23 October 2017
12:27:08 AM
Sambad News
ରାଜ୍ୟ

ଆଜି କୃଷକ ଅଧିକାର ଦିବସ

ସମାବେଶ ପାଇଁ ଅର୍ତିଆ ପ୍ରସ୍ତୁତ

By Sambad | Date: Jan 3 2017 5:41AM
ଆଜି କୃଷକ ଅଧିକାର ଦିବସ

ଯାଜପୁର/ଯୋକଡ଼ିଆ :  ଆସନ୍ତାକାଲି  ସାରା ରାଜ୍ୟରେ ପାଳନ ହେବ ଚାଷୀ ଅଧିକାର ଦିବସ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ  ୪ ଟା ପର୍ଯ୍ୟନ୍ତ ଚାଷୀ ଏକଜୁଟ୍‍ ହୋଇ ରାଜ୍ୟର ୨୯ଟି ଜିଲ୍ଲା ସଦର ମହକୁମାରେ ଗୋଟିଏ ଓଳି ଅନଶନ ପାଳନ କରିବେ।  ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ୍‍ ଓଡ଼ିଶୋ ପଞ୍ଚାୟତର ଅର୍ତିଆ କୁସୁନୁପୁର ଗ୍ରାମ ଯାତ୍ରା ପଡ଼ିଆରେ ରାଜ୍ୟସ୍ତରୀୟ କୃଷକ ଅଧିକାର ଦିବସର ଆୟୋଜନ କରାଯାଇଛି। ଏଠାରୁ ସମଗ୍ର ରାଜ୍ୟକୁ କୃଷକ ଅଧିକାର ଯାତ୍ରାର ଶୁଭାରମ୍ଭ ହେବ। ସୂଚନା ଅନୁସାରେ, ପୂର୍ବାହ୍ନରେ ଅନଶନସ୍ଥଳ ଅର୍ତିଆସ୍ଥିତ ବାସୁଳେଇ ପୀଠରୁ ଶାନ୍ତି ଶୋଭାଯାତ୍ରା ବାହାରି ସଭାମଞ୍ଚ ନିକଟରେ ପହଞ୍ଚିବ। ସେଠାରେ ଆନୁଷ୍ଠାନିକ ଭାବେ କୃଷକ ଅଧିକାର ଦିବସକୁ ଉଦ୍‌ଘାଟନ କରାଯିବ। ଚାଷୀ ଜାଗରଣ ସଂଗୀତ ଗାନ ପରେ ଉପସ୍ଥିତ ନେତୃମଣ୍ଡଳୀ, ବୁଦ୍ଧିଜୀବୀ, ରାଜନେତା, ସମାଜସେବୀ, ଚାଷୀ ଆନ୍ଦୋଳନକୁ ସମର୍ଥନରେ ବକ୍ତବ୍ୟ ରଖିବେ। 
 
ଅନ୍ୟପକ୍ଷରେ, ନବନିର୍ମାଣ କୃଷକ ସଂଗଠନର ଅନଶନ ଓ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମକୁ ବିଭିନ୍ନ ଆଡ଼ୁ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି। ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଯୋଗ ଦେଇ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।  ଆଜି ଅପରାହ୍ନରେ  ପ୍ରାକ୍ତନ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଭକ୍ତଚରଣ ଦାସ ଅନଶନସ୍ଥଳରେ ପହଁଚି ଏଥିରେ ସାମିଲ୍‌ ହୋଇଛନ୍ତି।  ଶ୍ରୀ ଦାସ କହିଛନ୍ତି ଯେ,  କଳାହାଣ୍ଡିର ନିୟମଗିରି ଜନସାଧାରଣ ବେଆଇନ୍‍ ଖଣି ଖୋଳାକୁ ବିରୋଧ କରି ବିଜୟ ଲାଭ କରିଛନ୍ତି। ଆଜି ଚାଷୀମାନେ ସେହିଭଳି ଏକାଠି ହୋଇ ଆନ୍ଦୋଳନକୁ ବ୍ୟାପକ କରିବା ସହିତ ପୁଲିସ୍‌କୁ ପଣବନ୍ଦୀ କରିବାରେ ସମର୍ଥ ହୋଇଛନ୍ତି। ଏହି ଆନ୍ଦୋଳନ ଚାଷୀଙ୍କ ଆତ୍ମବିଶ୍ୱାସ ଫେରାଇ ଆଣିବ। ଏଥିସହିତ,  ଚାଷୀଙ୍କ ଉପରେ ଲାଠିମାଡ଼ ଘଟଣାକୁ ଶ୍ରୀ ଦାସ ତୀବ୍ର ସମାଲୋଚନା କରିଛନ୍ତି। 
 
ଯାଜପୁର ଜିଲ୍ଲା ସଂଯୋଜକ ନିମାଇଁ ଚରଣ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରିପବ୍ଲିକାନ୍‍ ପାର୍ଟି ଅଫ୍‍ ଇଣ୍ଡିଆ ରାଜ୍ୟ ସଭାପତି ସେକ୍‍ ଅବଦୁଲ୍‍ ଓ୍ଵାଲୀ, ସଂଗଠନର ଉପଦେଷ୍ଟା ଗଗନ ବିହାରୀ ସାମଲ, ନକୁଳ ଚନ୍ଦ୍ର ରାଉତ, ଗୋଲକ ବିହାରୀ ମଲ୍ଲିକ, କଳିଙ୍ଗ ବିଜୟ ବରାଳ, ନାରାୟଣ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। 
 
ଆସନ୍ତାକାଲି  ରାଜ୍ୟସ୍ତରୀୟ ଚାଷୀ ସମାବେଶରେ ନବ ନିର୍ମାଣ କୃଷକ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ, ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର, ମୁଖପାତ୍ର ସଜ୍ଜନ ଶର୍ମା, ବିଧାୟକ ପ୍ରଦୀପ ପୁରୋହିତ, ଶିବାନନ୍ଦ ରାୟ, ଅମୀୟ ପଟ୍ଟନାୟକ, ତାରା ପ୍ରସାଦ ବାହିନୀପତି, ସିପିଏମ୍‍ର ସନ୍ତୋଷ ଦାସ, ସିପିଆଇର ସୌରୀବନ୍ଧୁ କର, ସିପିଆଇ(ଏମ୍‍ଏଲ୍‍)ରାଧାକାନ୍ତ ସେଠୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ପଞ୍ଚାନନା କାନୁନଗୋ, ଜର୍ଜ ତିର୍କୀ ପ୍ରମୁଖ ବହୁ ଜନ ଆନ୍ଦୋଳନକାରୀ ନେତା, ସଂଗଠକ, ସାମାଜିକ କର୍ମୀ, ବରିଷ୍ଠ ସାମ୍ବାଦିକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାକୁ ସହମତି ପ୍ରକାଶ କରିଛନ୍ତି।  ଏହି ବିଶାଳ ସମାବେଶକୁ ସଫଳ କରିବା ପାଇଁ ଅର୍ତିଆ କୁସୁନୁପୁର, ଓଡ଼ିଶୋ, ଅଣ୍ଡେଇଗୋଡ଼ା ଓ ଆଖପାଖ ଗ୍ରାମବାସୀ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏହି ସମାବେଶରେ ମଧ୍ୟ  ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଅକ୍ଷୟ କୁମାର ୨୩ ଦିନିଆ  ଅନଶନ ଭଙ୍ଗ କରିବେ ।

image