21 November 2017
9:19:49 PM
Sambad News
ସମ୍ପାଦକୀୟ

ଅବୋଧ ବାଳକ

By Sambad | Date: Dec 27 2016 4:56AM
ଅବୋଧ ବାଳକ

ବର୍ଣ୍ଣାଡ୍‌ ଶ’ଙ୍କର ଅନ୍ୟତମ ପ୍ରସିଦ୍ଧ ନାଟକ ‘ମେଜର୍‌ ବାର୍‌ବାରା’ର ଏକ ଦୃଶ୍ୟରେ ସେମାନଙ୍କର ପୁତ୍ର ୨୪ ବର୍ଷୀୟ ଯୁବକ ଷ୍ଟିଫେନ୍‌ର ଭବିଷ୍ୟତକୁ ନେଇ ଶିଳ୍ପପତି ଆଣ୍ଡ୍ରୁ ଅଣ୍ଡର୍‌ସାଫ୍‌ଟ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଏକ ଜୋରଦାର ଝଗଡ଼ା ଦେଖିବାକୁ ମିଳିଥାଏ। ଏହାର ସମାଧାନ ପାଇଁ ଅଣ୍ଡର୍‌ସାଫ୍‌ଟ ପୁତ୍ର ଷ୍ଟିଫେନ୍‌କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ତା’ର ଭବିଷ୍ୟତ ଯୋଜନା ସମ୍ବନ୍ଧରେ ପଚାରନ୍ତି। ଏହି ପରିପ୍ରେକ୍ଷୀରେ ଅଣ୍ଡର୍‌ସାଫ୍‌ଟ ଷ୍ଟିଫେନ୍‌ଠାରୁ ଜାଣିବାକୁ ଚାହିଁଛନ୍ତି କେଉଁ କ୍ଷେତ୍ରରେ ତା’ର ଏକ ସ୍ୱାଭାବିକ ଦକ୍ଷତା ଅଛି ବୋଲି ସେ ଭାବୁଛି। ଏଥିପାଇଁ ସେ ଯେଉଁ ସବୁ କ୍ଷେତ୍ରର ଉଲ୍ଲେଖ କରିଛନ୍ତି ତାହା ହେଲା- ସାହିତ୍ୟ, କଳା, ଅଭିନୟ, ଦର୍ଶନଶାସ୍ତ୍ର, ସେନାବାହିନୀ, ଚର୍ଚ୍ଚ, ଓକିଲାତି, ବ୍ୟବସାୟ ଆଦି। ଏଥିରୁ କୌଣସିଟି ସମ୍ବନ୍ଧରେ ତା’ର ଜ୍ଞାନ ବା ଆଗ୍ରହ ନାହିଁ ବୋଲି ଦର୍ଶାଇ ଷ୍ଟିଫେନ୍‌ ପ୍ରତ୍ୟେକଟି ପ୍ରସ୍ତାବକୁ ନାକଚ କରି ଦିଅନ୍ତେ ଅଣ୍ଡର୍‌ସାଫ୍‌ଟ ତାକୁ ପଚାରନ୍ତି ସେ କେଉଁ ବିଷୟ ଜାଣିଛି ବା ସେଥିରେ ତା’ର ଆଗ୍ରହ ଅଛି?
 
ଷ୍ଟିଫେନ୍‌ ଛିଡ଼ା ହୋଇ ପଡ଼ି ଅତ୍ୟନ୍ତ ଗାମ୍ଭୀର୍ଯ୍ୟର ସହ ପିତାଙ୍କୁ ଚାହିଁ ଉତ୍ତର ଦିଏ: ‘‘ମୁଁ ଠିକ୍‌ ଓ ଭୁଲ୍‌ ମଧ୍ୟରେ ପ୍ରଭେଦ ଜାଣେ।’’ଏହା ଶୁଣି ଅଣ୍ଡର୍‌ସାଫ୍‌ଟ ଅତ୍ୟନ୍ତ ଆମୋଦିତ ହୋଇ ଆଶ୍ଚର୍ଯ୍ୟ ପ୍ରକଟ କରି ପୁତ୍ରକୁ କହିଛନ୍ତି ଯେ ତା’ର ବ୍ୟବସାୟ ପାଇଁ କ୍ଷମତା ନାହିଁ, ଆଇନ ସମ୍ବନ୍ଧରେ ଜ୍ଞାନ ନାହିଁ, କଳା ପ୍ରତି ସମ୍ବେଦନା ନାହିଁ, ଦର୍ଶନଶାସ୍ତ୍ର ସମ୍ବନ୍ଧରେ ଅବଗତି ନାହିଁ, କିନ୍ତୁ  କେବଳ ଏକ ଗୋପନ ସତ୍ୟ ସମ୍ବନ୍ଧରେ ଏକ ସରଳ ଜ୍ଞାନ ତାକୁ ଜଣା ଅଛି ଯାହା ସମସ୍ତ ଦାର୍ଶନିକମାନଙ୍କୁ ଗୋଲକଧନ୍ଦାରେ ପକାଇ ଆସିଛି, ସମସ୍ତ ଓକିଲମାନଙ୍କୁ କିଂକର୍ତ୍ତବ୍ୟବିମୂଢ଼ କରି ଆସିଛି, ସମସ୍ତ ବ୍ୟବସାୟୀମାନଙ୍କର ବିଚାର ବିଭ୍ରାଟ କରିଛି ଏବଂ ସମସ୍ତ କଳାକାରମାନଙ୍କ ପାଇଁ ସର୍ବନାଶର କାରଣ ହୋଇଛି: ଠିକ୍‌ ଓ ଭୁଲ୍‌ର ରହସ୍ୟ। ସେ ପୁତ୍ରକୁ ଥଟ୍ଟା କରି କହିଛନ୍ତି ସେ ନିଶ୍ଚିତ ରୂପେ ଜଣେ ଅସାଧାରଣ ପ୍ରତିଭାଧର (ଜିନିଅସ୍‌)!
 
