20 October 2017
10:28:17 AM
Sambad News
ଦେଶ- ବିଦେଶ

ଗୋରଖପୁର ଶିଶୁ ମୃତ୍ୟୁ ମାମଲା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତଦନ୍ତ ଆରମ୍ଭ, କଲେଜ ଅଧ୍ୟକ୍ଷ ନିଲମ୍ବିତ

By Sambad | Date: Aug 12 2017 11:27PM
ଗୋରଖପୁର ଶିଶୁ ମୃତ୍ୟୁ ମାମଲା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତଦନ୍ତ ଆରମ୍ଭ, କଲେଜ ଅଧ୍ୟକ୍ଷ ନିଲମ୍ବିତ

ଗୋରଖପୁର: ଶିଶୁଙ୍କ ପାଇଁ ଯମାଳୟ ପାଲଟିଥିବା ଗୋରଖପୁର ସରକାରୀ ମେଡିକାଲ କଲେଜରେ ୪୮ ଘଣ୍ଟା ମଧ୍ୟରେ ୩୩ ଶିଶୁଙ୍କ ମୃତ୍ୟୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ  ଆରମ୍ଭ ହୋଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ ଟିମ୍‌ ଶିଶୁ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ସାମ୍ନାକୁ ଆସିଥିବାରୁ  କଲେଜର ଅଧ୍ୟକ୍ଷ  ନିଲମ୍ବିତ କରାଯାଇଛି ।  ବିଗତ ୫ ଦିନ ମଧ୍ୟରେ ଏହି ହସ୍ପିଟାଲରେ  ୬୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି ।  ତେବେ ଅକ୍ସିଜେନ୍‌ ଅଭାବ ଯୋଗୁଁ ଶିଶୁମାନଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାମଲାର ସବିଶେଷ ଯାଞ୍ଚ ନିର୍ଦ୍ଦେଶ ଦେବା ସହ  କଡ଼ା କାର୍ଯ୍ୟାନୁଷ୍ଠାନ ସଙ୍କେତ ଦେଇଛନ୍ତି। ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ଜରୁରୀ ବୈଠକ ବସି ଏ ବାବଦରେ ଆଲୋଚନା ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ରାଜ୍ୟ ପ୍ରଶାସନକୁ ଶିଶୁ ମୃତ୍ୟୁ ମାମଲାର ବିସ୍ତତ ରିପୋର୍ଟ ମାଗିଛନ୍ତି।  କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ବିଡିଏସ୍‌ ହସ୍ପିଟାଲ ଗସ୍ତ କରି  ତୁରନ୍ତ ଏ ବାବଦ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଭାବେ ଦୁଃଖିତ ଓ ମର୍ମାହତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ଏହି ମାମଲା ଉପରେ ନଜର ରଖିବା ସହ  ବିହୀତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସିଦ୍ଧାର୍ଥ ସିଂହ ବିଡିଏସ୍‌ ହସ୍ପିଟାଲରେ ସ୍ଥିତି ଅନୁଧ୍ୟାନ କରିବା ପରେ କହିଛନ୍ତି ଯେ ମାମଲା ବହୁତ ଗମ୍ଭୀର ରହିଛି।  ମୁଖ୍ୟମନ୍ତ୍ରୀ ନିକଟରେ ଏହି ହସ୍ପିଟାଲ ଗସ୍ତ କରିଥିଲେ ମଧ୍ୟ ଅକ୍ସିଜେନ ଯୋଗାଣ ସଂପର୍କିତ ସମସ୍ୟା ନେଇ ତାଙ୍କୁ କୌଣସି ସୂଚନା ଦିଆଯାଇ ନଥିଲା। ତେବେ ସମସ୍ତ ମୃତ୍ୟୁକୁ ଅକ୍ସିଜେନ୍‌ ଅଭାବଜନିତ ମୃତ୍ୟୁଭାବେ ଗ୍ରହଣ କରିବା ଉଚିତ ହେବନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି। ସେ କହିଛନ୍ତି ଯେ  ବିଭିନ୍ନ ଅଂଚଳରୁ ଉଦ୍‌୍‌ବେଗଜନକ ସ୍ଥିତିରେ ଶିଶୁମାନେ ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି।   ୨୦୧୪ରେ ଏହି ମେଡିକାଲ କଲେଜରେ ଦୈନିକ ହାରାହାରି ୧୯ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୧୫ରେ ଦିନକୁ ୨୨ ଏବଂ ୨୦୧୬ରେ ଦୈନିକ ହାରାହାରି ୧୯ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସେ କହିଥିଲେ।  ଅକ୍ସିଜେନ୍‌ ଯୋଗାଣ ବନ୍ଦ ସଂପର୍କରେ ହୋଇଥିବା ପ୍ରାରମ୍ଭିକ ତଦନ୍ତ ରିପୋର୍ଟର ତଥ୍ୟ ମୁତାବକ ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଅକ୍ସିଜେନ ସିଲିଣ୍ଡର ଚାଲିଥିଲା। ରାତି ସାଢ଼େ ୧୧ରୁ ସାଢ଼େ ୧ଟା ମଧ୍ୟରେ ଅକ୍ସିଜେନ ଯୋଗାଣ ହୋଇଥିଲା। ତେବେ ଏହି ସମୟ ମଧ୍ୟରେ  କୌଣସି ଶିଶୁର ମୃତ୍ୟୁ ହୋଇନାହିଁ। ହସ୍ପିଟାଲରେ ଅକ୍ସିଜେନର ଅଭାବ ନଥିଲା ବୋଲି ସେ କହିଛନ୍ତି।  
ତେବେ ହସ୍ପିଟାଲକୁ ତରଳ ଅକ୍ସିଜେନ ଯୋଗାଣ ଗୁରୁବାରଠାରୁ ବନ୍ଦ ଥିଲା ଏବଂ ଶୁକ୍ରବାରରୁ ସମସ୍ତ ସିଲିଣ୍ଡର ଶେଷ ହୋଇଯାଇଥିଲା ବୋଲି କୁହାଯାଉଛି। ଏନ୍‌୍‌ସେଫିଲାଇଟିସ ଓ୍ଵାର୍ଡରେ ସ୍ଥିତି ଉଦ୍‌୍‌ବେଗଜନକ ହେବାପରେ ଅକ୍ସିଜେନ ଯୋଗାଣ  ହେଉନଥିବା ଜଣାପଡ଼ିନଥିଲା। ହସ୍ପିଟାଲକୁ ଅକ୍ସିଜେନ ଯୋଗାଉ ଥିବା ସଂସ୍ଥାର ୬୯ ଲକ୍ଷ ଟଙ୍କା ବକେୟା କର୍ତ୍ତୃପକ୍ଷ ପୈଠ କରିନଥିବାରୁ ଯୋଗାଣ ବନ୍ଦ ପାଇଁ ସଂପୃକ୍ତ ସଂସ୍ଥା ଲିଖିତ ଭାବେ ଜଣାଇଥିଲେ। 
ବିଆର୍‌୍‌ଡି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଶିଶୁ ମୃତ୍ୟୁ ମାମଲା କୌଣସି ଅବହେଳା ଘଟଣା ନୁହେଁ, ଏହା ଗଣହତ୍ୟା ମାମଲା ବୋଲି ନେବେଲ  ବିଜେତା କୈଳାସ ସତ୍ୟାର୍ଥୀ କହିଛନ୍ତି। ଦୀର୍ଘ ବର୍ଷ ଧରି ଦୁର୍ନୀତିରେ ବୁଡ଼ି ରହିଥିବା ସରକାରୀ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ସରକାର ତତ୍ପରତାର ସହ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।  ଆଜି କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କ ନେତୃତ୍ୱରେ ଦଳୀୟ ପ୍ରତିନିଧି ଦଳ  ହସ୍ପିଟାଲ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଘଟଣାରେ ନୈତିକ ଦାୟିତ୍ୱ ବହନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ କଂଗ୍ରେସ ଦାବି କରିଛି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ  ମାୟାବତୀ ମଧ୍ୟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ସରକାରଙ୍କ ଦାୟିତ୍ୱହୀନତା ପାଇଁ ଏଭଳି ଘଟଣାା ଘଟିଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ନୈତିକ ଦାୟିତ୍ୱ ନୋବକୁ ଦାବି କରିଛନ୍ତି।
 

image