23 October 2017
4:20:42 AM
Sambad News
ରାଜ୍ୟ

୩ ଲକ୍ଷ କ୍ଷତିପୂରଣ ପ୍ରଦାନ ପାଇଁ ଜାତୀୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ

ବିଦ୍ୟୁତ ଆଘାତରେ ଦୁଇ ହାତ ହରାଇବା ମାମଲା

By Sambad | Date: Jan 10 2017 11:31PM
୩ ଲକ୍ଷ କ୍ଷତିପୂରଣ ପ୍ରଦାନ ପାଇଁ ଜାତୀୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ

କଟକ: ବିଦ୍ୟୁତ ଆଘାତରେ ଦୁଇ ହାତ ହରଇଥିବା ପୀଡିତଙ୍କୁ ୩ ଲକ୍ଷ ଟଙ୍କା କ୍ଷତି ପୂରଣ ପାଇଁ ଜାତୀୟ ମାନବାଧିକାର କମିସନ ନିର୍ଦ୍ଦେଶ ଦେଇଛନ୍ତି। କମିସନଙ୍କ ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଏଚ.ଏଲ୍‌.ଦତ୍ତୁ, ନ୍ୟାୟମୂର୍ତ୍ତି ଡି.ମୁରୁଗେସାନ ଓ ନ୍ୟାୟମୂର୍ତ୍ତି ଏସ୍‌.ସି.ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଅଭିଯୋଗର ଶୁଣାଣି କରି ପୀଡିତଙ୍କୁ ୬ ସପ୍ତାହ ଭିତରେ କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ପ୍ରଦାନ ସଂପର୍କିତ ରିପୋର୍ଟ ଦାଖଲ ପାଇଁ ମଧ୍ୟ ଆଦେଶ ଦିଆଯାଇଛି। ମାନବାଧିକାର କର୍ମୀ ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ଆବେଦନର ଶୁଣାଣି କରି କମିସନ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ନେସକୋରେ କାର୍ଯ୍ୟ କରୁଥିବା ଯାଜପୁର ରୋଡ ଥାନା ଅନ୍ତର୍ଗତ ଜହ୍ନ ଗ୍ରାମର ୨୯ ବର୍ଷିୟ ସନ୍ତୋଷ ସାହୁ ୨୦୧୪, ଜୁନ୍‌ ୨୪ରେ ବିଦ୍ୟୁତ ଖୁଣ୍ଟରେ ଚଢି ମରାମତି କାର୍ଯ୍ୟ କରୁଥିଲେ। ଏହି ସମୟରେ ବିଦ୍ୟୁତ ଆଘାତରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଜୀବନ ରକ୍ଷା ହୋଇଯାଇଥିଲେ ମଧ୍ୟ ସନ୍ତୋଷଙ୍କ ଦୁଇ ହାତ ଚିକିତ୍ସା ସମୟରେ କଟା ଯାଇଥିଲା। ସେ ସବୁଦିନ ପାଇଁ ଅକ୍ଷମ ହୋଇଯାଇଥିଲେ। ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନଥାଇ ସନ୍ତୋଷଙ୍କୁ କାର୍ଯ୍ୟ କରିବାକୁ ଦିଆଯାଇଥିଲା ବୋଲି ଅଭିଯୋଗ କରି ଶ୍ରୀ ଦାସ ମାନବାଧିକାର କମିସନଙ୍କ ନିକଟରେ ପୀଡିତଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଆବେଦନ କରିଥିଲେ।

image