ଏହାପରେ ପତ୍ନୀ ଯେତେବେଳେ ଅପ୍ରତିଭ ହୋଇ ସ୍ୱାମୀଙ୍କୁ ଅନୁରୋଧ କରନ୍ତି ଷ୍ଟିଫେନ୍‌ କ’ଣ କରିବା ଉଚିତ ହେବ ତାହା କହିବା ପାଇଁ, ଅଣ୍ଡର୍‌ସାଫ୍‌ଟ ଯେଉଁ ଉତ୍ତର ଦେଇଛନ୍ତି ତାହା ବର୍ଣ୍ଣାଡ୍‌ ଶ’ଙ୍କର ପ୍ରସିଦ୍ଧ ଅନ୍ତର୍ଭେଦୀ ଦୃଷ୍ଟିର ଏକ ଶ୍ରେଷ୍ଠତମ ଉଦାହରଣ ରୂପେ ପରିଗଣିତ ହୋଇଥାଏ। ଆଣ୍ଡ୍ରୁ ଅଣ୍ଡର୍‌ସାଫ୍‌ଟ ପତ୍ନୀଙ୍କୁ କହିଛନ୍ତି: ‘‘ସେ (ଷ୍ଟିଫେନ୍‌) କିଛି ଜାଣେ ନାହିଁ; ଏବଂ ସେ ଭାବୁଛି ସେ ସବୁ ଜାଣିଛି। ଏହା ସ୍ପଷ୍ଟ ଭାବରେ ଏକ ରାଜନୈତିକ କ୍ୟାରିଅର୍‌ ଦିଗରେ ସଂକେତ ଦେଇଥାଏ।’’
 
ନିକଟ ଅତୀତରେ ଫେସ୍‌ବୁକ୍‌, ଟ୍ଵିଟର୍‌, ହ୍ଵାଟ୍‌ସ ଆପ୍‌ ପରି ସୋସିଆଲ୍‌ ନେଟ୍‌ଓ୍ଵାର୍କରୁ ଆରମ୍ଭ କରି ମୁଦ୍ରିତ ଓ ଇଲେକ୍‌ଟ୍ରୋନିକ୍‌ ଗଣମାଧ୍ୟମ ପର୍ଯ୍ୟନ୍ତରେ ଦେଖା ଯାଇଥିବା ଆଲୋଚନା ପର୍ଯ୍ୟାଲୋଚନା ଉପରେ ଦୃଷ୍ଟିପାତ କଲେ ଯଦି କୌଣସି ଜଣେ ସାମ୍ପ୍ରତିକ ରାଜନେତାଙ୍କ ପ୍ରତି ଅଣ୍ଡର୍‌ସାଫ୍‌ଟଙ୍କର ଏହି ଶାଣିତ ମନ୍ତବ୍ୟ ସର୍ବାଧିକ ପ୍ରଯୁଜ୍ୟ ହେବା ଭଳି ଧାରଣା ସୃଷ୍ଟି ହୋଇଥାଏ, ସେ ନିର୍ବିବାଦ ଭାବରେ ହେଉଛନ୍ତି ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ଉପସଭାପତି ରାହୁଲ ଗାନ୍ଧୀ। ବିଗତ ବର୍ଷ ମାନଙ୍କରେ ତାଙ୍କର ଅଧିକାଂଶ ଆଚରଣ ଓ ଉଚ୍ଚାରଣ ତାଙ୍କ ପାଇଁ ଏପରି ଏକ ଅବୋଧ ଶିଶୁର ଭାବମୂର୍ତ୍ତି ସୃଷ୍ଟି କରିଛି ଯେ ତାହାକୁ ଆଧାର କରି ଅସୁମାରି କାଳ୍ପନିକ କାହାଣୀ ବା ଜୋକ୍‌ମାନ ଦେଶବାସୀଙ୍କର ଦୈନନ୍ଦିନ ହାସ୍ୟରସ ଖୋରାକରେ ପରିଣତ ହୋଇଛି। 
 
