23 October 2017
4:30:05 AM
Sambad News
କନ୍ଧମାଳ

ଆଶାକର୍ମୀ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ

By Sambad | Date: Dec 27 2016 6:19AM
ଆଶାକର୍ମୀ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ

ଫୁଲବାଣୀ: ସ୍ଥାୟୀ ନିଯୁକ୍ତି ସହ ବିଭିନ୍ନ ଦାବି ନେଇ ଆଜି ଶତାଧିକ ଆଶାକର୍ମୀ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ପ୍ରତିବାଦ ଜଣାଇଛନ୍ତି। ତୁରନ୍ତ ସେମାନଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି। କହିବା ଅନୁଯାୟୀ ୨୦୦୫ ମସିହାରୁ ନିଯୁକ୍ତି ପାଇ ସମଗ୍ର ରାଜ୍ୟରେ ଆଶାକର୍ମୀମାନେ ଗର୍ଭବତୀ ମହିଳା, ପ୍ରସୂତି ମା’ ଓ ନବଜାତ ଶିଶୁଙ୍କ ସେବା କରି ଆସୁଛନ୍ତି। ଏଥିସହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସେମାନଙ୍କୁ ନିୟୋଜିତ କରାଯାଉଛି। କନ୍ଧମାଳରେ ସମୁଦାୟ ୧ହଜାର ୫୩୫ ଜଣ ଆଶାକର୍ମୀ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି। 

ସେମାନଙ୍କ ବିଭିନ୍ନ ସମସ୍ୟା ଓ ଦାବି ପ୍ରତି ସରକାର କର୍ଣ୍ଣପାତ କରୁ ନାହାନ୍ତି। ସ୍ୱଳ୍ପ ବେତନରେ ଚଳିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇ ପଡୁଛି। ମାସିକ ଦରମା ୧୦ହଜାର ଟଙ୍କା ସହ ସ୍ଥାୟୀ ନିଯୁକ୍ତି, ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆଶାକର୍ମୀଙ୍କୁ ଏଏନ୍‌ଏମ୍‌ ତାଲିମ ପ୍ରଦାନ, ପେନସନ ଯୋଜନାରେ ସାମିଲ କରିବା ଆଦି ଦାବି ଉପସ୍ଥାପନ କରିଥିଲେ। ପ୍ରାୟ ୩ଘଣ୍ଟା ଧରି ଆଶାକର୍ମୀମାନେ ବସି ରହିବା ଫଳରେ କାର୍ଯ୍ୟାଳୟକୁ ଯିବା ଆସିବା ବନ୍ଦ ହୋଇ ଯାଇଥିଲା। ତୁରନ୍ତ ସରକାର ଦାବି ପୂରଣ ନ କରନ୍ତି ତାହା ହେଲେ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ।

କନ୍ଧମାଳରେ ସ୍ୱାସ୍ଥ୍ୟସେବାରେ ଯେଉଁ ସମସ୍ୟା ସୃଷ୍ଟି ହେବ ସେଥିନିମନ୍ତେ ସରକାର ଦାୟୀ ହେବେ ବୋଲି ଆଶାକର୍ମୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଜିଲ୍ଲା ଆଶାକର୍ମୀ ସଂଘ ସଭାନେତ୍ରୀ ଅମ୍ବିକା ବେହେରା, ସମ୍ପାଦିକା କନିକା ମଲ୍ଲିକଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କାର୍ଯ୍ୟକ୍ରମରେ ବିଜୟଲକ୍ଷ୍ମୀ ଘଡେଇ, ମାଧୁରୀ ପାତ୍ର, ମାନି ନାୟକ, ବବିତା ମାଝି, ରୁଦ୍ରାଣି ସାହାଣୀ, ଗୀତାଞ୍ଜଳି ବେହେରା, ନାଳିନୀ ନାୟକ, ପ୍ରମୋଦିନୀ ରଣା, ରୁନୁମତି ଦିଗାଲ, ମିନତୀ ବେହେରା, ସୁମିତ୍ରା ନାୟକ, ରଶ୍ମିତା ଦିଗାଲ ପ୍ରମୁଖଙ୍କ ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ ଆଶାକର୍ମୀ ସାମିଲ ହୋଇଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ୍ତ କୁମାର ସାହାଣୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା।

image