19 October 2017
5:19:10 AM
Sambad News
ଜଗତସିଂହପୁର

ବନ୍ଧୁକ ଦେଖାଇ ୭୬ ହଜାର ଟଙ୍କା ଲୁଟ୍‌

By Sambad | Date: Jan 4 2017 8:04AM
ବନ୍ଧୁକ ଦେଖାଇ ୭୬ ହଜାର ଟଙ୍କା ଲୁଟ୍‌

ଗାରୋଇ/ଜଗତ୍‌ସିଂହପୁରସଦର,: ନାଉଗାଁ ଥାନା ଅନ୍ତର୍ଗତ ଡେରିକି-ଶିଖର ରାସ୍ତାର ଡେରିକି ବାଲିଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟ ନିକଟରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଜଣେ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ନିକଟରୁ ୭୬ ହଜାରରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।
 ଜଗତସିଂହପୁର ଜିଲ୍ଲା ବାଲିକୁଦାସ୍ଥିତ ଏସ୍‌କେଏସ୍‌ ଫାଇନାନ୍ସ କମ୍ପାନୀର କର୍ମଚାରୀ ସମ୍‌ଦୀପ ଶତପଥୀ ଆଜି ନାଉଗାଁ ଥାନା ଅନ୍ତର୍ଗତ ଶିଖର, ବୋଦଳ, ନଳାଙ୍ଗ, ଅଙ୍ଗେଶ୍ୱରପଡ଼ା, ଶାଳଜଙ୍ଗା ଆଦି ଅଞ୍ଚଳରେ ଥିବା ସମିତିରୁ ୭୬ ହଜାର ୧୮୨ ଟଙ୍କା ସଂଗ୍ରହ କରିଥିଲେ।

ଏହାପରେ ସେ ମଧ୍ୟାହ୍ନ ୧୨ଟାରେ ଭଟଣାସ୍ଥିତ ମାଇକ୍ରୋ ଫାଇନାନ୍ସର ସମିତିକୁ ଯାଉଥିଲେ। ମାତ୍ର କିଛି ଦୁର୍ବୃତ୍ତ ତାଙ୍କର ପିଛା କରୁଥିବା ଦେଖି ସମ୍‌ଦୀପ ଭଟଣା ଛକଠାରୁ କିଛି ଆଗକୁ ଚାଲି ଯାଇଥିଲେ। ହେଲେ, କଳା ରଙ୍ଗର ହୋଣ୍ଡା ସାଇନ୍‌ ବାଇକ୍‌ରେ ପିଛା କରୁଥିବା ଦୁର୍ବୃତ୍ତ ଦ୍ୱୟ ଡେରିକି ବାଲିଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟ ନିକଟରେ ତାଙ୍କ ବାଇକ୍‌ ଆଗକୁ ଚାଲି ଆସିଥିଲେ। ସମ୍‌ଦୀପ ଅଟକିବା ପରେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ କାନ୍ଧରେ ପଡ଼ିଥିବା ତାଙ୍କର ଟଙ୍କା ବ୍ୟାଗ୍‌ ଓ ଗାଡ଼ି ଚାବି ନେଇ ଶାଳଜଙ୍ଗା ଆଡ଼କୁ ପଳାଇ ଯାଇଥିଲେ।

ଏ ସମ୍ପର୍କରେ ଖବର ପାଇ ନାଉଗାଁ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଦୁର୍ବୃତ୍ତ ସୁରାକ୍‌ ମିଳିପାରି ନାହିଁ। ଲୁଟ୍‌ ହୋଇଥିବା ବ୍ୟାଗ୍‌ରେ ଟଙ୍କା ସହ ଏକ ଦାମୀ ଟାବ୍‌ଲେଟ୍‌ ମୋବାଇଲ୍‌ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ସମ୍‌ଦୀପ କହିଛନ୍ତି। ଏ ସମ୍ପର୍କରେ ନାଉଗାଁ ଥାନା ଅଧିକାରୀ ସର୍ବେଶ୍ୱର ବେହେରାଙ୍କୁ ପଚାରିବାରୁ ଲୁଟ୍‌ ଘଟଣାର ପୁଲିସ୍‌ ତଦନ୍ତ ଜାରି ରଖିବା ସହ କୌଣସି ଏକୁଟିଆ କର୍ମଚାରୀ ଟଙ୍କା ସଂଗ୍ରହ ନ କରିବା ପାଇଁ ମାଇକ୍ରୋ ଫାଇନାନ୍ସ ସଂସ୍ଥାଗୁଡ଼ିକୁ କୁହାଯାଇଥିବା ପ୍ରକାଶ କରିଛନ୍ତି।

image