନ ପୂର୍ବରୁ ଉଭୟ ବ୍ରାହ୍ମଣୀ ଓ କାଣୀ ନଦୀରେ ବନ୍ୟା ଆସିଥିଲା। ବହୁ ଲୋକ ଜଳବନ୍ଦୀ ହେବା ସହିତ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିଲା। ଆଜି ପୁଣିଥରେ ସିଂହଗାଁ ଏବଂ ପେଣ୍ଠପାଳ ପଞ୍ଚାୟତର କୋଳଥିଆ, ବାଲିକିରା, ଦାଣ୍ଡିସାହି, ତୋଟାସାହି, ଅଣ୍ଡରା ପଞ୍ଚାୟତର ବ୍ରାହ୍ମଣସାହି, ତରଡ଼ିପାଳ ପଞ୍ଚାୟତର ଜେନାସାହି, ବିଲମଳିକସାହି ଓ ଅଳପୁଆ ପଞ୍ଚାୟତର ମିଶ୍ରବାଗ, ଗୋଜିଆକଣ ଆଦି ଗ୍ରାମ ଜଳବନ୍ଦୀ ହୋଇପଡ଼ିଛି। ପଞ୍ଚାୟତର ପ୍ରାୟ ୫ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ଜମିରେ ଫସଲ ବୁଡ଼ି ରହିଛି।  
 
ବ୍ଲକ୍‌ର ପୂର୍ବ ଭାଗରେ ଅବସ୍ଥିତ ଏହି ପଞ୍ଚାୟତକୁ ସରକାରୀ ଭାବେ କୌଣସି ଡଙ୍ଗା ଯୋଗାଇ ଦିଆଯାଇନାହିଁ। ଲୋକେ ଟଙ୍କା ଦେଇ ଘରୋଇ ଡଙ୍ଗାରେ ଯିବା ଆସିବା କରୁଛନ୍ତି। ସିଂହଗାଁ ମଧ୍ୟରେ ଗ୍ରାମ୍ୟ ରାସ୍ତା ଜାଗାଜାଗା ବୁଡ଼ି ବନ୍ୟା ସ୍ରୋତ ପ୍ରବାହିତ ହେଉଥିବା ବେଳେ ଗ୍ରାମର ଠାକୁରାଣୀ ଓ ହନୁମାନ ମନ୍ଦିର ଭିତରେ ପାଣି ପଶିଯାଇଛି। ସିଂହଗାଁ ପଞ୍ଚାୟତ କାର୍ଯ୍ୟାଳୟ କାନ୍ଥକୁ ପାଣି ଲାଗିଥିବା ବେଳେ  ଗାଁରେ ଥିବା ସ୍କୁଲଗୁଡ଼ିକ ବନ୍ଦ ରହିଛି। ଗାଁରେ ଥିବା ଅନେକ ନଳକୂପ ପାଣିରେ ବୁଡ଼ି ରହିଥିବାବେଳେ ପିଇବା ପାଣିର ସମସ୍ୟା ଦେଖାଦେଇଛି। ଅତ୍ୟାବଶ୍ୟକୀୟ ଜିନିଷ ପାଇଁ ଲୋକେ ପାଣିରେ ପଶି କାରବାର କରୁଥିବାରୁ ଥଣ୍ଡାଜର ଓ ନାଳଝାଡ଼ାରେ ଅନେକ ଆକ୍ରାନ୍ତ ହୋଇଥିବାର ଜଣାପଡ଼ିଛି। ଦ୍ୱିତୀୟବାର ଯେଉଁ ବନ୍ୟା ଜଳ ଆସିଛି ତାହା ଅଧିକ କ୍ଷତି ଘଟାଇବ ବୋଲି ଲୋକେ କହୁଛନ୍ତି। 
 
ଗାଁ ଲୋକଙ୍କ କହିବା କଥା ଥିଲା କ୍ଷେତରେ ପ୍ରତି ଏକରରେ ସାତରୁ ଆଠ ହଜାର ଟଙ୍କା ଖର୍ଚ୍ଚକରି ସେମାନେ କରିଥିବା କଖାରୁ, ଭେଣ୍ଡି, ଜହ୍ନି ଆଦି ଫସଲ ଏହାର ପୂର୍ବ ବନ୍ୟାରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଅଛି। ପାଣି ଛାଡ଼ିଯିବା ପରେ ଧାନ ଫସଲ ବଞ୍ଚିଯିବ ବୋଲି ଭାବିଥିଲୁ । ମାତ୍ର, ଦ୍ଵିତୀୟବାର ବନ୍ୟା ଆସିବା ଯୋଗୁ ଖୁବ୍‌ଶୀଘ୍ର  ଫସଲ ନଷ୍ଟ ହୋଇଯିବାର ଆଶଙ୍କା ରହିଛି ବୋଲି ପ୍ରଭାବିତ ଲୋକମାନେ କହିଛନ୍ତି। 

image