23 October 2017
12:42:58 AM
Sambad News
କଳାହାଣ୍ଡି

କଳାହାଣ୍ଡି ଉତ୍ସବ, ଲୋକ ଉତ୍ସବ ନା ପ୍ରଶାସନିକ ଉତ୍ସବ?

୨୦ ବର୍ଷର ପରମ୍ପରା ଭାଙ୍ଗିଲା

By Sambad | Date: Jan 3 2017 5:21AM
କଳାହାଣ୍ଡି ଉତ୍ସବ, ଲୋକ ଉତ୍ସବ ନା ପ୍ରଶାସନିକ ଉତ୍ସବ?

କେସିଙ୍ଗା: ଲୋକ ସଂସ୍କୃତି ଓ ପରମ୍ପରାରେ ଲୋକମାନଙ୍କୁ ଉତ୍ସବ ମାଧ୍ୟମରେ ଏକଜୁଟ କରିବା ପାଇଁ ସରକାର ଜିଲ୍ଲାଗୁଡ଼ିକରେ ଲୋକ ଉତ୍ସବମାନ ଆାରମ୍ଭ କରିଥିଲେ। ମାତ୍ର ଏବେ କିଛି ପ୍ରଶାସନିକ ଅଧିକାରୀ ଓ ସଂସ୍କୃତି ପରିଷଦର ନିଷ୍ପତ୍ତି ପରମ୍ପରାକୁ ଭାଙ୍ଗିଲା ଭଳି ଯୋଜନା କରିବାରୁ କଳାହାଣ୍ଡିର ସଂସ୍କୃତି ପ୍ରେମୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୨୦ ବର୍ଷ ଧରି ଯେଉଁ କଳାହାଣ୍ଡି ମହୋତ୍ସବ ଘୁମୁରା ଏକ ପରମ୍ପାରରେ ପାଳିତ ହୋଇ ଆସୁଥିଲା।

ସେହି ପରମ୍ପରାକୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଆଚରଣ ବିଧି ଆଳ କରି ଉତ୍ସବକୁ ସାଂସ୍କୃତିକ ପରିଷଦ ଘୁଂଚାଇବା କାହା ସ୍ୱାର୍ଥରେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟିକରିଛି। ବରଗଡ଼ର ଧନୁଯାତ୍ରା, ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଆଦି ବହୁ ମହୋତ୍ସବ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପରେ ହେଉଥିଲେ ମଧ୍ୟ କଳାହାଣ୍ଡିରେ ଏହି କଳାହାଣ୍ଡି ଉତ୍ସବ ଘୁମୁରା ୨୦୧୭କୁ ଘୁଂଚାଇ ଲୋକଙ୍କ ମନରେ କାହିଁକି ଆଘାତ ଦିଆଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସରକାର ଯେଉଁ ଆଭିମୁଖ୍ୟ ରଖି ଏହି ଉତ୍ସବକୁ ଆରମ୍ଭ କରିଥିଲେ ତାହାକୁ ପରିଷଦ ପଛରେ ପକାଇ ଏହାକୁ ଏକ ପ୍ରଶାସନିକ ଉତ୍ସବରେ ପରିଣତ କରିବାକୁ ଯାଉଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି।

