17 October 2017
10:27:36 PM
Sambad News
ରାଜ୍ୟ

ପୁଣି ଜୋର ଧରିଲା ଘୁମୁସର ଜିଲ୍ଲା ଦାବି

୧୮ ବର୍ଷ ଧରି ଚିଠି ଦିଆନିଆ, ଫାଇଲ୍‌ ପଡ଼ିଛି ଟେବୁଲ୍‌ ତଳେ

By Sambad | Date: Aug 13 2017 1:39AM
ପୁଣି ଜୋର ଧରିଲା ଘୁମୁସର ଜିଲ୍ଲା ଦାବି

ଭଞ୍ଜନଗର : ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଗଠନ ଦାବି ପୁଣି ଜୋର୍‌ ଧରିଛି। ଭଂଜନଗର ଓକିଲ ସଂଘଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନ ଏହି ଦୀର୍ଘ ବର୍ଷର ପ୍ରସ୍ତାବ ନେଇ ସ୍ୱରୋତ୍ତୋଳନ କରୁଛନ୍ତି। ହେଲେ ଘୁମୁସର ଜିଲ୍ଲା ଗଠନ ପ୍ରସ୍ତାବ କେବଳ ଚିଠି ନିଆଦିଆ ଭିତରେ ସୀମିତ ରହିଛି। ଆଗକୁ ଆଗେଇପାରିନି। 
 
ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍‌ସୀ ଅଧୀନରେ ଥିବା ଗଂଜାମ ଜିଲ୍ଲାରେ ସବୁଠାରୁ ବଡ଼ ଭୂଖଣ୍ଡ ଭାବେ ଘୁମୁସର ତାଲୁକର ସ୍ୱତନ୍ତ୍ର ପରିଚୟ ରହିଥିଲା। ସଂପ୍ରତି ଗଂଜାମ ଜିଲ୍ଲାରେ ଭଂଜନଗର ସମେତ ଛତ୍ରପୁର, ବ୍ରହ୍ମପୁର ଏଭଳି ତିନିଟି ସବ୍‌ଡିଭିଜନ୍‌ ରହିଛି। ସେଥିରୁ ଭଂଜନଗର (ଘୁମୁସର) ଅଧୀନରେ ଭଂଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ସୋରଡ଼ା, ଶେରଗଡ଼, ଧରାକୋଟ, ଆସିକା, ବୁଗୁଡ଼ା ରହିଛି। ଏହା ସହ ହିଂଜିଳି ଓ କବିସୂର୍ଯ୍ୟନଗରକୁ ମିଶାଇ ଗଂଜାମ ଜିଲ୍ଲାର ୨୨ଟି ବ୍ଲକରୁ ୧୦ଟି ବ୍ଲକକୁ ନେଇ ଘୁମୁସର ଜିଲ୍ଲା ଗଠନ କରିବାକୁ ଦୀର୍ଘ ୨୫ ବର୍ଷ ହେଲା ଦାବି ହୋଇ ଆସୁଛି। 
 
ସୂଚନାଯୋଗ୍ୟ, ରାଜ୍ୟର ୧୩ଟି ଜିଲ୍ଲାକୁ ବିଭାଜିତ କରାଯାଇ ୩୦ଟି ଜିଲ୍ଲା ଗଠନ କରା ଯାଇଥିଲା। ସେ ସମୟରେ ଘୁମୁସର ଜିଲ୍ଲା ଗଠନ ନେଇ ପ୍ରସ୍ତାବ ଉଠିଥିଲା। କିନ୍ତୁ ଆଜି ସୁଦ୍ଧା ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରୁନି। ୧୯୯୨ମସିହା ଅକ୍ଟୋବର ୯ତାରିଖ ଦିନ ଘୁମୁସର ଯୁବ କଲ୍ୟାଣ ସମିତି ପକ୍ଷରୁ ତତ୍କାଳୀନ ଗଂଜାମ ଜିଲ୍ଲାପାଳଙ୍କୁ ଘୁମୁସର ଜିଲ୍ଲା ଗଠନ ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରା ଯାଇଥିଲା। ଏଥିରେ ଘୁମୁସର (ଭଂଜନଗର) ସବଡିଭିଜନ ଅଧୀନରେ ୪ଟି ତହସିଲ, ୫ଟି ଏନଏସି ସହ ୧୨ଲକ୍ଷ ଲୋକ ଓ ୪ଟି ନିର୍ବାଚନମଣ୍ଡଳୀ ରହିଥିବା ଦର୍ଶା ଯାଇଥିଲା। ତତ୍କାଳୀନ ଗଂଜାମ ଜିଲ୍ଲାପାଳ ଏନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନରଙ୍କୁ ଅବଗତ କରିବା ସହିତ ରାଜସ୍ୱ ସଚିବଙ୍କୁ ମଧ୍ୟ ଚିଠି ପଠା ଯାଇଥିଲା। ଫଳରେ ରାଜସ୍ୱ ବିଭାଗ ଏହାକୁ ବିଚାରକୁ ନେଇ ଗଂଜାମ ଜିଲ୍ଲାପାଳଙ୍କୁ ପ୍ରସ୍ତାବର ଯାଞ୍ଚ ଓ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। 
 