ଏଭଳି ହାଲୁକା ଚର୍ଚ୍ଚାକୁ ଅତିକ୍ରମ କରି ରାହୁଲ ଗାନ୍ଧୀଙ୍କର ଏତାଦୃଶ ଷ୍ଟିଫେନ୍‌ ସୁଲଭ ଭାବମୂର୍ତ୍ତିକୁ ଯାହା ଏକ ବିଧିବଦ୍ଧ ମାନ୍ୟତା ପ୍ରଦାନ କରିଥିଲା, ତାହା ହେଉଛି ଗତ ମାର୍ଚ୍ଚରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଫେସ୍‌ବୁକ୍‌ରେ ପ୍ରକାଶ କରିଥିବା ଏକ ବ୍ଲଗ୍‌। ରାହୁଲଙ୍କ ଉଦ୍ଦେଶ୍ୟରେ ସେ ରଚନା କରିଥିବା ଏହି ବ୍ଲଗ୍‌ର ଶୀର୍ଷକ ଥିଲା: ‘‘ସେ କେତେ ଜାଣନ୍ତି- ସେ କେବେ ଜାଣିବେ।’’ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତୀବ୍ର ସମାଲୋଚନା କରି ରାହୁଲ  ଲୋକସଭାରେ ତାଙ୍କର ପ୍ରସିଦ୍ଧ ‘ଫେଆର୍‌ ଆଣ୍ଡ୍‌ ଲଭ୍‌ଲି’ ଭାଷଣ ପ୍ରଦାନ କରିବା ପରେ ପରେ ଜେଟ୍‌ଲୀ ଏହି ବ୍ଲଗ୍‌ ପ୍ରକାଶ କରିଥିଲେ। ଏହି ବ୍ଲଗ୍‌ରେ ଏକ ସ୍ଥାନରେ ଜେଟ୍‌ଲୀ ଲେଖିଥିଲେ: ‘‘ଜଣେ ଯେତେବେଳେ ଯୁବାବସ୍ଥାରୁ ମଧ୍ୟବୟସ୍କ ଅବସ୍ଥାକୁ ଗତି କରିଥାଏ, ଆମେ ନିଶ୍ଚିତ ରୂପେ ଏକ ନିର୍ଦ୍ଦିଷ୍ଟ ସ୍ତରର ପରିପକ୍ୱତା ଆଶା କରିଥାଉ। ମୁଁ ଶ୍ରୀ ରାହୁଲ ଗାନ୍ଧୀଙ୍କୁ ଯେତେ ଅଧିକ ଶୁଣୁଛି, ସେତେ ଅଧିକ ବିସ୍ମିତ ହୋଇ ଭାବୁଛି ‘‘ସେ କେତେ ଜାଣନ୍ତି- ସେ କେବେ ଜାଣିବେ।’’
 
