19 October 2017
5:19:23 AM
Sambad News
କଳାହାଣ୍ଡି

ଫୁରଲିଝରନ ସଡ଼କ ଦୁର୍ଘଟଣା

ମୃତକଙ୍କ ପରିବାରକୁ ମିଳିବ ୩୦ ହଜାର

By Sambad | Date: Dec 30 2016 10:42AM
ଫୁରଲିଝରନ ସଡ଼କ ଦୁର୍ଘଟଣା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ସଦର ଥାନା ଫୁରଲିଝରନରେ ବୁଧବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।  ପୂର୍ବରୁ ୩ ଜଣ ମୃତକଙ୍କ ପରିଚୟ ଜଣାପଡ଼ିଥିବା ବେଳେ ଅନ୍ୟଜଣେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି। ସେ ଜୁନାଗଡ ବ୍ଲକର ପଲାସ ଗ୍ରାମର ଲିଙ୍ଗରାଜ ମେହେର ବୋଲି ଜଣାଯାଇଛି। ସଦର ଥାନା ଏସ୍‌ଆଇ ଉତ୍ତମ କୁମାର ସାହୁ ଘଟଣାର ତଦନ୍ତ କରୁଛନ୍ତି। ଅନ୍ୟ ପକ୍ଷରେ ରେଡକ୍ରସ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଓ ଦୁର୍ଘଟଣା ଘଟାଇଥିବା ଟ୍ରକ ମାଲିକଙ୍କ ପକ୍ଷରୁ ୨୦ ହଜାର ଟଙ୍କା ଲେଖାଏଁ ପ୍ରତି ମୃତ ପରିବାରକୁ ଦେବା ପାଇଁ ପ୍ରଶାସନକୁ ପ୍ରଦାନ କରିଥିବା ଜଣାଯାଇଛି।
ଠିକାଦାର ଗିରଶ ସିଂଙ୍କ ଦ୍ୱାରା ଥୁଆମୂଳ ରାମପୁରର ଖଡକାନାଲାରେ ପୋଲ ନିର୍ମାଣ ପାଇଁ ପକଲିନ ମେସିନ ବ୍ୟବହାର ପାଇଁ ନିଆଯାଇଥିଲା।

ସେଠାରୁ ଜମୁନାବାହାଲ କ୍ୟାମ୍ପକୁ ଟ୍ରକ (ପିବି୧୦ସିଏକ୍ସ ୨୯୮୩) ଗାଡିରେ ଖୋର୍ଦ୍ଧାର ଜଙ୍କିଆ ଗାଁର ଡ୍ରାଇଭର ବିଶ୍ୱାମିତ୍ର ଦେହୁରୀ(୩୫) ବେପରୁଆ ଗାଡ଼ିଚାଳନା କରି ଆସୁଥିବା ବେଳେ ଫୁରଲିଝରନରେ ବୁଧବାର ସନ୍ଧ୍ୟାରେ ସିରିଜ ଦୁର୍ଘଟଣା ଘଟାଇଥିଲେ। ୩ ଜଣ ମୃତକ ଭବାନୀପାଟଣା ଟିଭିସେଣ୍ଟରପଡ଼ାର ସସ୍ମିତା ଲହଜଲ ଓ ପ୍ରଭାତୀ କାଣ୍ଡ, ଅଟୋଡ୍ରାଇଭର ତାରିଣୀ ମନ୍ଦିରପଡ଼ାର ଶଙ୍କର୍ଷଣ ହଂସର ମୃତ୍ୟୁ ହୋଇଥିଲା।

ଅନ୍ୟଜଣେ ମୃତକ ଜୁନାଗଡ ବ୍ଲକର ପଲାସ ଗ୍ରାମର ଲିଙ୍ଗରାଜ ମେହେର ବୋଲି ଗୁରୁବାର ଚିହ୍ନଟ ହୋଇଥିଲା। ଆଜି ସକାଳେ ଶୋକାକୂଳ ପରିବେଶ ମଧ୍ୟରେ ୪ଜଣ ମୃତକଙ୍କ ଶବ ସଦର ମୁଖ୍ୟ ଡାକ୍ତରଖାନାରେ ବ୍ୟବଛେଦ କରାଯିବା ପରେ ପରିବାର ଲୋକଙ୍କୁ ପୁଲିସ ହସ୍ତାନ୍ତର କରିଥିଲା। ଆହତ ମହେଶ କାଣ୍ଡକୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସସ୍ମିତା ନାଗକୁ ବିଶାଖାପାଟଣା ଓ ରଶ୍ମି ସାମନ୍ତରାୟକୁ ଭୁବନେଶ୍ୱରକୁ ଚିକିତ୍ସା ନିମନ୍ତେ ନିଆଯାଇଥିବା ଜଣାଯାଇଛି। ସଦର ପୁଲିସ ପକ୍ଷରୁ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ରଜନୀଗନ୍ଧା ନାମକ ଘରୋଇ ବସ୍‌ର ଡ୍ରାଇଭର, ବୋଲେରୋ ଡ୍ରାଇଭର ସୁରେନ୍ଦ୍ର ଶବର ଓ ଦେବାଶିଷ ସାହୁଙ୍କୁ ପୁଲିସ ଜେରା କରିବା ପରେ ସେମାନଙ୍କୁ ଗାଡ଼ି ସହ ଛାଡ଼ି ଦେଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଭବାନୀପାଟଣା ଉପଜିଲ୍ଲାପାଳ ସୁକାନ୍ତ ତ୍ରିପାଠୀ ସଦର ଡାକ୍ତରଖାନାକୁ ଯାଇ ଦୁର୍ଘଟଣାରେ ଆହତ ଓ ମୃତକଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। ଜିଲ୍ଲା ରେଡକ୍ରସ ପକ୍ଷରୁ ପ୍ରତ୍ୟେକ ମୃତ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ଏବଂ ଦୁର୍ଘଟଣା ଘଟାଇଥିବା ଟ୍ରକ ମାଲିକ  ଗିରିଶ ସିଂଙ୍କ ପକ୍ଷରୁ ୨୦ ହଜାର ଟଙ୍କା ପ୍ରତ୍ୟେକ ମୃତ ପରିବାରକୁ ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଛନ୍ତି।

ବର୍ତ୍ତମାନ ୨ଟି ମୃତ ପରିବାରକୁ ଅର୍ଥ ପ୍ରଦାନ କରାଯାଇଛି ବୋଲି ଉପଜିଲ୍ଲାପାଳ କହିଥିଲେ। ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ବିଶ୍ୱାମିତ୍ରଙ୍କୁ ସଦର ଥାନାରେ ରଖାଯାଇ ଜେରା ଚାଲିଛି। ଶୁକ୍ରବାର ବିଶ୍ୱାମିତ୍ରକୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି। ପୁଲିସ ପକ୍ଷରୁ କେସନଂ ୩୦୮/୨୦୧୬ ଦଫା୨୭୯, ୩୭୭, ୩୩୮, ୩୦୪ବି ଭାରତୀୟ ପିଙ୍ଗଳ କୋର୍ଡରେ ମାମଲା ରୁଜୁ ହୋଇଛି।

image