19 November 2017
4:52:11 AM
Sambad News
ରାଜ୍ୟ

ମହାନଦୀ ଜଳ ବିବାଦ ପ୍ରସଙ୍ଗ : କନକତୋରାରେ ମାନବଶୃଙ୍ଖଳ

By Sambad | Date: Jan 1 2017 11:56PM
ମହାନଦୀ ଜଳ ବିବାଦ ପ୍ରସଙ୍ଗ : କନକତୋରାରେ ମାନବଶୃଙ୍ଖଳ

ସାମିଲ ହେଲେ ଉଭୟ ରାଜ୍ୟର ଜନତା
ସମାଧାନ ପାଇଁ ସ୍ୱତନ୍ତ୍ର ଆଇନ ହେଉ: ମହାନଦୀ ବଂଚାଅ, ଜୀବିକା ବଂଚାଅ ଅଭିଯାନ
 
ବେଲପାହାଡ଼ : ଉଭୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦେଖା ଦେଇଥିବା ମହାନଦୀ ଜଳ ବିବାଦ ପରିପ୍ରେକ୍ଷୀରେ ଗଠିତ ହୋଇଥିବା ‘ମହାନଦୀ ବଂଚାଅ-ଜୀବିକା ବଂଚାଅ; ଛତିଶଗଡ଼-ଓଡ଼ିଶା ମିଳିତ ଅଭିଯାନ’ ପକ୍ଷରୁ ରବିବାର ଏକ ମାନବ ଶୃଙ୍ଖଳ ଗଠନ କରାଯାଇଛି। ମହାନଦୀର ସୁରକ୍ଷା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଅଭିଯାନ ପକ୍ଷରୁ ଏକ ସଚେତନତା ଯାତ୍ରା ଡିସେମ୍ବର ୨୬ ତାରିଖ କଟକରୁ ଆରମ୍ଭ ହୋଇ ୧ ଜାନୁଆରିରେ ଝାରସୁଗୁଡ଼ା ଜିଲ୍ଲାର କନକତୋରାରେ ପହଞ୍ଚିଛି। ଗତବର୍ଷ ଅକ୍ଟୋବର ୨୫ ତାରିଖ ଉଭୟ ରାଜ୍ୟ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଗଣ ସମ୍ମିଳନୀରେ ‘ଝାରସୁଗୁଡ଼ା ଘୋଷଣାପତ୍ର’ ଅନୁଯାୟୀ ଏହି ଅଭିଯାନ ଜାରି ରହିଛି। 
 
ଅପରପକ୍ଷରେ, ଛତିଶଗଡ଼ର ଜିଲ୍ଲା ବଚାଓ ସଂଘର୍ଷ ମୋର୍ଚା ନେତୃତ୍ୱରେ ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବ ବିଧାୟକ ରାମକୁମାର ଅଗ୍ରଓ୍ଵାଲଙ୍କ ଜନ୍ମତିଥିରେ କେଲୋ ଡ୍ୟାମରୁ ଜଳଯାତ୍ରା ଆରମ୍ଭ କରିବା ସହ ରାୟଗଡ଼ ସହର ଏବଂ କେଲୋ ପାର୍ଶ୍ୱବର୍ତ୍ତୀ ପ୍ରାୟ ୧୫ଟି ଗାଁରେ ପ୍ରଚାର ଅଭିଯାନ କରାଯାଇଥିଲା। ଛତିଶଗଡ଼ ରାଜ୍ୟର ଶତାଧିକ ଲୋକ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇଛନ୍ତି। କନକତୋରାରେ ଓଡ଼ିଶା ସିପିଆଇ-ଏମ, ଝାରସୁଗୁଡ଼ା ଲୋକମୁକ୍ତି ସଂଗଠନ, ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ, ଲଖନପୁର ବୁଡ଼ି ଅଂଚଳ ସଂଗ୍ରାମ ସମିତି, ରାୟଗଡ଼ର ଜିଲ୍ଲା ବଚାଓ ସଂଘର୍ଷ ମୋର୍ଚାର ସଦସ୍ୟମାନେ ଏକ ସାଧାରଣ ସଭା କରିଥିଲେ। ଏହା ପରେ କନକତୋରା ଜାତୀୟ ରାଜପଥ ଉପରେ ଏକ ମାନବ ଶୃଙ୍ଖଳ କରାଯାଇ ମହାନଦୀ ଜଳ ଉପରେ ସାଧାରଣ ଜନତାଙ୍କ ହକ୍‌କୁ ସୁନିଶ୍ଚିତ କରିବା ପାଇଁ ଆଇନ ପ୍ରଣୟନ ପାଇଁ ଦାବି କରାଯାଇଛି।
 