୨୦୧୨ ମସିହାରେ ମଧ୍ୟ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ହୋଇଥିଲା। ମାତ୍ର ଏହି ଉତ୍ସବ ଘୁଂଚିନଥିଲା। ଏବେ ଏମିତି କଣ ଅସୁବିଧା ହୋଇଗଲା ଯେ ଲୋକଙ୍କର ବହୁ ଆକାଂକ୍ଷିତ ଆଶାକୁ ଚୂରମାର କରିଦିଆଗଲା?  ଜିଲ୍ଲା ସଂସ୍କୃତ ଅଧିକାରୀଙ୍କ କହିବା ଅନୁଯାୟୀ ଆଚରଣ ବିଧି ଲାଗୁ ଯୋଗୁଁ ଘୁଂଚାଗଲା। ସେହିପରି ନିର୍ବାଚନ କମିସନଙ୍କୁ ଅନୁମତି ମଗାଯାଇଥିଲା ସେମାନେ ଅନୁମତି ନଦେବାରୁ ଉତ୍ସବକୁ ଘୁଂଚାଇ ଦିଆଗଲା ବୋଲି ଖୋଦ୍‌ ପ୍ରଶାସନ କହୁଛି। ମାତ୍ର ଝାରସୁଗୁଡ଼ା ବରଗଡ଼ ଧନୁଯାତ୍ରା ଭଳି ଉତ୍ସବକୁ ଖୋଦ୍‌ ପ୍ରଶାସନିକ ଅଧିକାରୀମାନେ ଦାୟିତ୍ୱ ନେଇ କରୁଥିଲେ ମଧ୍ୟ ଏଠି କାହିଁକି ଘୁଂଚାଗଲା ତାହା ନେଇ ସନ୍ଦେହ ଦେଖାଦେଇଛି। ସେହି ଉତ୍ସବ ଆୟୋଜକମାନେ କଣ ନିର୍ବାଚନ କମିସନଠୁ ଅନୁମତି ନେଇଥିଲେ? ଯଦି ନେଇଥିଲେ ଓ ସେମାନଙ୍କୁ କମିସନ ଅନୁମତି ଦେଇପାରିଲା ତାହେଲେ କଳାହାଣ୍ଡିକୁ କାହିଁକି ନୁହେଁ ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏଯାଏଁ ନିର୍ବାଚନ କମିସନ ମନା କରିଥିବା ନେଇ ମନ୍ତବ୍ୟ ଦିଆଯାଉଥିଲେ ମଧ୍ୟ କମିସନ କେଉଁ ପତ୍ରରେ ଦର୍ଶାଇଛନ୍ତି ତାହା ସାର୍ବଜନୀନ କରାଯାଉ ବୋଲି ଦାବି ହେଉଛି। ବହୁ ସମୟରେ କଳାହାଣ୍ଡି ଉତ୍ସବ ପ୍ରସ୍ତୁତି ପୂର୍ବରୁ ଭବାନୀପାଟଣା ସହରର ବିଭିନ୍ନ ସଙ୍ଗଠନ ବ୍ୟକ୍ତିବିଶେଷ ତଥା ଜିଲ୍ଲାର ବିଭିନ୍ନ ପ୍ରାନ୍ତର ଲୋକଙ୍କୁ ଡକାଯାଇ ଉତ୍ସବର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥାଏ। ଏହି ଲୋକ ଉତ୍ସବ ଲୋକମାନଙ୍କର ଉତ୍ସବ ହୋଇଥିଲେ ମଧ୍ୟ ସଂସ୍କୃତି ପରିଷଦ ଘୁଂଚାଇବାର ନିଷ୍ପତ୍ତି ନେବା ଆଗରୁ ସାଧାରଣ ବୈଠକ କରି ଲୋକମାନଙ୍କର ମତାମତ ନେଇ ନଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।

କଳାହାଣ୍ଡି ଉତ୍ସବ ଘୁମୁରା ପ୍ରତିବର୍ଷ ଜାନୁଆରି ମାସ ୧୪, ୧୫, ୧୬ ଓ ୧୭ ତରିଖରେ ହୋଇ ଆସୁଥିଲା। ଗ୍ରାମାଂଚଳରୁ ଆରମ୍ଭ କରି ସହରାଂଚଳ ଏବଂ ପରେ ଜିଲ୍ଲା ସଦର ମହକୁମାରରେ ମହା ସମାରୋହରେ ପାଳନ ହୋଇଥାଏ।  ଯାହାକୁ ମହାକୁମ୍ଭ ମେଳା ମଧ୍ୟ କୁହାଯାଏ। ଏଥିରେ ସାରା ଜିଲ୍ଲା ଉତ୍ସବ ମୁଖରିତ ହୋଇଯାଏ । ପିଲାରୁ ବୁଢ଼ା ଯାଏ ଉତ୍ସବକୁ ଜଗି ବସିଥାନ୍ତି। ପୁର୍ବ ବର୍ଷଗୁଡ଼ିକରେ  ନିର୍ବାଚନ ସମୟରେ ଯେଉଁ ଉତ୍ସବ ହେଉଥିଲା ସେଥିରେ ରାଜନୈତିକ ଦଳର ବ୍ୟକ୍ତି ବିଶେଷଙ୍କୁ ଡକା ନଯାଇ ଅନ୍ୟ ବିଜ୍ଞ ଗୁଣି ଓ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଉତ୍ସବ କରାଯାଉଥିଲା। କିନ୍ତୁ ବର୍ତ୍ତମାନର ଯେଉଁ ଏକଚାଟିାଆ ନିଷ୍ପତ୍ତି ନିଆଯାଇ ମାର୍ଚ୍ଚ ମାସର ଶେଷ ସପ୍ତାହ ଆଡ଼କୁ ନିଆଯାଇଛି ତାହା ଜିଲ୍ଲାବାସୀଙ୍କୁ ସମ୍ପୂର୍ଣ୍ଣ ବ୍ୟଥିତ କରିଛି।
 

image