ଇତି ମଧ୍ୟରେ ନ’ମାସ ଅତିକ୍ରାନ୍ତ ହୋଇଯାଇଥିଲେ ହେଁ ରାହୁଲ ଗାନ୍ଧୀଙ୍କର ପରିପକ୍ୱତାରେ ଯେ କିଛି ହେଲେ ଉନ୍ନତି ଘଟିନାହିଁ, ତାହାର ଏକ ସଦ୍ୟତମ ପ୍ରମାଣ ମିଳିଛି ରବିବାର ଦିନ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ପ୍ରଦର୍ଶିତ ବର୍ଷୀୟାନ ନେତ୍ରୀ ଶ୍ରୀମତୀ ଶୀଲା ଦୀକ୍ଷିତ ପ୍ରଦାନ କରିଥିବା ଏକ ମନ୍ତବ୍ୟରୁ।
 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଲଢ଼େଇ କରିବା ପାଇଁ ରାହୁଲ ଗାନ୍ଧୀ ବର୍ତ୍ତମାନ ଯେଉଁ ଏକ ଅସ୍ତ୍ରକୁ ପ୍ରାଣପଣେ ଜାବୁଡ଼ି ଧରିଛନ୍ତି, ତାହା ହେଉଛି ତଥାକଥିତ ‘ସାହାରା ଡାଇରି’। ଏହି ଡାଇରିରେ ଲିପିବଦ୍ଧ ସୂଚନାକୁ ଭିତ୍ତି କରି ରାହୁଲ ଗାନ୍ଧୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟକ୍ତିଗତ ଭାବରେ ଦୁର୍ନୀତିଗ୍ରସ୍ତ ବୋଲି ସାବ୍ୟସ୍ତ କରିବାକୁ ସଶବ୍ଦ ଉଦ୍ୟମ କରୁଥିବା ବେଳେ ଏବଂ ଏହା ଏକ ‘ଭୂମିକମ୍ପ’ ସୃଷ୍ଟି କରିବାକୁ ଯାଉଛି ବୋଲି ସତର୍କବାଣୀ ଶୁଣାଉଥିବା ବେଳେ ଶୀଲା ଦୀକ୍ଷିତ ଏ ଡାଇରିରେ ଥିବା ଲେଖାକୁ ‘ଉଡ଼ା ଖବର’ ମାତ୍ର କହି ଉଡ଼ାଇ ଦେଇ ରାହୁଲଙ୍କୁ ପୁଣି ସେଇ ଅବୋଧ ଶିଶୁ ଶ୍ରେଣୀରେ ରଖି ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। କଟା ଘା’ରେ ଲୁଣ ଛାଟିବା ପରି ସେ ରାହୁଲଙ୍କୁ ମଧ୍ୟ ମନେ ପକାଇ ଦେଇଛନ୍ତି ଯେ ସୁପ୍ରିମ୍‌ କୋଟ୍‌ର୍ ନିକଟରେ ସେ ଡାଇରି ପ୍ରାମାଣିକ ନୁହେଁ ବୋଲି ମନ୍ତବ୍ୟ ପ୍ରଦାନ କରିଛନ୍ତି (ସତେ ଯେମିତି ରାହୁଲଙ୍କୁ ଏତିକି ମଧ୍ୟ ଜଣା ନାହିଁ!)।
 
ସାହାରା ଡାଇରିକୁ କେନ୍ଦ୍ର କରି ରାହୁଲ ଗାନ୍ଧୀଙ୍କର ଅବୋଧ ଆଚରଣର ଅନ୍ତ ଏଇଠି ଘଟି ନାହିଁ। ବୋକା ପିଲା ପରୀକ୍ଷାରେ କପି କରି ଧରା ପଡ଼ିବା ପରି ରାହୁଲ ଗୁଜରାଟରେ ଏକ ଜନସଭାରେ ଏ ସମ୍ପର୍କରେ ଯାହା ସବୁ କହିଛନ୍ତି, ତାହା ସୁପ୍ରିମ୍‌ କୋଟ୍‌ର୍ରେ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଆଗତ କରିଥିବା ଅଭିଯୋଗର ନକଲ ମାତ୍ର। ୨୦୧୩-୧୪ରେ ଆୟକର ଚଢ଼ାଉ ବେଳେ ମିଳିଥିବା ଡାଇରି ଓ ଅନ୍ୟାନ୍ୟ ନଥିପତ୍ରରେ ସାହାରା ଓ ଆଦିତ୍ୟ ବିରଳା ଗ୍ରୁପ୍‌ କେତେକ ରାଜନେତା, ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଅମଲାଙ୍କୁ ଲାଞ୍ଚ ଦେଇଥିବା ଉଲ୍ଲେଖ ଥିବା ଦାବି କରି ପ୍ରଶାନ୍ତ ଭୂଷଣଙ୍କ ଏନ୍‌ଜିଓ ‘କମନ୍‌ କଜ୍‌’ ସୁପ୍ରିମ୍‌ କୋଟ୍‌ର୍ଙ୍କ ତତ୍ତ୍ୱାବଧାନରେ ଏହାର ତଦନ୍ତ କରାଯିବା ପାଇଁ ଆବେଦନ କରିଥିଲା। କୋଟ୍‌ର୍ ଏହି ଅନୁରୋଧ ପ୍ରତ୍ୟାଖ୍ୟାନ କରି ବିଶ୍ୱାସଯୋଗ୍ୟ ପ୍ରାମାଣିକ ତଥ୍ୟ ଉପସ୍ଥାପନ କରିବା ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କଂଗ୍ରେସ ମୁଖପାତ୍ରମାନେ ଏବେ କହୁଛନ୍ତି ଯେ ରାହୁଲ ଅସଲ ବିସ୍ଫୋରକ ତଥ୍ୟ ଆଗକୁ ପ୍ରକାଶ କରିବେ। ସେ ଯେତେ ଶୀଘ୍ର ଏ ବିସ୍ଫୋରଣ ଘଟାଇବେ ସେତେ ଶୀଘ୍ର ଶିଶୁ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହେବେ।

image