23 October 2017
4:29:46 AM
Sambad News
ଗଜପତି

ବିମୁଦ୍ରାକରଣକୁ ୫୦ ଦିନ ପୂରିଲା, ଆସିନି ଖୁସି

By Sambad | Date: Dec 30 2016 11:42AM
ବିମୁଦ୍ରାକରଣକୁ ୫୦ ଦିନ ପୂରିଲା, ଆସିନି ଖୁସି

ରା.ଉଦୟଗିରି: କେନ୍ଦ୍ର ସରକାର ବିମୁଦ୍ରାକରଣ ଘୋଷଣା ୫୦ଦିନ ପୁରିଛି। ତେବେ ଏତିକି ଦିନ ମଧ୍ୟରେ ଜଣେ ସାଧାରଣ ଜନତା, ଜନ ପ୍ରତିନିଧି, ଜଣେ ଆଇନଜୀବୀ, ବ୍ୟବସାୟୀ କିମ୍ବା ଜଣେ କଲେଜ ପଢୁଆ ଛାତ୍ରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା। କଳାଧନ ବାହାର କରିବା ପାଇଁ ବିମୁଦ୍ରାକରଣକୁ ଲୋକେ ସାହସିକ ପଦକ୍ଷେପ। କିନ୍ତୁ ଏଥିରେ ସାଧାରଣ ଜନତା ହନ୍ତସନ୍ତ ହେଉଥିବା କହିଛନ୍ତି। ତେବେ କେବଳ ରାଜଧାନୀ, ସହରରେ ନ ରହି ଗ୍ରାମାଞ୍ଚଳକୁ ଆସି ପ୍ରକୃତ ତଥ୍ୟ ହାସଲ କରିବା ଦରକାର ବୋଲି ମତ ଦେଇଛନ୍ତି।
     ସରକାର ଜଣ ପିଛା ଦିନକୁ ୨ହଜାର କିମ୍ବା ସପ୍ତାହକୁ ୨୪ହଜାର ଟଙ୍କା ଉଠାଇ ପାରିବ ବୋଲି ଘୋଷଣା କରିଥିବାବେଳେ ସେଭଳି କିନ୍ତୁ ବ୍ୟାଙ୍କରେ ଦିଆଯାଉନାହିଁ। ଅତିବେଶୀରେ ୫/୬ହଜାର ଟଙ୍କାରୁ ଅଧିକ ଦିଆଯାଉନାହିଁ। ଫଳରେ ଗ୍ରାମାଞ୍ଚଳର ଲୋକେ ବହୁତ ହିନସ୍ତା ହେଉଛନ୍ତି ବୋଲି ନାଟ୍ୟ ନିର୍ଦ୍ଦେଶକ ନିଳାଞ୍ଚଳ ମିଶ୍ର ମତ ଦେଇଥିଲେ।
     ସ୍ଥାନୀୟ ବାର୍‌ ସଭାପତି ଶୁଭେନ୍ଦ୍ର ପାଣିଗ୍ରାହୀଙ୍କ ମତ ଥିଲା, ପ୍ରତ୍ୟେକ ଦିନ ୨ହଜାର ଟଙ୍କା ବାହାର କରିବା ପାଇଁ ବ୍ୟାଙ୍କରେ ଲମ୍ବାଲାଇନ୍‌ରେ ଠିଆ  ହେବାରୁ ବହୁ ସମୟରେ ହଟହଟା ହେଉଥିଲୁ। ଜଣେ କ୍ଲାଏଣ୍ଟ ପୁରୁଣା ଟଙ୍କା ଦେଲେ ବହୁତ ଅସୁବିଧା ହେଉଥିଲା। ଏହି ୫୦ଦିନ ଅବସ୍ଥା ଭୋଗିବା ହିଁ ସାର ହୋଇଥିଲା।
   

