19 November 2017
4:41:38 AM
Sambad News
ଦେଶ- ବିଦେଶ

ଯେକୌଣସି ମୁହୂର୍ତ୍ତରେ ଭାରତ-ଚୀନ୍‌ ଯୁଦ୍ଧ: ଡୋକଲାମ ନେଇ ବିଦେଶୀ ଗଣମାଧ୍ୟମର ଆକଳନ

By Sambad | Date: Aug 17 2017 9:28PM
ଯେକୌଣସି ମୁହୂର୍ତ୍ତରେ ଭାରତ-ଚୀନ୍‌ ଯୁଦ୍ଧ: ଡୋକଲାମ ନେଇ ବିଦେଶୀ ଗଣମାଧ୍ୟମର ଆକଳନ

ନୂଆଦିଲ୍ଲୀ: ସିକିମ ସେକ୍ଟରସ୍ଥିତ ଡୋକଲାମଠାରେ ଭାରତ-ଚୀନ୍‌ ସେନା ସାମରିକ ସଂଘର୍ଷର ନିକଟତର ହୋଇଛନ୍ତି। ଯେକୌଣସି ମହୂର୍ତ୍ତରେ ଦୁଇ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ଯୁଦ୍ଧ ଘଟିପାରେ ବୋଲି ଆମେରିକାର ଓ୍ଵାସିଂଟନ ପୋଷ୍ଟ ଆଜି ଆଶଙ୍କା ପ୍ରକାଶ କରିଛି।
‘ଭାରତ-ଚୀନ୍‌ ସୀମା ବିବାଦ’ ଶୀର୍ଷକ ନିବନ୍ଧରେ ଏହା ଦର୍ଶାଇଛି ଯେ ଚୀନ୍‌ ଡୋକଲାମରେ ନିଜ ଚିରାଚରିତ ବିସ୍ତାର ନୀତିର ପୁନରାବୃତ୍ତି ଘଟାଇଥିବା ବେଳେ ଭାରତଠାରୁ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି। ବିବାଦୀୟ ଦକ୍ଷିଣ ଚୀନ୍‌ ସାଗରକୁ  କବଳିତ କରିବାକୁ ଏହା ଜୋରଦାର ପ୍ରୟାସ କରି ଏହି ଅଞ୍ଚଳରେ ସାମରିକ ଉତ୍ତେଜନା ସୃଷ୍ଟି କରିଛି। ଚୀନ୍‌କୁ ଫିଲିପାଇନ୍ସ ଓ ଭିଏତନାମ ଦୃଢ଼ ବିରୋଧ କରିଥିବାବେଳେ ଆମେରିକା ନୌସେନା ସହ ମଧ୍ୟ ମୁହାଁମୁହିଁ ହେବାକୁ ଚୀନ୍‌ ପଛାଇ ନାହିଁ। ଭାରତ-ଚୀନ୍‌ ଦୀର୍ଘକାଳିନ ଯୁଦ୍ଧପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ଲଦାଖରେ ଚୀନ୍‌ ସେନାର ସୀମା ଅତିକ୍ରମଣ ଅଧିକ  ଉତ୍ତେଜନା ବଢ଼ାଇଛି। ଏହି ଘଟଣାକୁ ନେଇ ଦୁଇ ସେନା ମଧ୍ୟରେ ଧସ୍ତାଧସ୍ତି ଓ ପଥର ମାଡ଼ ହୋଇଛି। ଉଭୟ ରାଷ୍ଟ୍ର ସୀମାରେ ସେନା ମୁତୟନ କରିବା ସହ ଅସ୍ତ୍ରଠୁଳ କରୁଛନ୍ତି। ଉଭୟ ରାଷ୍ଟ୍ର ମଧ୍ୟରେ ପରସ୍ପର ପ୍ରତି ସନ୍ଦେହ ବଢ଼ିବାରେ ଲାଗିଛି। ତେବେ ରାଜନୈତିକ ସ୍ତରରେ ଦୁଇ ରାଷ୍ଟ୍ରମୁଖ୍ୟ ମୋଦି ଓ ଜିିନପିଙ୍ଗ ଡୋକଲାମ ବିବାଦ ନେଇ ଅଦ୍ୟାବଧି ମୁହଁ ଖୋଲିନାହାନ୍ତି।
