21 November 2017
9:25:03 PM
Sambad News
ଦେବଗଡ଼

ଦେବଗଡ଼-ବାରକୋଟ ବେଂଟଶୂଳା ପୋଲ

ଡାଇଭର୍ସନ ରାସ୍ତାର ମରାମତି ଆରମ୍ଭ: ଆନ୍ଦୋଳନ ଚେତାବନୀ ପରେ ଚେତା ପଶିଲା

By Sambad | Date: Dec 13 2016 4:36AM
ଦେବଗଡ଼-ବାରକୋଟ ବେଂଟଶୂଳା ପୋଲ


ଦେବଗଡ଼:  ଗତ ସେପ୍‌ଟେମ୍ବର ମାସ ୧୦ ତାରିଖରେ ଦେବଗଡ଼-ବାରକୋଟ ରାସ୍ତାର ବଣିଆକିଲିଣ୍ଡା ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଥିବା ବେଂଟଶୂଳା ପୋଲ ବର୍ଷାପାଣିରେ ଦବିଯାଇଥିବା ବେଳେ ଯାତ୍ରୀଙ୍କ ସୁବିଧା ନିମନ୍ତେ ସେଠାରେ ଏକ ଅସ୍ଥାୟୀ ଡାଇଭର୍ସନ ରାସ୍ତା ତିଆରି କରାଯାଇଥିଲା। ମାତ୍ର ସେହି ଡାଇଭର୍ସନ ରାସ୍ତାର ଉପଯୁକ୍ତ ରକ୍ଷଣା ବେକ୍ଷଣ କରାଯାଉ ନଥିବାରୁ ଏଥିରୁ ଚିପ୍ସ ଓ ମେଟାଲ ଆଦି ଉଠି ପଡିବା ସହ ଏହା ମଧ୍ୟ ଦିନକୁ ଦିନ ବିପଦସଙ୍କୁଳ ହେଉଥିଲା।

ଏହାର ଉତ୍ତମ ମରାମତି ଦାବିରେ କିଛିଦିନ ପୂର୍ବେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଗତ ୧୦ ତାରିଖ ବଣିଆଁକିଲିଣ୍ଡା ପଞ୍ଚାୟତ ବିକାଶ ମଂଚ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିବା ସହ ସେମାନଙ୍କ ଦାବିକୁ ଯଦି ଧାର୍ଯ୍ୟ ସମୟ ସୀମା ମଧ୍ୟରେ ପୂରଣ କରାନଯାଏ ତେବେ ଆଗାମୀ ୧୪ ତାରିଖ ରାସ୍ତାରୋକ  ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲା। ଫଳରେ ସୋମବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚେତା ପଶିଛି।

ଉକ୍ତ ଡାଇଭର୍ସନ ରାସ୍ତାରେ ଅଧିକ ଚିପ୍ସ୍‌ ଓ ମେଟାଲ ବିଛାଇବା ସହ ପାଣି ମଡ଼ାଯାଇ ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି। ତିନି ମାସ ଅତିକ୍ରାନ୍ତ କରିସାରିଥିଲେ ହେଁ ଉକ୍ତ ବେଂଟଶୂଳା ପୋଳର ନିର୍ମାଣ ସକାଶେ କୌଣସି ପଦକ୍ଷେପ ନିଆ ଯାଉ ନଥିବା ବେଳେ ସେଠାରେ ତିଆରି ହୋଇଥିବା ଅସ୍ଥାୟୀ ଡାଇଭର୍ସନ ରାସ୍ତାଟି ନିମ୍ନମାନର ହୋଇଥିବାରୁ ମାତ୍ର ଅଳ୍ପ ଦିନ ମଧ୍ୟରେ ତାହା ଖରାପ ହୋଇଯାଇଥିଲା।

ଏହା ଦ୍ୱାରା ଯାତାୟତ ବେଳେ ସେଠାରେ ପ୍ରବଳ ଧୂଳିଗୁଣ୍ଡ ଉଡ଼ିଥିବାରୁ ଯାତ୍ରୀମାନେ ଅନେକ ଅସୁବିଧା ଭୋଗୁଥିଲେ। ତାହାର ଉପଯୁକ୍ତ ମରାମତି ନିମନ୍ତେ ଜନସାଧାରଣ ଦାବି କରିବା ସହ ବିଭିନ୍ନ ଅନୁଷ୍ଠାନ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲେ। ଗତ ୧୦ ତାରିଖ ଦିନ ବଣିଆଁକିଲିଣ୍ଡା ପଞ୍ଚାୟତ ବିକାଶ ମଂଚ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଥିଲା।

image