ନୂଆଗଡ ବ୍ଲକ୍‌ ପୁଟୁରୁପଡା ସରପଞ୍ଚ ଦୁଲ୍ଲଭ ବଡରଇତ କେନ୍ଦ୍ର ସରକାରଙ୍କ ଏଭଳି ଘୋଷଣାକୁ ଗରିବ ଲୋକଙ୍କ ପ୍ରତି ଉପହାସ ବୋଲି ବର୍ଣ୍ଣନା କରିଥିଲେ। ସ୍ଥାନୀୟ ବଣିକ ସଂଘ ସଭାପତି ଗିରିଜା ଶଙ୍କର ନାୟକଙ୍କ ମତ ଥିଲା, ଲୋକଙ୍କ ପାଖରେ ଏଟିଏମ୍‌ କାର୍ଡ ନଥିବା ଟଙ୍କା ଉଠାଇବା ଅସୁବିଧା ଦୂର ହୋଇନି। ଜଣେ ସାଧାରଣ ଲୋକ ଯଦି ୨ହଜାର ଟଙ୍କାରୁ ଅଧିକ କିଛି ଖରିଦ କରିବାକୁ ଚାହିଁଲା ସେଇଠି ଅସୁବିଧାର ସମ୍ମୁଖୀନ ହେଉଛି।
   

ଜଣେ ଇଞ୍ଜିନିୟର ଛାତ୍ର ସାଗର ପ୍ରଧାନଙ୍କ ପ୍ରତିକ୍ରିୟା ଥିଲା ଡିଜିଟାଲାଇଜେସନ ହେବାପରେ ଏଭଳି ଅସୁବିଧାରୁ ମୁକୁଳି ହେବ। ହେଲେ ଯେତେ ପଯ୍ୟର୍ନ୍ତ ଲୋକଙ୍କ ପାଖରେ ଏହି ଟେକ୍ନୋଲୋଜି ପହଞ୍ଚିପାରିନାହିଁ ସେତେ ପଯ୍ୟର୍ନ୍ତ ଲୋକେ ହିନସ୍ତା ହେବା ନିଶ୍ଚିତ।
    ଜଣେ ଛୋଟ ଉଠା ହୋଟେଲ ବ୍ୟବସାୟୀ ଝୁନୁ ଗୌଡଙ୍କ ମତ ଥିଲା ଗଲା ୫୦ଦିନ ଧରି ତାଙ୍କ ହୋଟେଲରେ ବେପାର ନାହିଁ। ବ୍ୟବସାୟ ବହୁତ ପ୍ରଭାବିତ ହୋଇଛି। ହାତରେ ଟଙ୍କା ନାହିଁ। କିଛିଦିନ ପୂର୍ବରୁ ନିଜ ଝିଅର ବାହାଘର କାଯ୍ୟର୍ ସାରିଛନ୍ତି ତାହା ପୁଣି କରଜ କରି। ବ୍ୟବସାୟ ନହେଲେ ଏହି କରଜ ଟଙ୍କା ସୁଝିବା ମଧ୍ୟ ତାଙ୍କ ପାଇଁ ମୁସ୍କିଲ। ଯଦି ସମସ୍ତ ବ୍ୟାଙ୍କରେ ଯଥେଷ୍ଟ ପରିମାଣର ଖୁଚୁରା ଟଙ୍କା ସହ ନୂତନ ୫ଶହ ଟଙ୍କିଆ ନୋଟ୍‌ ଗଚ୍ଛିତ ରହିଥାଆନ୍ତା ତେବେ ଏଭଳି ଅବସ୍ଥା ଲୋକେ ଭୋଗନ୍ତେ ନାହିଁ। ତେବେ ୫୦ଦିନ ଆଜି ପୁରିଥିବାରୁ ଆଗାମୀ ଦିନରେ କେନ୍ଦ୍ର ସରକାର ଏହି ସାଧାରଣ ଲୋକଙ୍କ ମୁସ୍କିଲ ଦୂର କରିବାପାଇଁ ନିଶ୍ଚିତ ଭାବେ କିଛି ପଦକ୍ଷେପ ନେବେ ବୋଲି ମଧ୍ୟ ଆଶା ପ୍ରକାଶ କରିଛନ୍ତି।
 

image