18 November 2017
12:53:16 AM
Sambad News
ଢେଙ୍କାନାଳ

୧୦ ଦିନ ହେଲା ପେଟକୁ ଦାନା ଜୁଟିଲାନି

ନିର୍ଦୟ ପ୍ରଶାସନ

By Sambad | Date: Dec 17 2016 12:03PM
୧୦ ଦିନ ହେଲା ପେଟକୁ ଦାନା ଜୁଟିଲାନି

କଣିହାଁ:  ଗରିବ ଲୋକଙ୍କ ଉନ୍ନତି ପାଇଁ ସରକାର ବିିଭିନ୍ନ କଲ୍ୟାଣମୂଳକ ଯୋଜନା କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବାରେ ସରକାରଙ୍କର ଆନ୍ତରିକତା ନଥିବାରୁ ପ୍ରକୃତ ଗରିବ, ଅସହାୟ ଲୋକେ ଏହାର ସୁଫଳ ପାଇପାରୁ ନାହାନ୍ତି। କଣିହାଁ ବ୍ଲକ୍‌ ବଡ଼ତ୍ରିବିଡ଼ା ଗାଁର ଏକ ନିରାଶ୍ରୟ ବୃଦ୍ଧ ଦମ୍ପତିକୁ ଏହାର ଉଦାହରଣ ଭାବେ ନିଆଯାଇପାରେ।

ବଡ଼ତ୍ରିବିଡ଼ା ଗାଁର ଭିକାରୀ ଦେହୁରୀ (୮୧) ଓ ତାଙ୍କ ପତ୍ନୀ ମହର୍ଗୀ ଦେହୁରୀ (୭୧) ଏକ ଦରଭଙ୍ଗା କୁଡ଼ିଆରେ ରହୁଛନ୍ତି। ଜମିବାଡ଼ି କିଛି ନାହିଁ। ସନ୍ତାନ କହିଲେ ତାଙ୍କର ଝିଅଟିଏ ଥିଲା। ଖାଦ୍ୟ ଅଭାବରୁ ରୋଗାକ୍ରାନ୍ତ ହୋଇ ୨୦ ବର୍ଷ ବୟସରେ ତାହାର ମୃତ୍ୟୁ ଘଟିଛି। ଝିଅ ମରିବାର ୧୨ ବର୍ଷ ବିତିଲାଣି। ଭିକାରୀ ଗୋରୁ ଚରାଇ ପେଟ ପୋଷୁଥିଲେ।  ବାର୍ଧକ୍ୟ ଯୋଗୁଁ କିଛି ମାସ ହେଲା ଗୋରୁ ଚରାଇପାରୁ ନାହାନ୍ତି। ଅନ୍ୟ କିଛି କାମ କରିବାକୁ  ସାମର୍ଥ୍ୟ ନାହିଁ। ଖାଇବାକୁ ନପାଇ ମହର୍ଗୀ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି। ଭିକାରୀଙ୍କ କହିବା ଅନୁଯାୟୀ,  ଅନ୍ତ୍ୟୋଦୟ ଯୋଜନାରେ ତାଙ୍କୁ କାର୍ଡ଼ଟିଏ ମିଳିଥିଲା। ବର୍ଷେ ହେଲା କାର୍ଡ଼ ଡିଲରଙ୍କ ପାଖରେ ଅଛି।  ୧ ମାସ ପୂର୍ବେ ଡିଲର ତାଙ୍କୁ ୧୦ କିଗ୍ରା ଚାଉଳ ଦେଇଥିଲେ।

  ଭିକାରୀ ମାଗିଯାଚି କିଛି ଖାଦ୍ୟ ଆଣି ଶଯ୍ୟାଶାୟୀ ପତ୍ନୀଙ୍କ ତୁଣ୍ଡରେ ଦେଉଥିଲେ। କିନ୍ତୁ ଚାଲି ନପାରିବାରୁ ଦିନେ ଖାଇଲେ ୪ ଦିନ ଉପାସ ରହୁଛନ୍ତି। ୧୦ ଦିନ ହେଲା ସେମାନଙ୍କୁ ଆହାର ମୁଠାଏ ଜୁଟିଲା ନାହିଁ। କୌଣସି ଜନପ୍ରତିନିଧି ବା ପ୍ରଶାସନିକ ଅଧିକାରୀଙ୍କର ଶୁଭଦୃଷ୍ଟି ତାଙ୍କ ଉପରେ ପଡ଼ିଲା ନାହିଁ। ଇନ୍ଦିରା ଆବାସଟିଏ ପାଇଁ ଭିକାରୀ ବାରମ୍ବାର ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ ଘରଟିଏ ମିଳିଲା ନାହିଁ।  ବୃଦ୍ଧ ଦମ୍ପତିଙ୍କର ଏଭଳି ଶୋଚନୀୟ ଅବସ୍ଥା ଦେଖି ବଡ଼ତ୍ରିବିଡ଼ା ଗାଁର ଦୁଇଜଣ ସହୃଦୟ ବ୍ୟକ୍ତି ସେମାନଙ୍କୁ କଣିହାଁ ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରାଇଥିଲେ।

ମହର୍ଗୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତାଳଚେର ମଣ୍ଡାପାଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ତତଃ ଆଖି ବୁଜିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏହି ବୃଦ୍ଧ ଦମ୍ପତିକୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଯୁବକମାନେ ନିବେଦନ କରିଛନ୍ତି।

 

image