ନ୍ୟୁୟର୍କର୍ ଟାଇମ୍ସ ଉଲ୍ଲେଖ କରିଛି ଯେ ହିମାଳୟ ଅଞ୍ଚଳର ଏକ ଦୁର୍ଗମ ପାର୍ବତ୍ୟାଞ୍ଚଳକୁ ନେଇ ଭାରତ ଓ ଚୀନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦୁଇ ଦେଶର ଉଚ୍ଚ ଅଭିଳାଷ ଓ ଜାତୀୟତାବାଦକୁ ପ୍ରତିଫଳିତ କରିଛି। ବିଶ୍ୱ ରାଜନୀତିରେ ପ୍ରମୁଖ ନେତୃତ୍ୱ ନେବାରୁ ଆମେରିକା ଓହରି ଯିବାପରେ ଶକ୍ତିଶାଳୀ ନେତାଙ୍କ ଦ୍ୱାରା ପରିଚାଳିତ ଦୁଇ ଦେଶ ଏହି ସ୍ଥାନ ଦଖଲ ପାଇଁ ଆଗ୍ରହୀ ରହିଥିବାବେଳେ ସୀମା ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଏହା ଯୁଦ୍ଧରେ ପରିଣତ ହେବାର ବହୁ ସମ୍ଭାବନା ରହିଛି।
ସିଏନ୍‌ଏନ୍‌ ଦର୍ଶାଇଛଇ ଯେ ବିଶ୍ୱ ନେତା ହେବାକୁ ଉଦ୍ୟମରତ ଚୀନ୍‌ପାଇଁ ଡୋକଲାମ ଅଚଳାବସ୍ଥା ଏକ ଚ୍ୟାଲେଞ୍ଜ ହୋଇଛି। ପାକିସ୍ତାନ ଦଖଲରେ ଥିବା କଶ୍ମୀର ଅଞ୍ଚଳରେ ସିପିଇସି ଯୋଜନାରେ ଚୀନ୍‌ ବିପୁଳ ଅର୍ଥ ବିନିଯୋଗ କରିଥିବାବେଳେ ଏହାକୁ ଭାରତର ତୀବ୍ର ବିରୋଧ ଏବଂ ଓବିଓଆର ଯୋଜନାରେ ଭାରତ ସାମିଲ ନହେବା ଚୀନ୍‌କୁ ହତାଶ କରିଛି। ଏହି ସମୟରେ ଡୋକଲାମ ବିବାଦ ଦ୍ୱିପାକ୍ଷିକ ସମ୍ପର୍କକୁ  ବହୁ ତଳକୁ ନେଇଯାଇଛି।
ଭୁଟାନସହ ହୋଇଥିବା ରାଜିନାମାକୁ ଉଲ୍ଲଙ୍ଘନ କରି ଚୀନ୍‌ ଡୋକଲାମରେ ରାସ୍ତା ନିର୍ମାଣ କରିବାରୁ ଭାରତ-ଚୀନ୍‌ ବିବାଦ ଆରମ୍ଭ ହୋଇଛି ବୋଲି ବ୍ରିଟେନ ଗଣମାଧ୍ୟମ ବିବିସି ଭୁଟାନ ରାଷ୍ଟ୍ରଦୂତଙ୍କ ଉକ୍ତିକୁ ଉଲ୍ଲେଖ କରି କହିଛି। ତେବେ ଏହି ଘଟଣା ସାଂପ୍ରତିକ ସମୟରେ ଅତ୍ୟନ୍ତ ଗୁରୁତର ଉତ୍ତେଜନା ସୃଷ୍ଟି କରିଛି ବୋଲି ଏହା ଦର୍ଶାଇଛି।
ତେବେ ଗାର୍ଡିଆନ ଗଣମାଧ୍ୟମ ଏହାର ରିପୋର୍ଟରେ ଭାରତ-ଚୀନ୍‌ ଯୁଦ୍ଧ ହେବାର ସମ୍ଭାବନା ନାହିଁ ବୋଲି କହିଥିଲେ ମଧ୍ୟ ଦେଖାଦେଇଥିବା ଉତ୍ତେଜନା ଓ କଠୋର ଶଦ୍ଦ ବ୍ୟବହାର ଚଳିତ ସମୟ ପାଇଁ ଅଭୂତପୂର୍ବ ବୋଲି ଉଲ୍ଲେଖ କରିଛି।
 

image