ଏଥିସହ ଏହି ମିଳିତ ଅଭିଯାନର ଅନ୍ୟାନ୍ୟ ଦାବିଗୁଡ଼ିକ ହେଲା ଅନ୍ତଃଜିଲ୍ଲା ଜଳବିବାଦ ଆଇନରେ ତୁରନ୍ତ ସମାଧାନ କରିବା, ମହାନଦୀ ପାଣିର ବର୍ତ୍ତମାନ ସ୍ଥିତି ଏବଂ ତା’ର ଉପଯୋଗ ପାଇଁ ଦୁଇ ରାଜ୍ୟ ସରକାର ଶ୍ୱେତପତ୍ର ଜାରି କରନ୍ତୁ, ପାଣିର ବ୍ୟବସାୟୀକରଣକୁ ବନ୍ଦ କରାଯାଉ, ମହାନଦୀ ଜଳକୁ ପ୍ରଥମେ ପିଇବା ଓ ଜଳସେଚନ ପାଇଁ ସୁନିଶ୍ଚିତ କରିବା, ମହାନଦୀ ଉପରେ ଜୈବ ବିବିଧତାକୁ ବଂଚାଇ ରଖିବା ଆଦି। ଏନେଇ ଏକ ଦାବିପତ୍ର ଦୁଇ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରେରଣ କରାଯିବ। କାରଣ ଉଭୟ ରାଜ୍ୟ ନ ଚାହିଁଲେ ବିବାଦର ସମାଧାନ ହୋଇପାରିବ ନାହିଁ ବୋଲି ମତ ପ୍ରକାଶ ପାଇଛି। 
 
କାର୍ଯ୍ୟକ୍ରମରେ ଓଡ଼ିଶାରୁ ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା ସିପିଆଏମ ରାଜ୍ୟ ସଂପାଦକ ଜନାର୍ଦ୍ଦନ ପତି, ପୂର୍ବ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ, ରାଜ୍ୟ ସଂପାଦକମଣ୍ଡଳୀ ସଦସ୍ୟ ତଥା ଅଭିଯାନର ଅନ୍ୟତମ ଆବାହକ ଶିଶିର ହୁଇ, ଲୋକମୁକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ଲୋକମୁକ୍ତି ସଂଗଠନର ଉପଦେଷ୍ଟା ତଥା ଅଭିଯାନର ଉପଦେଷ୍ଟା ଅନନ୍ତ ଓ ସୁଦର୍ଶନ ଛୋଟରାୟ, କିଷାନ ସଭା ରାଜ୍ୟ ସଭାପତି ଅଭିରାମ ବେହେରା, ବିଶିଷ୍ଟ କୃଷକ ନେତା ଲିଂଗରାଜ, ଲଖନପୁର ବୁଡ଼ି ଅଂଚଳ ସଂଗ୍ରାମ ସମିତି ସଂପାଦକ ଗୋପୀନାଥ ମାଝି, ବାସୁଦେବ ଭୋଇ, ବୈକୁଣ୍ଠ ସିଂହ, ଯୋଗେନ୍ଦ୍ର ମାଝି, ଗୋକୁଳ ସାହୁ, ସୁବଳ ଲୁହା, ଟଙ୍କଧର ସାହୁ, ଦିଲୀପ ସାହୁ, ଉମାକାନ୍ତ ନାଏକ, ବିନିଦ ସମାଦ, ଖତୁ କିଷାନ, କୈଳାସ ପିଙ୍ଗଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ବ୍ରଜମୋହନ କଲ୍ୟାରୀ, ଜୀବର୍ଦ୍ଧନ କଲ୍ୟାରୀ, ଛତିଶଗଡ଼ରୁ ମୋର୍ଚାର ସଂପାଦକ ତଥା ଅଭିଯାନର ଅନ୍ୟତମ ଆବାହକ ଗଣେଶ କଚ୍ଛଓ୍ଵାହ, ବାସୁଦେବ ଶର୍ମା, ଜୟପ୍ରକାଶ ଅଗ୍ରଓ୍ଵାଲ, ରଘୁବୀର ପ୍ରଧାନ, ସୁରେଶ ଶର୍ମା, ନୀଳକଣ୍ଠ ସାହୁ, ରାମକ୍ରିଷ୍ଣା ଶର୍ମା ପ୍ରମୁଖ ସାମିଲ ଥିଲେ।

image