ନୂଆ ଜିଲ୍ଲା ଗଠନ ପାଇଁ ଆବଶ୍ୟକ ଆନୁଷଙ୍ଗିକ ଭିତ୍ତିଭୂମି, କର୍ମଚାରୀ, ବ୍ଲକ, ପଞ୍ଚାୟତ, ତହସିଲ, ଆର୍‌ଆଇ ସର୍କଲ୍‌, ରାଜସ୍ୱ ଗାଁ ଆଦିର ବିବରଣୀ, ଭୌଗୋଳିକ ସ୍ଥିିତି ଉପରେ ତଥ୍ୟ ସଂଗ୍ରହ କରାଯିବା ସହ ତତ୍କାଳୀନ ଉପଜିଲ୍ଳାପାଳଙ୍କ ସହ ଆଲୋଚନା ହୋଇଥିିଲା। ତତ୍କାଳୀନ ଉପଜିଲ୍ଲାପାଳ ମଧ୍ୟ ନିଜ କାଯ୍ୟର୍ାଳୟକୁ ଜିଲ୍ଲାପାଳ କାର୍ଯ୍ୟାଳୟ ଭାବେ ପରିଣତ କରିବା ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ରାଜସ୍ୱ ଡାକବଙ୍ଗଳାକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲେ। ଭଂଜନଗରରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି, ଜମି ଓ ଆନୁଷଙ୍ଗିକ ବ୍ୟବସ୍ଥା ଥିବା ସହ ଜିଲ୍ଳା ଗଠନ ପାଇଁ ସମସ୍ତ ଯୋଗ୍ୟତା ପୂରଣ କରୁଥିବା ନେଇ ପରବର୍ତୀ ୧୮ ବର୍ଷ ଭିତରେ ଗଂଜାମରେ ଅବସ୍ଥାପିତ ଜିଲ୍ଲାପାଳ ମାନେ ଜବାବ ଦାଖଲ କରିଥିଲେ। ୧୯୯୨ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ୧୮ବର୍ଷ ଧରି ପ୍ରତ୍ୟେକ ବର୍ଷ ଏଭଳି ଭାବେ ରାଜସ୍ୱ ସଚିବ, କମିସନର ତଥା ସଚିବ, ଆରଡିସି, ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ମଧ୍ୟରେ ଚିଠି ଦିଆନିଆ ହୋଇ ଘୁମୁସର ଜିଲ୍ଳା ଗଠନ ପାଇଁ ପ୍ରସ୍ତାବ ଦିଆ ଯାଉଥିଲା। 
 
ତେବେ ଗଂଜାମକୁ ଭାଗ କରି ଦୁଇଟି ଜିଲ୍ଲା ଗଠନ ନକରିବାକୁ ୨୦୧୦ ମସିହାରେ ତତ୍କାଳୀନ ରାଜସ୍ୱ ସଚିବ ତାଙ୍କ ଚିଠିରେ ସ୍ପଷ୍ଟ କରିଥିଲେ। ଯଦି ସରକାର ଚାହିଁବେ ତେବେ ଏହା ଉପରେ ବିଚାର କରାଯିବ ବୋଲି ଏଥିରେ ଦର୍ଶା ଯାଇଥିଲା। ୨୦୧୦ ମସିହା ଜୁନ୍‌ ୫ ତାରିଖରେ ଏହି ଚିଠି ଜାରି ହୋଇଥିଲା। 
 
ଏହା ପରଠୁ ନୂତନ ଜିଲ୍ଲା ଗଠନ ପ୍ରସ୍ତାବ ନାଲିଫିତା ତଳେ। ବର୍ତମାନ ଓଡ଼ିଶାରେ ବିଭିନ୍ନ ଜାଗାରେ ସ୍ୱତନ୍ତ୍ର ଜିଲ୍ଳା ଗଠନ ଦାବି ଜୋର୍‌ଦାର ହେଉଥିବା ବେଳେ ବହୁ ବର୍ଷ ତଳୁ ପ୍ରସ୍ତାବିତ ଘୁମୁସର ଜିଲ୍ଲା ଗଠନ ଦାବି ପୁଣି ଜୋର୍‌ଦାର ହୋଇଛି। ଏହା ମଧ୍ୟରେ ବହୁ ସଂଗଠନ, ଯୁବକ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଓକିଲ ସଂଘ ଦାବିର ଯଥାର୍ଥତା ସପକ୍ଷରେ ସ୍ୱରୋତ୍ତୋଳନ କରିବା ସହ ଆନ୍ଦୋଳନ ଜାର୍‌ଦାର କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏପରିକି ଏନେଇ ସ୍ଥାନୀୟ ବିଧାୟକ ତଥା ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ରାଜସ୍ୱ ସଚିବଙ୍କୁ ଚିଠି କରିଛନ୍ତି। ସେହିପରି ଭାରତୀୟ ଜନତା ପାର୍ଟି ଘୁମୁସର ଜିଲ୍ଲାକୁ ସାଂଗଠନିକ ଯଥାର୍ଥତା ଦୃଷ୍ଟିରୁ ଗୁରୁତ୍ୱ ଦେଇଥିବାରୁ ସେ ଏହି ଦାବିକୁ ସମର୍ଥନ ଜଣାଇ ଆଗାମୀ ଦିନରେ ଦଳ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଞ୍ଜନଗର ଗସ୍ତ ବେଳେ ସ୍ପଷ୍ଟ କରିଥିଲେ। ତେବେ ରାଜ୍ୟ ସରକାର ଏହାକୁ କେତେଦୂର ଗୁରୁତ୍ୱ ଦେବେ ତାହା ସମୟ କହିବ।

image