20 October 2017
8:54:54 AM
Sambad News
ରାଜ୍ୟ

କଳିଙ୍ଗନଗର ଗୁଳିକାଣ୍ଡକୁ ୧୧ ବର୍ଷ : ବିସ୍ଥାପିତ ପାଳିଲେ ସହିଦ ଦିବସ

By Sambad | Date: Jan 3 2017 2:10AM
କଳିଙ୍ଗନଗର ଗୁଳିକାଣ୍ଡକୁ ୧୧ ବର୍ଷ : ବିସ୍ଥାପିତ ପାଳିଲେ ସହିଦ ଦିବସ

କଳିଙ୍ଗନଗର/ଦାନଗଦି/ଡୁୁୁବୁରି : କଳିଙ୍ଗନଗର ଗୁଳିକାଣ୍ଡର ଆଜି ଥିଲା ୧୧ବର୍ଷ ପୂର୍ତ୍ତି ଉତ୍ସବ। ବିସ୍ଥାପିତଙ୍କ ପକ୍ଷରୁ ଏହାକୁ ସହିଦ ଦିବସ ଭାବେ ପାଳନ କରାଯାଇଛି।  ୨ଟି ସ୍ଥାନରେ ପୃଥକ୍‌ ସଭାରେ ନିହତ ଆଦିବାସୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହି ସରକାର ଏବଂ ଟାଟା କମ୍ପାନି ବିରୋଧରେ ନାରାବାଜି କରିିଛନ୍ତି। 
 
ବିସ୍ଥାପନ ବିରୋଧୀ ଜନମଞ୍ଚର ସଂପାଦକ ରବୀନ୍ଦ୍ରନାଥ ଜାରିକାଙ୍କ ନେତୃତ୍ୱରେ ୨ ହଜାରରୁ ଉଦ୍ଧ୍ଵର୍ ଜନତା ପାରମ୍ପରିକ ବାଦ୍ୟ, ଅସ୍ତ୍ର ଧରି ଏକ ବିଶାଳ ଶୋଭାଯାତ୍ରାରେ ଚମ୍ପାକୋଇଲା(ଗୁଳିକାଣ୍ଡ ସ୍ଥଳ)ରୁ ବାହାରି ଆମ୍ବଗାଡ଼ିଆ ବୀରଭୂମିରେ ପହଞ୍ଚିଥିଲେ । ରାଜ୍ୟ ସରକାର ଏବଂ  ଟାଟା କମ୍ପାନି ବିରୋଧରେ ନାରାବାଜି ଦେବା ସହିତ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ରତନ ଟାଟାଙ୍କ ଫଟୋଚିତ୍ରରେ ଅଗ୍ନିସଂଯୋଗ କରିଥିଲେ। 
 
ସେହିପରି ବିସ୍ଥାପିତ ପରିବାର ଉନ୍ନୟନ ପରିଷଦ ପକ୍ଷରୁ ସଂସାଇଲୋ ଠାରେ ତ୍ରିଲୋଚନ ମହାନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ୫୦ରୁ ଉଦ୍ଧ୍ଵର୍ ବିସ୍ଥାପିତ ପରିବାର ସହିଦଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧଞ୍ଜଳି ଅର୍ପଣ କରିବା ସହ ଟାଟା ବିରୋଧରେ ବିଷୋଦ୍‌ଗାର କରିଥିଲେ। ବିସ୍ଥାପିତଙ୍କ ସମାବେଶକୁ ଦୃଷ୍ଟିରେ ରଖି ଚମ୍ପାକୋଇଲାଠାରୁ ଆମ୍ବଗାଡ଼ିଆ ପର୍ଯ୍ୟନ୍ତ ୬ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯିବା ସହ  ସମସ୍ତ ରାସ୍ତାକୁ ସିଲ୍‍ କରିଦିଆଯାଇଥିଲା।

image